ଟଙ୍କା ଭଳି ଏଟିଏମ୍‌ରୁ ବାହାରିବ ଚାଉଳ, ଘୋଷଣା ଅନୁଯାୟୀ ୩୧୦୦ ଟଙ୍କାର କିଣାଯିବ ଧାନ: ମନ୍ତ୍ରୀ

Advertisment
ଟଙ୍କା ଭଳି ଏଟିଏମ୍‌ରୁ ବାହାରିବ ଚାଉଳ, ଘୋଷଣା ଅନୁଯାୟୀ ୩୧୦୦ ଟଙ୍କାର କିଣାଯିବ ଧାନ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିବା ପରେ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନିଆଯାଉଛି। କଣ୍ଟ୍ରୋଲ ଚାଉଳ ଆଣିବା ପାଇଁ ଏଣିକି ଦୋକାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଏଟିଏମ୍‌କୁ ଗଲେ ଚାଉଳ ନେଇକି ଆସିବେ। ‌ଏଟିଏମ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ। ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିବାକୁ ଯାଉଛନ୍ତି। ସେହିପରି ସାଧାରଣ ନିର୍ବାଚନ-୨୦୨୪ ଘୋଷଣା ଅନୁସାରେ ଚଳିତ ଖରିଫ ଋତୁରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ।

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ଚାଉଳ ଏଟିଏମ୍‌ ଖୋଲିବ। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଭୁବନେଶ୍ୱରରେ ଏହି ବ୍ୟବସ୍ଥା ହେବ। ହିତାଧିକାରୀମାନେ ମେସିନ୍‌ରେ କାର୍ଡ ଗଳାଇଲେ ବାହାରିବ ଚାଉଳ। ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଯିବ। ପର୍ଯ୍ୟାୟ କ୍ରମେ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କରାଯିବ।

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ। ନିର୍ବାଚନୀ ଇସ୍ତାହାରରେ କହିଛୁ। ଏଇ ଖରିଫ୍‌ ଋତୁରୁ ଚାଷୀଙ୍କୁ ୩୧ ଶହ ଟଙ୍କା ଦେବୁ। କାଲି କେନ୍ଦ୍ର ସରକାର ଧାନ କ୍ୱିଣ୍ଟାଲ ପ୍ରତି ୨୩ଶହ କଲା ପରେ ଆମକୁ ସୁବିଧା ହୋଇଛି। ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥାନ୍ତା। ଏବେ ୮୦୦ ଟଙ୍କା ପଡ଼ିବ। ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ। କୌଣସି କଟ୍‌ନୀଛଟ୍‌ନୀ କରାଯିବ ନାହିଁ। ଏହି ଭଳି ଅଭିଯୋଗ ଆସିଲେ ସଂପୃକ୍ତ ବ୍ୟକ୍ତି କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe