ରସାତଳଗାମୀ ଆର୍‌ଜିଏଚ୍‌ର ସ୍ବାସ୍ଥ୍ୟସେବା! ଗର୍ଭବତୀ-ପ୍ରସୂତି ବି ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି

Advertisment

୪୦ ପ୍ରତିଶତ ଡାକ୍ତର ଖାଲି,ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର

୪୦ ପ୍ରତିଶତ ଡାକ୍ତର ଖାଲି,ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର

ରସାତଳଗାମୀ ଆର୍‌ଜିଏଚ୍‌ର ସ୍ବାସ୍ଥ୍ୟସେବା! ଗର୍ଭବତୀ-ପ୍ରସୂତି ବି ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି

ରାଉରକେଲା: ହସ୍‌ପିଟାଲରେ ଶଯ୍ୟା ନାହିଁ। ଫଳରେ ଚଟାଣରେ ଶୁଆଇ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଗୁରୁତର ରୋଗୀଙ୍କ ମଧ୍ୟ ସମାନ ଅବସ୍ଥା। ସ୍ଥିତି ଯେ ଉଦ୍‌ବେଗଜନକ ହେଲାଣି, ତାହା ଜଳଜଳ ହୋଇ ଦିଶୁଛି। ଏହି ଦୃଶ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର କୌଣସି ଅପହଞ୍ଚ ଇଲାକାର ନୁହେଁ; ବରଂ ଏହାହେଉଛି ସ୍ମାର୍ଟସିଟିରେ ଅବସ୍ଥିତ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ର ଦୃଶ୍ୟ। ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବାକୁ ବର୍ଷବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଛି; କିନ୍ତୁ ପୂରଣ କରିବାକୁ ଆନ୍ତରିକତା ଦେଖାଉନାହାନ୍ତି। ଯଦ୍ବାରା, ସ୍ଥିତି ଏବେ ରସାତଳଗାମୀ।

ରାଉରକେଲା ସରକାରୀ ହସ୍ପିଟାଲରେ କେବଳ ରାଉରକେଲାବାସୀ ନୁହନ୍ତି, ବରଂ ରାଜଗାଙ୍ଗପୁର, ବିରମିତ୍ରପୁର, ନୂଆଗାଁ, ବିଶ୍ରା, ଗୁରୁଣ୍ଡିଆ, ଲହୁଣୀପଡ଼ା, ଓ ବଣାଇ ବ୍ଲକର ରୋଗୀ ନିର୍ଭରଶୀଳ। ଏମିତିକି ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ମଧ୍ୟ ଚିକିତ୍ସାସେବା ପାଇବାକୁ ରୋଗୀ ଏଠାକୁ ଆସିଥାନ୍ତି। ପ୍ରତିଦିନ ଏଠାକାର ଓପିଡିରେ ପାଖାପାଖି ହଜାରେରୁ ୧୧ ଶହ ରୋଗୀଙ୍କ ଭିଡ଼ ଉପସ୍ଥିତି ଦେଖିବାକୁ ମିଳିଥାଏ। ତେବେ ଏଠାରେ ବିଭିନ୍ନ ବିଭାଗରେ ମୋଟ ଶଯ୍ୟା ସଂଖ୍ୟା ୪ ଶହ ଶଯ୍ୟା ଥିବାରୁ ରୋଗୀଙ୍କୁ ଶଯ୍ୟା ଟିଏ ବି ମିଳିପାରୁନାହିଁ। ସମସ୍ତ ବିଭାଗରେ ଶଯ୍ୟା ଉପରେ ‌ଯେତିକି ରୋଗୀ ଚିକିତ୍ସିତ ହେଉଛନ୍ତି, ସମାନସଂଖ୍ୟକ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି। ଏଥିରୁ ବର୍ତ୍ତି ପାରିନି ଭେଷଜ ତଥା ସ୍ତ୍ରୀ ଓ ପ୍ରସୂତି ଚିକିତ୍ସା ବିଭାଗ। ଏଠାରେ ମଧ୍ୟ ମହିଳାମାନେ ଚଟାଣରେ ଶୋଇ ଚିକିତ୍ସିତ ହେବାର ଦଶ୍ୟ ନିତିଦିନିଆ ହେଲାଣି।

publive-image

ଆର୍‌ଜିଏଚ୍‌ରେ ଡାକ୍ତରଙ୍କ ମରୁଡ଼ି ଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ବର୍ତ୍ତମାନ ଏଠାରେ ୨୯ ଜଣ ବିଶେଷଜ୍ଞ ଡାକ୍ତରଙ୍କ ସମେତ ମୋଟ୍‌ ୪୧ ଜଣ ଡାକ୍ତର ଅଛନ୍ତି। ବର୍ତ୍ତମାନର ସ୍ଥିତିକୁ ଅବଲୋକନ କଲେ, ଏଠାରୁ ଆହୁରି ୩୦ ଡାକ୍ତର ନିତାନ୍ତ ଆବଶ୍ୟକ। ଡାକ୍ତର ନିଯୁକ୍ତି ପାଇଁ ବିଗତ ଦିନରେ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ ଦାବି କରିଥିବାବେଳେ ଖୋଦ୍‌ ହସପିଟାଲ କର୍ତ୍ତୃପକ୍ଷ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ; କିନ୍ତୁ କିଛି ସୁଫଳ ମିଳୁନି। ଅପରପକ୍ଷରେ ଏଠାକାର ଭିତ୍ତିଭୂମିର ବିକାଶ ଅନିବାର୍ଯ୍ୟ ହୋଇପଡ଼ିଲାଣି। ଏନେଇ ହସପିଟାଲର ନିର୍ଦ୍ଦେଶକ ଡା. ଏସ.କେ. ସ୍ବାଇଁ ପ୍ରତିକ୍ରିୟାରେ କହିଛନ୍ତି, ଗ୍ରାମାଞ୍ଚଳରୁ ନେଇ ବିଭିନ୍ନ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ, ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସେବା ଉପଲବ୍ଧ ଥାଇ ସୁଦ୍ଧା ସାଧାରଣ ପ୍ରସୂତି ରୋଗୀ କିମ୍ବା ସାମାନ୍ୟ ଅସୁସ୍ଥ ରୋଗୀମାନେ ଆର୍‌ଜିଏଚ୍‌କୁ ଆସୁଛନ୍ତି, ଏଣୁ ଆମ ଉପରେ ଚାପ ରହୁଛି। ବାଧ୍ୟ ହୋଇ ରୋଗୀଙ୍କୁ ଚିକିତ୍ସା ସେବା ଦେବାପାଇଁ ତଳେ ରଖିବାକୁ ପଡ଼ୁଛି। ପ୍ରତ୍ୟେକ ଦିନ କେତେ ରୋଗୀ ଭର୍ତ୍ତି ହେଉଛନ୍ତି ଓ ଶଯ୍ୟା କ୍ଷମତା କେତେ ତା’ର ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଉଥିବା କହିଛନ୍ତି। ଗୋଟିଏ ପଟେ ଭିତ୍ତିଭୂମି ସୁଦୃଢ଼ ସହିତ ଚିକିତ୍ସା ସେବା କ୍ଷେତ୍ରରେ ଅନେକ ଉନ୍ନତି ହୋଇଥିବା ଦାବି କରାଯାଉଥିବା ବେଳେ ସରକାରୀ ହସ୍ପିଟାଲର ଏଭଳି ଅବ୍ୟବସ୍ଥା ଓ ବିକଳ ଦୃଶ୍ୟ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe