ଭୁବନେଶ୍ବର : ରାଜ୍ୟରେ ଥିବା ୪ ହଜାରରୁ ଅଧିକ ପଡ଼ା ବା ବସତିକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିବାକୁ ବାଟ ଫିଟିଛି। ଏଥିପାଇଁ ଥିବା ନିୟମକୁ ସରଳୀକରଣ କରାଯାଇଛି। ରାଜସ୍ବ ବିଭାଗର ଏହି ସରକଳୀକରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଫଳରେ ବହୁ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରିଛି। ଏହାଦ୍ବାରା ଏହି ପଡ଼ାଗୁଡ଼ିକ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସୁବିଧା ପାଇପାରିବେ।
ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଆଜି ଜିଲ୍ଲାପାଳମାନଙ୍କୁ ଏ ସଂକ୍ରାନ୍ତୀୟ ମାର୍ଗଦର୍ଶିକାର ଅନୁପାଳନ ପାଇଁ ପତ୍ର ଲେଖିଛନ୍ତି। ନୂଆ ମାର୍ଗଦର୍ଶିକା ଅନୁସାରେ ମୂଳ ରାଜସ୍ବ ଗ୍ରାମ ଠାରୁ ୫୦୦ ମିଟରରୁ ଅଧିକ ଦୂରରେ ଅବସ୍ଥିତ ୨୫୦ କିମ୍ବା ତାହା ଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡ଼ା ବା ବସତିଗୁଡ଼ିକୁ ନୂଆ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯିବ। ଅନୁରୂପ ଭାବେ ମୂଳ ରାଜସ୍ବ ଗ୍ରାମରୁ ୫୦୦ ମିଟର ମଧ୍ୟରେ ଥିବା ୩୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡ଼ା ବା ବସତିଗୁଡ଼ିକୁ ନୂଆ ରାଜସ୍ବ ଗ୍ରାମ ଭାବେ ଗ୍ରହଣ କରାଯିବ। ୨୫୦ରୁ କମ୍ ଜନସଂଖ୍ୟାବିଶିଷ୍ଟ ପଡ଼ା ବା ବସତିଗୁଡ଼ିକୁ ମୂଳ ରାଜସ୍ବ ଗ୍ରାମରୁ ପ୍ରାକୃତିକ ଭାବେ ବିଚ୍ଛିନ୍ନ ଥିଲେ ସେଗୁଡ଼ିକୁ ମଧ୍ୟ ସ୍ବତନ୍ତ୍ର ରାଜସ୍ବ ଗ୍ରାମ ଭାବେ ମାନ୍ୟତା ଦିଆଯିବ। ନୂଆ ରାଜସ୍ବ ଗ୍ରାମ ସୃଷ୍ଟି ବେଳେ ଗୋଚର ଓ ଗୋଷ୍ଠୀଗତ ଜମିର ସୀମା ସଂରକ୍ଷଣ ବାବଦରେ ଜୋର୍ ନ ଦେବାକୁ ନିର୍ଦ୍ଦିଷ୍ଟ ଭାବେ କୁହାଯାଇଛି। କିନ୍ତୁ ନୂଆ ଭାବେ ସୃଷ୍ଟି ହେଉଥିବା ଗ୍ରାମର ବାସିନ୍ଦା ମୂଳ ଗ୍ରାମ ମଧ୍ୟରେ ଥିବା ଗୋଚର ଓ ଗୋଷ୍ଠୀଗତ ଜମିକୁ ବ୍ୟବହାର କରିପାରିବେ ଏବଂ ଏହା ଉଭୟ ଗ୍ରାମର ସାଧାରଣ ସମ୍ପତ୍ତି ଭାବେ ବିବେଚିତ ହେବ।
ନୂଆ ରାଜସ୍ବ ଗ୍ରାମ ସୃଷ୍ଟି ବାବଦରେ ବହୁବାର ରାଜ୍ୟ ବିଧାନସଭା ତଥା ଅନ୍ୟାନ୍ୟ ସାମ୍ମୁଖ୍ୟରେ ଦାବି ହୋଇ ଆସୁଛି। ଗୋଚର ଓ ଗୋଷ୍ଠୀଗତ ଜମି ଅଭାବରୁ ଅଧିକାଂଶ ପ୍ରସ୍ତାବ ବିଚାରକୁ ନିଆଯାଇ ପାରୁ ନ ଥିଲା। ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟ ସମୟରେ ଜମି ସଂରକ୍ଷଣ ବାବଦରେ ବହୁ ପୂର୍ବରୁ ଜାରି କେତେ ପ୍ରଶାସନିକ ନିର୍ଦ୍ଦେଶନାମାକୁ କ୍ଷେତ୍ରୀୟ ଅଧିକାରୀମାନେ ଠିକ୍ ଭାବେ ବୁଝି ପାରୁ ନ ଥିବାରୁ ନୂଆ ରାଜସ୍ବ ଗ୍ରାମ ସୃଷ୍ଟି ବାଧାପ୍ରାପ୍ତ ହେଉଥିଲା। ଫଳରେ ରାଜ୍ୟ ବିଭିନ୍ନ ସମ୍ବଳ ସଂଗ୍ରହରୁ ବଞ୍ଚିତ ହେଉଥିଲା। ନୂଆ ବ୍ୟବସ୍ଥା ଦ୍ବାରା ପ୍ରାୟ ୪ ହଜାର ନୂଆ ଗ୍ରାମ ସୃଷ୍ଟି ହେବା ସହିତ ଲୋକମାନେ ଉପକୃତ ହେବେ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି। ନୂଆ ନିୟମ ଲାଗୁ ହେବ ସହ ପୂର୍ବର ସମସ୍ତ ନିର୍ଦ୍ଦେଶାବଳୀ ନିଷ୍କ୍ରିୟ ହେବ ବୋଲି ଶ୍ରୀ ସେଠୀ ଦର୍ଶାଇଛନ୍ତି।
Follow Us