ରିଆମାଳ ବ୍ଲକରେ ପହଞ୍ଚିପାରୁନି ବିକାଶ, ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍‌ସ

Advertisment
ରିଆମାଳ ବ୍ଲକରେ ପହଞ୍ଚିପାରୁନି ବିକାଶ, ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍‌ସ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ମାଘୁମୁଣ୍ଡାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍‌ସ ଯାଇ ପାରିଲାନି। ଫଳରେ ମେଡିକାଲ୍‌ ଯାଇ ନପାରି ଘରେ ପ୍ରସବ କରିଥିଲେ ଏହି ଗାଁର ଜଣେ ମହିଳା। ପରେ ଆମ୍ବୁଲାନ୍‌ସ କର୍ମଚାରୀ ପହଞ୍ଚି ଉଭୟ ମା’ ଓ ଶିଶୁ କନ୍ୟାକୁ ଷ୍ଟ୍ରେଚର୍‌ରେ ୨.୫ କିମି ଆମ୍ବୁଲାନ୍‌ସ ପାଖକୁ ବୋହି ଆଣିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳକୁ ରାସ୍ତା ନିର୍ମାଣ କରି ଜନସାଧାରଣଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କାର ଯୋଜନା କରୁଥିଲେ ମଧ୍ୟ ବାସ୍ତବିକ ଚିତ୍ର କିନ୍ତୁ ଅଲଗା ଦେଖାଯାଉଛି।

ସୂଚନା ଅନୁଯାୟୀ ମାଘୁମୁଣ୍ଡା ଗ୍ରାମର ଚାରୁ ମୁଣ୍ଡାଙ୍କ ସ୍ତ୍ରୀ ବାହାଲ ହେମ୍ବ୍ରମ (୨୬) ମଙ୍ଗଳବାର ସକାଳେ ୬ଟାରେ ପ୍ରସବ ବେଦନା ଅନୁଭବ କରିଥିଲେ। ପରିବାର ଲୋକ ମେଡିକାଲକୁ ନେବା ପାଇଁ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ। ଖବରପାଇ ଛତାବର ଡାକ୍ତରଖାନାରେ ନିୟୋଜିତ ଥିବା  ଆମ୍ବୁଲାନ୍‌ସ ମାଘୁମୁଣ୍ଡା ଗ୍ରାମକୁ ଯାଇଥିଲା। କିନ୍ତୁ ଗ୍ରାମକୁ ରାସ୍ତା ନ ଥିବାରୁ ୨.୫ କି.ମି ଦୂରରେ ଆମ୍ବୁଲାନ୍‌ସ ଅଟକି ରହିଥିଲା। ପରେ ଆମ୍ବୁଲାନ୍‌ସ ଡ୍ରାଇଭର୍‌ ସୁରେଶ ସାମଲ ଓ ସହାୟକ ଦେବେନ୍ଦ୍ର ପ୍ରଧାନ, ଇଏମ୍‌ଟି ସତ୍ୟାନନ୍ଦ ସାହୁ, ଜଙ୍ଗଲିଆ ଓ ପାହାଡ଼ିଆ ରାସ୍ତା ଦେଇ ଗାଁକୁ ଯାଇଥିଲେ। ଗାଁରେ ପହଞ୍ଚିବା ପୂର୍ବରୁ ମହିଳା ଜଣଙ୍କ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ସାରିଥିଲେ। ସେମାନେ ସଙ୍ଗେ ସଙ୍ଗେ ଷ୍ଟ୍ରେଚର୍‌ରେ ଉଭୟ ମା’ ଶିଶୁ କନ୍ୟାକୁ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ବୋହି ଆଣିଥିଲେ। ସକାଳ ୯ଟା ୩୦ରେ ଉଭୟଙ୍କୁ ଛତାବର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସଡ଼କ ନିର୍ମାଣ ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଜିଲ୍ଲାରେ ୨୮ଟି ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍‌ସ ସେବା ମିଳି ପାରୁନି। ସେହିପରି ରିଆମାଳ ବ୍ଲକର ୭ଟି ଗ୍ରାମକୁ ରାସ୍ତା ନ ନଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe