ଗଞ୍ଜାମରେ ଚାଉଳ ସଙ୍କଟ : ୮୬୭୧ ଚାଷୀଙ୍କଠୁ ସଂଗୃହୀତ ହୋଇଛି ୪.୪୭ ଲକ୍ଷ କ୍ବି ଣ୍ଟାଲ ଧାନ

ଗଞ୍ଜାମରେ ଚାଉଳ ସଙ୍କଟ : ୮୬୭୧ ଚାଷୀଙ୍କଠୁ ସଂଗୃହୀତ ହୋଇଛି ୪.୪୭ ଲକ୍ଷ କ୍ବି ଣ୍ଟାଲ ଧାନ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରୁ ସଂଗୃହୀତ ଚାଉଳରୁ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ବଣ୍ଟନ ପରେ ବି ସବୁବେଳେ ବଳକା ରହୁଥିଲା। ଏପରିକି ଗୋଦାମରେ ଚାଉଳ ରଖିବା ଲାଗି ସ୍ଥାନ ମିଳୁ ନ ଥିଲା। ଚଳିତ ବର୍ଷ କରୋନା ଲାଗି ପ୍ରଧାନମନ୍ତ୍ରୀ କଲ୍ୟାଣ ଯୋଜନାରେ ଚାଉଳ ବଣ୍ଟନ ପରେ ଏବେ ଜିଲ୍ଲାରେ ଚାଉଳ ଅଭାବ ଦେଖାଦେଇଛି। ଜିଲ୍ଲାରେ ଡିସେମ୍ବର ୧୬ରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ୩୪୫ ମିଲର ନିଯୁକ୍ତ ହୋଇଥିବା ବେଳେ ୮୬୭୧ ଚାଷୀଙ୍କ ଠାରୁ ୪.୪୭ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। କିନ୍ତୁ ସେହି ଅନୁପାତର ଚାଉଳ ସଂଗୃହୀତ ହୋଇପାରୁନି। ଜାନୁଆରି ମାସର କୋଟା ବାଣ୍ଟିବା ଲାଗି ଆବଶ୍ୟକ ପରିମାଣର ଚାଉଳ ମହଜୁଦ୍‌ ନାହିଁ। ଏହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି।

ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ଚାଉଳ ସଂଗ୍ରହକୁ ତ୍ବରାନ୍ବିତ କରିବା ଲାଗି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଧାନ କ୍ରୟ ପ୍ରକ୍ରିୟାରେ ସାମିଲ ହୋଇଥିବା ମିଲ ଗୁଡ଼ିକ ଯାଞ୍ଚ କରିବା, କେଉଁ ମିଲ୍ କେତେ ଧାନ ସଂଗ୍ରହ କରିଛନ୍ତି ଓ କେତେ ପରିମାଣର ଚାଉଳ ଦେଇଛନ୍ତି ତାହାର ମିଲୱାରି ସମୀକ୍ଷା କରି ତ୍ବରାନ୍ବିତ କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ବୁଧବାର ସନ୍ଧ୍ୟାରେ ବସିଥିବା ଜରୁରୀ ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି ଜିଲ୍ଲାର ପଞ୍ଜୀକୃତ ଚାଷୀଙ୍କ ଠାରୁ ଯେପରି ଶତ ପ୍ରତିଶତ ଧାନ ସଂଗ୍ରହ ହୋଇପାରିବ ଏନେଇ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ବାରୋପ କରିଥିଲେ। ଗଲାବର୍ଷ ଯେଉଁ ସମସ୍ୟା ଦେଖା ଦେଇଥିଲା, ତାହାର ଯେଭଳି ପୁନରାବୃତ୍ତି ନହେବ ଏଥିଲାଗି ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଥିଲେ। ସରକାର ସରକାର ଧାର୍ଯ୍ୟ କରିଥିବା ସମୟସୀମା ମଧ୍ୟରେ ଚାଷୀଙ୍କ ଧାନ ବିକ୍ରି ଟଙ୍କା ପୈଠ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମିଲରମାନେ ଧାନ ନେବା ପରେ ଚାଉଳ ଦେବାରେ ବହୁ ବିଳମ୍ବ ଘଟାଉଛନ୍ତି। ନିର୍ଦ୍ଧାରିତ ସମୟରେ ଚାଉଳ ଦେବା ଲାଗି ମିଲରମାନଙ୍କୁ ଆଗୁଆ ସୂଚନା ଦିଆଯିବ। ପ୍ରତ୍ୟେକ ସମୟରେ ମିଲ୍ ଗୁଡିକରେ ତହସିଲଦାର ମାନେ ସ୍ଥିତି ଯାଞ୍ଚ‌ କରିବେ।

ଆଜି ସୁଦ୍ଧା ଜିଲ୍ଲାରେ ୩୩୫ ପ୍ୟାକସ୍‌, ୪୪ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ଗୋଟିଏ ପାଣି ପଞ୍ଚାୟତ ମାଧ୍ୟମରେ ୪ ଲକ୍ଷ ୪୭ ହଜାର ୫୪୪ କ୍ବି ଣ୍ଟାଲ ଧାନ ୮ ହଜାର ୬୭୧ ଜଣ ଚାଷୀଙ୍କ ଠାରୁ ସଂଗ୍ରହ ହୋଇଥିବା ସୂଚନା ମିଳିଛି। ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ତା, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି ଓ ଡିଆରସିଏସ୍‌ ବିଶ୍ବରଞ୍ଜନ ଦାସଙ୍କ ସମେତ ଏଆରସିଏସ୍‌, ସମସ୍ତ ପିଆଇ ଓ ଏମ୍ଆଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe