ରିଆମାଳ ଥାନାର ଡ୍ରାଇଭର ଓ କନ୍‌ଷ୍ଟେବଳଙ୍କ ଦୌରାତ୍ମ୍ୟ

Advertisment
ରିଆମାଳ ଥାନାର ଡ୍ରାଇଭର ଓ କନ୍‌ଷ୍ଟେବଳଙ୍କ ଦୌରାତ୍ମ୍ୟ

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ଥାନାର ଡ୍ରାଇଭର ଓ କନେଷ୍ଟବଳଙ୍କ ଦୌରାତ୍ମ୍ୟ ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ରିଆମାଳ ଥାନାର ଜଣେ ଡ୍ରାଇଭର ଓ କନେଷ୍ଟବଳ ଏକ ହାଇୱାକୁ ଅଟକାଇ ଡ୍ରାଇଭରଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ମୋବାଇଲ ଓ ଗାଡ଼ି ଲାଇଟ୍‌ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗୁରୁବାର ପୂର୍ବାହ୍ନରେ କୁଣ୍ଢେଇଗୋଳା ଥାନା ଲୁହୁରାକୋଟ ଗାଁର ଡ୍ରାଇଭର ଦିଲ୍ଲୀପ ବେହେରା (୩୬) ଏକ ହାଇୱା (ଓଡି଼-୧୯-ୟୁ-୨୧୪୯) ଧରି ତେଲିମୁଣ୍ଡା ଆଡ଼କୁ ଯାଉଥିଲେ। ଏହି ସମୟରେ ରିଆମାଳ ଥାନାର କାର୍ଯ୍ୟରତ ଡ୍ରାଇଭର ସଞ୍ଜୟ ବେହେରା ଓ କନେଷ୍ଟବଳ ଯଶୋବନ୍ତ ଉଦାବର ରିଆମାଳ ବସ୍‌ଷ୍ଟାଣ୍ଡରେ ମଦ୍ୟପ ଅବସ୍ଥାରେ ବଟି ମାଗିବା ଉଦ୍ଦେଶ୍ୟରେ ଗାଡ଼ିକୁ ଅଟକାଇ ଥିଲେ। ଗାଡ଼ିରେ ପାଲ କାହିଁକି ଟାଣି ନାହୁଁ ବୋଲି କହି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତେବେ ଦିଲ୍ଲୀପ ଗାଡ଼ିରେ କିଛି ସାମଗ୍ରୀ ନଥିବାରୁ ପାଲ ଟାଣି ନଥିବା କହିଥିଲେ। ଏହା ପରେ ସଞ୍ଜୟ ଓ ଯଶୋବନ୍ତ ତାଙ୍କ ମୋବାଇଲ ଓ ଗାଡ଼ିର ଲାଇଟ୍‌କୁ ଭାଙ୍ଗି ଦେଇଥିଲେ। ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଥିଲେ।

ଡ୍ରାଇଭର ଦିଲ୍ଲୀପ ଦୌଡ଼ି ଦୌଡ଼ି ଆସି ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଲଳିତା ପ୍ରଧାନ ତୁରନ୍ତ ଷ୍ଟାଫ୍‌ ପଠାଇ ସଞ୍ଜୟ ଓ ଯଶୋବନ୍ତଙ୍କୁ ଥାନାକୁ ଆଣିଥିଲେ। ଥାନା ଅଧିକାରୀ କହିଛନ୍ତି ଯେ, ଉଭୟ କର୍ମଚାରୀ ମଦ ପିଇ ଦିଲ୍ଲୀପଙ୍କୁ ମାଡ଼ ମାରିଥିଲେ। ସେମାନଙ୍କ ନାମରେ ମାମଲା ରୁଜୁ ହୋଇ ଏସ୍‌ପିଙ୍କୁ ଜଣାଇଛନ୍ତି। ପୂର୍ବରୁ ମଧ୍ୟ ଉଭୟ କର୍ମଚାରୀ ଏଭଳି କାଣ୍ଡ କରିଥିବା ନଜିର ଅଛନ୍ତି। ଏହି କର୍ମଚାରୀ ଦ୍ବୟଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe