ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟ ସମୀକ୍ଷା : ଧାର୍ଯ୍ୟ ସମୟରେ ନୂଆ ‌କାର୍ଯ୍ୟକ୍ରମର ସଫଳ ରୂପାୟନ ହେଉ

Advertisment
ଭୁବନେଶ୍ବରରେ ବସ୍ତି ଉପରେ ନଜର, ଦିନକୁ ୧୪୦୦ରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ : ଅନୁ ଗର୍ଗ

YouTube

ଭୁବନେଶ୍ବର : ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ୨୦୧୯ରେ ବହୁ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏ ସମସ୍ତ କାର୍ଯ୍ୟକ୍ରମର ଧାର୍ଯ୍ୟ ସମୟ ମଧ୍ୟରେ ସଫଳ ରୂପାୟନ ହେବା ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ବା‌େରାପ କରିଛନ୍ତି। ଏ ଦିଗରେ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାପର ଓ ଅଧିକ ତତ୍ପର ହେବାକୁ ସେ ପରାମର୍ଶ ଦେଇଛନ୍ତି।

ଆଜି ଶ୍ରୀମତୀ ଗର୍ଗ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସମୀକ୍ଷାରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୫-୧୬ରେ ହୋଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଠାରୁ ୨୦୧୬-୧୮ରେ ହୋଇଥିବା ସମନ୍ବିତ ଜାତୀୟ ପୁଷ୍ଟି ସର୍ଭେରେ ଶିଶୁମାନଙ୍କ ପୁଷ୍ଟିସାଧନର ପ୍ରାୟ ସମସ୍ତ ସୂଚକାଙ୍କରେ ଓଡ଼ିଶା ଜାତୀୟ ସ୍ତର ଠାରୁ ଉନ୍ନତ ପ୍ରଦର୍ଶନ କରିଛି। ଏହା ବାଦ୍ ମହିଳା ଓ ଶିଶୁ ବିକାଶ ଏବଂ ମିସନ୍ ଶକ୍ତି ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନା ‘ମମତା’ରେ ଏ ପର୍ଯ୍ୟନ୍ତ ହିତାଧିକାରୀଙ୍କ ସଂଖ୍ୟା ୪୦ ଲକ୍ଷ ଟପିସାରିଛି। ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଅତ୍ୟନ୍ତ ଫଳପ୍ରଦ ମିସନ୍ ଶକ୍ତି ଯୋଜନାରେ ଏ ପର୍ଯ୍ୟନ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରାୟ ୫ ହଜାର କୋଟି ଟଙ୍କାର କାମ ଯୋଗାଇ ଦିଆଯାଇଛି। ରାଜ୍ୟରେ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ ଲକ୍ଷ୍ୟରେ କେନ୍ଦ୍ରର କାନ୍ଥରେ ପଶୁପକ୍ଷୀଙ୍କ ଚିତ୍ର ଅଙ୍କନ ସହ ଶିଶୁମାନଙ୍କ ନିମନ୍ତେ ଚେୟାର, ଟେବୁଲ୍‌, ଫିଲ୍‌ଟର୍‌, ଖେଳ ଉପକରଣ ଆଦି ଯୋଗାଇ ଦିଆଯାଉଛି। ଶିଶୁର ମାନସିକ ଓ ଶାରୀରିକ ବିକାଶରେ ପିତାମାତାଙ୍କୁ ସାମିଲ କରିବା ଲକ୍ଷ୍ୟରେ ପ୍ରତି ମାସ ୧୯ ତାରିଖରେ ଅଙ୍କୁର ଦିବସ ପାଳନ କରାଯାଉଛି।

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଗୃହଗୁଡ଼ିକୁ ନିୟମିତ ଯାଞ୍ଚ୍ କରାଯିବା ସହ ପ୍ରତ୍ୟେକ ଅନୁଷ୍ଠାନ‌େର ସିସିଟିଭି କ୍ୟାମେରା ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ଶିଶୁ ଯତ୍ନ ଅନୁଷ୍ଠାନକୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କ ନିମନ୍ତେ ସର୍ବଭାରତୀୟ ସ୍ତରରେ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତା ‘ହୌସଲା-୨୦୧୯’ରେ ଦ୍ବିତୀୟ ଥର ପାଇଁ ଲଗାତର ଭାବେ ଓଡ଼ିଶା ବିଜେତା ହେବାର ଗୌରବ ଅର୍ଜନ କରିଛି। ଓଡ଼ିଶାର ପ୍ରତିଯୋଗୀମାନେ ବିଭିନ୍ନ ବର୍ଗରେ ୩୦ଟି ପଦକ ହାସଲ କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ବାଲ୍ୟ ବିବାହକୁ ରୋକିବା ନିମନ୍ତେ ନୂଆ ନିୟମ ପ୍ରଣୟନ ତଥା ବିଭିନ୍ନ କୌଶଳ ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ୪୧୧ଟି ବାଲ୍ୟ ବିବାହକୁ ରୋକାଯାଇ ପାରିଛି। ଅଙ୍ଗନବାଡ଼ି କର୍ମୀମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯିବା ସହ ସେମାନଙ୍କ ନିୟୋଜନର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଛି। ଅସହାୟ ଓ ନିର୍ଯାତିତା ମହିଳାମାନଙ୍କୁ ମାନସିକ, ଆଇନଗତ ଓ ଚିକିତ୍ସା ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ୱାନ୍ ଷ୍ଟପ୍ ସେଣ୍ଟର୍‌ ‘ସଖୀ’ କାର୍ଯ୍ୟକ୍ଷମ ହୋଇଛି। ୨୦୧୯ ବର୍ଷରେ ବିଭାଗର ଏହି ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ରାଜ୍ୟର ମହିଳା ଓ ଶିଶୁମାନଙ୍କ ବିକାଶ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିଛି ବୋଲି ଶ୍ରୀମତୀ ଗର୍ଗ କହିଥିଲେ। ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe