ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ପାଲଟା ମାମଲା; ଆସିକା ଜେଲ୍ ଅଧୀକ୍ଷକ, ସବ୍ ଆସିଷ୍ଟାଣ୍ଟ୍ ଜେଲର୍‌ ପରସ୍ପର ବିରୋଧରେ ଦେଲେ ଏତଲା

Advertisment
ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ପାଲଟା ମାମଲା; ଆସିକା ଜେଲ୍ ଅଧୀକ୍ଷକ, ସବ୍ ଆସିଷ୍ଟାଣ୍ଟ୍ ଜେଲର୍‌ ପରସ୍ପର ବିରୋଧରେ ଦେଲେ ଏତଲା

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ସବ୍‌ଜେଲରେ ମୋବାଇଲ୍ ଜବତ ଘଟଣାକୁ ନେଇ ଜେଲ୍ ଅଧୀକ୍ଷକ ଓ ସବ୍ ଆସିଷ୍ଟାଣ୍ଟ୍ ଜେଲର୍‌ଙ୍କ ମଧ୍ୟରେ ଆଇନ ଯୁଦ୍ଧ ପରିସ୍ଥିତି ଉପୁଜିଛି। ଗତ ଏପ୍ରିଲ୍ ୧୨ ତାରିଖରେ ଜବତ ହୋଇଥିବା ୨ଟି ‌ମୋବାଇଲ୍ ବିଷୟରେ ଅଧୀକ୍ଷକ ଗତ ୪ ତାରିଖରେ ସବ୍ ଆସିଷ୍ଟାଣ୍ଟ୍ ଜେଲର୍ ଏ. ରାମା ରାଓଙ୍କୁ ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାମା ରାଓ ଅଧୀକ୍ଷକ ଦିଲୀପ କୁମାର ଜେନାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏ ନେଇ ଶ୍ରୀ ଜେନାଙ୍କ ଏତଲା ଆଧାରରେ ଆସିକା ଥାନାରେ ରାମା ରାଓଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଅନ୍ୟପକ୍ଷରେ ସୋମବାର ଏ ନେଇ ରାମା ରାଓ ଅଧୀକ୍ଷକ ଶ୍ରୀ ଜେନାଙ୍କ ବିରୋଧରେ ଆସିକା ଥାନାରେ ଏତଲା ଦେଇଛନ୍ତି। ଏତଲାରେ ସେ ଦର୍ଶାଇଛନ୍ତି, ଗତ ୧୨ ତାରିଖରେ ସେ ୨ଟି ମୋବାଇଲ୍ ଜବତ କରିବା ପରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦେଇଥିଲେ। କିନ୍ତୁ ଅଧୀକ୍ଷକ ଶ୍ରୀ ଜେନା ଏହି ଘଟଣାର ଠିକ୍ ଭାବେ ଯାଞ୍ଚ ନକରି ୩ ତାରିଖ ଦିନ ଚାମ୍ବରକୁ ତାଙ୍କୁ ଡାକି ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଚେଷ୍ଟା କରିଥିଲେ। ଏ ସମସ୍ତ ଘଟଣା ଅଧୀକ୍ଷକଙ୍କ କୋଠରିରେ ଥିବା ସିସି କ୍ୟାମେରାରେ କଏଦ୍ ହୋଇ ରହିଛି। ତାହାକୁ ନେଇ ପୁଲିସ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ରାମା ରାଓ ଏତଲାରେ ଦର୍ଶାଇଛନ୍ତି। ଜେଲ୍ ଭିତରେ ହେଉଥିବା ବେଆଇନ କାର୍ଯ୍ୟକୁ ସେ ବିରୋଧ କରି ଆସୁଥିଲେ। ତାଙ୍କୁ ଏଠାରୁ ହଟାଇବାକୁ ଷଡ଼ଯନ୍ତ୍ର କରି ଏହି ଯୋଜନା କରାଯାଇଥିବା ରାମା ରାଓ ପାଲଟା ଏତଲାରେ ଦର୍ଶାଇଛନ୍ତି। ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe