ଆର୍‌ଜିଏଚ୍‌ ଦ୍ବିତୀୟ କ୍ୟାମ୍ପସ୍‌ ଏକମାତ୍ର ବିକଳ୍ପ! ଅର୍ଥ ଅଛି, ଭିତ୍ତିଭୂମି ବିକାଶ ପାଇଁ ଜମି ନାହିଁ

Advertisment
ଆର୍‌ଜିଏଚ୍‌ ଦ୍ବିତୀୟ କ୍ୟାମ୍ପସ୍‌ ଏକମାତ୍ର ବିକଳ୍ପ! ଅର୍ଥ ଅଛି, ଭିତ୍ତିଭୂମି ବିକାଶ ପାଇଁ ଜମି ନାହିଁ
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ର ନବକକଳେବର ହେବ। ଆର୍‌ଜିଏଚ୍‌ର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ୬୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ଆର୍‌ଜିଏଚ୍‌ର ନିଜସ୍ବ ପର୍ଯ୍ୟାପ୍ତ ଜମିନଥିବାରୁ ବିକାଶମୂଳକ ପ୍ରକଳ୍ପ ପାଇଁ, ସମସ୍ୟା ଉପୁଜିବା ଜଳଜଳ ହୋଇ ଦିଶୁଛି। ଏଭଳି ସ୍ଥିତିରେ ଆର୍‌ଜିଏଚ୍‌ର ଦ୍ବିତୀୟ କ୍ୟାମ୍ପସ୍‌ ଏକମାତ୍ର ବିକଳ୍ପ ପାଲଟିଛି। ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରବରିଆଭାବେ ଆଭାସୀ ମାଧ୍ୟମରେ ଆର୍‌ଜିଏଚ୍‌ ସଂପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏବେ ଏହାର ପୁନର୍ବିଚାରକରି ଜାତୀୟ ସ୍ବାସ୍ଥ୍ୟ ମିସନ(ଏନ୍‌ଏଚ୍‌ଏମ୍‌) ଅନୁମୋଦିତ ଅର୍ଥର ସୁବିନିଯୋଗ ପାଇଁ ସହରବାସୀ ଦାବି କରିଛନ୍ତି।
ଆର୍‌ଜିଏଚ୍‌ର ନିଜସ୍ବ ୫୦ ଏକର ଜମି ରହିଥିଲା। ଏଥିମଧ୍ୟରୁ ମୋଟ୍‌ ୧୦ ଏକର ଜମିରେ ଆର୍‌ଜିଏଚ୍‌ ସ୍ଥାପନ କରାଯାଇଥିବାବେଳେ ଭବି‌ଷ୍ୟତ ସଂପ୍ରସାରଣ ପାଇଁ ଅବଶିଷ୍ଟ ୪୦ ଏକର ଜମି ରଖାଯାଇଥିଲା। ଏଥିମଧ୍ୟରୁ ପ୍ରାୟ ୨୦ ଏକର ଜମିରେ ହନୁମାନ ବାଟିକା ଗଢ଼ିଉଠିଛି। ଅବଶିଷ୍ଟ ୨୦ ଏକର ଜମିକୁ ୨୦୦୯ ମସିହାରେ ହାଇଟେକ୍‌ ପରିଚାଳିତ ରାଜ୍ୟ ସରକାର ବିଜ୍ଞାନ ଭାରତୀ ଚାରିଟେବଲ ଟ୍ରଷ୍ଟ୍‌କୁ ଟେକିଦେଇଥିଲେ। ହାଇଟେକ୍‌କୁ ବହୁମୂଲ୍ୟ ଜମି ନ ଦେବାକୁ ସେତେବେଳେ ରାଉରକେଲାରେ ଦୁର୍ବାର ଆନ୍ଦୋଳନ, ରାସ୍ତାରୋକ ଆଦି ହୋଇଥିଲା। କିନ୍ତୁ ପ୍ରତିବାଦକୁ ଭୃକ୍ଷେପ ନ କରି ତତ୍କାଳୀନ ରାଜ୍ୟ ସରକାର ହାଇଟେକ୍‌ କର୍ତ୍ତୃପକ୍ଷଙ୍କୁ ଜମି ଦେବା ଫଳରେ ଆର୍‌ଜିଏଚ୍‌ର ସଂପ୍ରସାରଣ ଏକ ପ୍ରକାର ବନ୍ଦ ହୋଇଯାଇଥିଲା।
ସଂପ୍ରତି ଆର୍‌ଜିଏଚ୍‌ ପାଖରେ ଜମି ନାହିଁ, ଯେଉଁଠାରେ ଏହି ୬୬୦ କୋଟି ଟଙ୍କା ବ୍ୟୟ କରାଯାଇପାରିବ। ଅବଶ୍ୟ, ଏମ୍‌ସିଏଚ୍‌ ବିଲ୍‌ଡିଂ ସମ୍ମୁଖରେ କିଛି ଖାଲି ଜମି ରହିଛି। ଏଠାରେ ୬ ମହଲା ବିଶିଷ୍ଟ ହସପିଟାଲ ସହ ଶଯ୍ୟା ବୃଦ୍ଧି, କର୍ମଚାରୀଙ୍କ ପାଇଁ ବାସଗୃହ ଆଦି ନିର୍ମାଣ ପାଇଁ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି। ଯଦି ଏହି ଖାଲି ଜାଗାରେ ବିଲ୍‌ଡିଂ ନିର୍ମାଣ ହୁଏ, ତା’ହେଲେ ଆଗାମୀ ଦିନରେ ଆର୍‌ଜିଏଚ୍‌ ସଂପ୍ରସାରଣ ପାଇଁ ସବୁ ବାଟ ବନ୍ଦ ହୋଇଯିବ। ଏଭଳି ସ୍ଥିତିରେ ଦ୍ବିତୀୟ କ୍ୟାମ୍ପସ୍‌ ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe