ଝାରସୁଗୁଡା : ଉତ୍ତରାଧିକାରୀ ପ୍ରମାଣପତ୍ର (ଲିଗାଲ ହେୟାର ସାର୍ଟିଫିକେଟ୍) କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲଇକେରା ତହସିଲର ସାହସପୁର ଆର୍ଆଇ ଯସ୍ମିତା ଭୋରାସାଗର ଓ ଏଆର୍ଆଇ ଚିଙ୍କିରାଣୀ ନାଏକ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରାଉରକେଲା ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ କେସ୍ ନମ୍ବର ୧/୨୨ରେ ଏହି ଚଢ଼ଉ କରାଯାଇଥିଲା।
ଅଭିଯୋଗକାରୀ ଅଇତାପଡ଼ା ଗ୍ରାମର ଶାନ୍ତନୁ ଷଣ୍ଢ ତାଙ୍କ ମାଙ୍କ ନାମରେ ଏକ ଲିଗାଲ ହେୟାର ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲେ। ଆବେଦନ ପରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଆର୍ଆଇ ଭୋରାସାଗର ଆବେଦନକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ଦେବାକୁ ଦାବି କରିଥିଲେ। ଅଭିଯୋଗକାରୀ ଏ ନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଅଭିଯୋଗକାରୀ ଶ୍ରୀ ଷଣ୍ଢ ଏହି ଟଙ୍କା ଏଆର୍ଅର୍ଆଇ ପିଙ୍କିରାଣୀଙ୍କୁ ପ୍ରଦାନ କରିଥିଲେ। ସେ ଏହି ଟଙ୍କାକୁ ଆର୍ଆଇଙ୍କୁ ଦେଇଥିଲେ। ସାହସପୁର ଅଫିସରେ ଟଙ୍କା ଦେବା କାରବାର ଚାଲିଥିବା ସମୟରେ ସେଠାରେ ଛପି ରହିଥିବା ଝାରସୁଗୁଡ଼ା ଭିଜିଲାନ୍ସ ଡିଏସ୍ପି ଯୋଗେଶ ପଟେଲ, ସୁନ୍ଦରଗଡ଼ ଡିଏସ୍ପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ବରେ ରାଉରକେଲାରୁ ଆସିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ଆର୍ଆଇଙ୍କ ଅଫିସ ଓ ସରଧାପାଲିଠାରେ ଥିବା ଘରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ ଜାରି ରଖିଥିବା ଡିଏସ୍ପି ଶ୍ରୀ ପଟେଲ ଜଣାଇଛନ୍ତି।
Follow Us