The Asian Age
ଭୁବନେଶ୍ବର : ମିଲରଙ୍କୁ ତାଗିଦ କରି ପାରୁନାହିଁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ। ଚାଉଳ ଜମା ନେଇ ଦୁଇ ଥର ଅବଧି ସରିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୮ ପ୍ରତିଶତ ଚାଉଳ ଦେଇ ନାହାନ୍ତି ରାଇସ ମିଲ୍। ଏଣେ ଗରିବ କଲ୍ୟାଣ, ଖାଦ୍ୟ ସୁରକ୍ଷା, ମଧ୍ୟାହ୍ନ ଭୋଜନ ଏବଂ ସମନ୍ବିତ ଶିଶୁ ବିକାଶ ସମେତ ବିଭିନ୍ନ ପ୍ରକାର ଯୋଜନା ପାଇଁ ଚାଉଳର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ମିଲ୍ଗୁଡ଼ିକ ଚାଉଳ ନଦେବା ରାଜ୍ୟ ପାଇଁ ଆଗକୁ ସମସ୍ୟା ସୃଷ୍ଟି ହୋଇପାରେ।
ସୂଚନା ଅନୁସାରେ, ଧାନ ସଂଗ୍ରହର ୩ ମାସ ମଧ୍ୟରେ ମିଲ୍ ମାଲିକମାନେ ସରକାରଙ୍କୁ ଚାଉଳ ଦେବା ପାଇଁ ନିର୍ଦେଶ ରହିଛି। ୨୦୨୧ ମସିହା ଧାନ ସଂଗ୍ରହରେ ୧୩୫୦ ମିଲର୍ଙ୍କୁ ଟ୍ୟାଗ କରାଯାଇଥିଲା। ଜୁନ ସୁଦ୍ଧା ସମସ୍ତେ ୪୮.୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଦେବା କଥା। ଏହି ସମୟରେ କେହି ଚାଉଳ ନଦେବାରୁ ଜମା ଅବଧି ଜୁଲାଇ ଏବଂ ବର୍ତ୍ତମାନ ଅଗଷ୍ଟ ମାସ ୩୦ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ମିଲ୍ଗୁଡ଼ିକ ୩୪.୩୧ ଲକ୍ଷ ମେଟ୍ରିକ ଟନ ଚାଉଳ ଜମା କରିଛନ୍ତି। ଏଥିରୁ ୨୭ ଲକ୍ଷ ୮୮ ହଜାର ମେଟ୍ରିକ ଟନ୍ ରାଜ୍ୟ ଯୋଗାଣ ନିଗମ, ୬ ଲକ୍ଷ ୪୨ ହଜାର ମେଟ୍ରିକ ଟନ୍ କେନ୍ଦ୍ର ଖାଦ୍ୟ ନିଗମ(ଏଫସିଆଇ)କୁ ଦିଆଯାଇଛି। ଏଫସିଆଇକୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ପାଖାପାଖି ଚାଉଳ ଦିଆସରିଥିଲେ ମଧ୍ୟ ମୁଖ୍ୟ ସମସ୍ୟା ଯୋଗାଣ ନିଗମ ନିକଟରେ ରହିଛି। ଏହାକୁ ନେଇ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ବାରମ୍ବାର ସିଏସଓମାନଙ୍କୁ ଚିଠି କରୁଥିଲେ ମଧ୍ୟ କୌଣସି ଲାଭ ହେଉ ନାହିଁ। ଏଣେ କିନ୍ତୁ ୩୦ ତାରିଖ ସୁଦ୍ଧା ଶତପ୍ରତିଶତ ଚାଉଳ ନମିଳିଲେ ଏଫସିଆଇ ଟିମ୍ ଗୋଦାମ ଯାଞ୍ଚ କରିବାର ସମ୍ଭାବନା ରହିଛି। କାହିଁକି ମିଲ ଚାଉଳ ଦେଉ ନାହାନ୍ତି ତାହା ଦେଖିବେ, ଆବଶ୍ୟକତା ଅନୁସାରେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି।
Agriculture Postନିୟମ ଅନୁଯାୟୀ, ଧାନ ସଂଗ୍ରହ ପାଇଁ ଟ୍ୟାଗ ହୋଇଥିବା ରାଇସ ମିଲ୍ଗୁଡ଼ିକ ଖୋଲା ବଜାରରେ ଚାଉଳ ବିକ୍ରି କରିପାରିବେ ନାହିଁ। ମାତ୍ର ଅନେକ କ୍ଷେତ୍ରରେ ମିଲ୍ମାଲିକମାନେ ଏହାର ଉଲ୍ଲଂଘନ କରନ୍ତି। ମିଲିଂ ପାଇଁ ସରକାରଙ୍କ ଠାରୁ ଟଙ୍କା ନେଇ ବାହାରେ ବିକ୍ରି କରି ଦିଅନ୍ତି। ଯାହା ରାଜ୍ୟ ପାଇଁ ସମସ୍ୟା ସୃଷ୍ଟି କରେ। ପିଡିଏସ ବିତରଣରେ ବାଧା ସୃଷ୍ଟି କରେ। ଦ୍ବିତୀୟତଃ ଗୋଟିଏ ମାସ ପରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ବର୍ତ୍ତମାନ ଠାରୁ ମିଲଗୁଡ଼ିକ ପୁରୁଣା ଧାନ ଖାଲି ନକଲେ ନୂଆ ଧାନ ସଂଗ୍ରହରେ ସମସ୍ୟା ହେବ। ପ୍ରତିବର୍ଷ ମିଲ ମାଲିକମାନେ ରାଜ୍ୟ ସରକାରଙ୍କ ଠାରୁ ମିଲିଂ ଚାର୍ଜେସ, ମଣ୍ଡିରୁ ମିଲକୁ ପରିବହନ, ସଂରକ୍ଷଣ ବ୍ୟବସ୍ଥା ପାଇଁ ଟଙ୍କା ନିଅନ୍ତି ଚାଉଳ ଦେବା କାର୍ଯ୍ୟ ନିର୍ଧାରିତ ସମୟରେ କରନ୍ତି ନାହିଁ। ଯୋଗାଣ ନିଗମ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଏ ନାହିଁ। ଏପରିକି ଅନେକ ମିଲରେ ବୈଜ୍ଞାନିକ ପଦ୍ଧତିରେ ଧାନ ସଂରକ୍ଷଣ ବ୍ୟବସ୍ଥା ନଥିଲେ ମଧ୍ୟ ତାକୁ ମଧ୍ୟ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହେଉଛି।
Follow Us