ମଣ୍ଡିରେ ଧାନ ଭିଜି ଗଜା, ଓଡ଼ିଶା ମିଲର୍ସଙ୍କ ଛତିଶଗଡ଼ ପ୍ରେମ

Advertisment
ମଣ୍ଡିରେ ଧାନ ଭିଜି ଗଜା, ଓଡ଼ିଶା ମିଲର୍ସଙ୍କ ଛତିଶଗଡ଼ ପ୍ରେମ

ବରଗଡ଼: ଜିଲ୍ଲା‌ରେ ‘ନୀତି ବିହୀନ’ ଧାନକିଣା ନୀତି ଚାଲିଛି। ଧାନ କିଣାବିକା ପାଇଁ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି ହେବା ତ ଦୂରର କଥା, ଠିକଣା ଭାବେ ଧାନ କିଣାବିକା ପ୍ରକ୍ରିୟା ମଧ୍ୟ ପରିଚାଳନା ହୋଇପାରୁନାହିଁ। ଏଭଳି ସ୍ଥିତିରେ ଜଣିଶୁଣି ଚାଷୀଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦିଆଯାଉଥିବା ଅଭିଯୋଗ ହେଉଛି। ଧାନକିଣାରେ ମିଲର୍ସଙ୍କ ମନମୁଖି କାରବାର ଚଳାଇଥିବାବେଳେ ପ୍ରଶାସନିକ ସ୍ତରରେ ମଧ୍ୟ ଏହାକୁ ପ୍ରଶ୍ରୟ ଦିଆଯାଉଛି। ଧାନକିଣା ଆରମ୍ଭ ହେବା ଦିନଠୁ ଜିଲ୍ଲାର ସବୁ ମଣ୍ଡି ଏବଂ କ୍ରୟକେନ୍ଦ୍ରଗୁଡ଼ିକରେ ଅଚଳାବସ୍ଥା ଲାଗି ରହିଛି। କୌଣସି ସ୍ଥାନରେ ଧାର୍ଯ୍ୟ ମୁତାବକ ଧାନ ଖରିଦ ହୋଇନାହିଁ। ତେବେ, ଯଦି ମଣ୍ଡିରୁ ଧାନ ଉଠୁନି, ତେବେ ମିଲ୍‌ଗୁଡ଼ିକରେ ପ୍ରତିଦିନ ଶହଶହ ଗାଡ଼ି କେଉଁଠୁ ଆସୁଛି, ତାହା ଏବେ ତଦନ୍ତସାପେକ୍ଷ ହୋଇ ପଡ଼ିଛି।

ଗୋଟିଏ କଥା ସ୍ପଷ୍ଟ ଯେ, ଛତିଶଗଡ଼ରୁ ପ୍ରତିଦିନ ହଜାର ହଜାର କ୍ବିଣ୍ଟାଲ ଧାନ ଓଡ଼ିଶାକୁ ପ୍ରବେଶ କରୁଛି। ସୋହେଲା, ପଦ୍ମପୁର ଏବଂ ଅମ୍ବାଭୋନା ବାଟେ ନିୟମିତ ଧାନ ବୋଝେଇ ଟ୍ରକ୍‌ ସୀମା ଅତିକ୍ରମ କରି ଓଡ଼ିଶା ଭିତରକୁ ଆସୁଛି ଏବଂ ସୀମାନ୍ତବର୍ତୀ ମିଲ୍‌ଗୁଡ଼ିକରେ ଧାନ ଗଚ୍ଛିତ ରହୁଛି। ଛତିଶଗଡ଼ରେ ଧାନକିଣା ଆରମ୍ଭ ହୋଇନାହିଁ। ସେଠାକାର ଚାଷୀଙ୍କୁ ବର୍ଷା ଭୟ ଘାରିଛି। ତେଣୁ ଅତି କମ୍‌ ଦରରେ ଛତିଶଗଡ଼ର ଚାଷୀମାନେ ଧାନ ବିକ୍ରି କରୁଛନ୍ତି। ସେଥିରୁ ପ୍ରଚୁର ମୁନାଫା ଉଠାଇବା ପାଇଁ ଓଡ଼ିଶାର ମିଲର୍ସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ବରଗଡ଼ ଜିଲ୍ଲାର ଚାଷୀଙ୍କୁ ଛାଡ଼ି ଏଠାକାର ମିଲର୍ସଙ୍କୁ ଛତିଶଗଡ଼ ପ୍ରେମ ଲାଗିଛି।

ଏଣେ ବରଗଡ଼ ଜିଲ୍ଲାରୁ ଧାନ ଉଠୁନଥିବାରୁ ମଣ୍ଡିରେ ଧାନ ଗଜା ହେବାକୁ ଲାଗିଲାଣି। ବରଗଡ଼ ବ୍ଲକ୍‌ ସମେତ ପଦ୍ମପୁର, ଝାରବନ୍ଧ ସମେତ ବିଭିନ୍ନ ବ୍ଲକରେ ସ୍ଥିତି ସଂଗିନ। ବରଗଡ଼ ଜିଲ୍ଲାରେ ପ୍ରାୟ ପ୍ରତିଦିନ ଝଡ଼ ପବନ ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଥିବାରୁ ଖୋଲା ଆକାଶ ତଳେ ପଡ଼ିଥିବା ଧାନ ଭିଜି ଭିଜି ଗଜା ହୋଇଗଲାଣି। ଜିଲ୍ଲା ଯୋଗାଣ ବିଭାଗ ହାତ ବାନ୍ଧି ବସିଥିବାରୁ ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଟ୍ୟାଗ୍‌ ମିଳୁନଥିବା ଦର୍ଶାଇ ମିଲର୍ସମାନେ ଫାଙ୍କୁଥିବାବେଳେ ଯୋଗାଣ ବିଭାଗ ଚତୁରତାର ସହ ଚାଷୀଙ୍କ ସହ ଖେଳ ଖେଳି ଚାଲିଛି। ରବି ଧାନ ସ˚ଗ୍ରହ ପାଇଁ ଜିଲ୍ଲାରେ ୧୧୭ଟି ମାର୍କେଟ ୟାର୍ଡ ରହିଛି। ବରଗଡ଼ ଆର୍‌ଏମ୍‌ସି ଅଧୀନ‌ରେ ୨୩ଟି ୟାର୍ଡ ଓ ୨୩ଟି ବିକ୍ରୟ କେନ୍ଦ୍ର, ଅତାବିରାରେ ୩୨ଟି ୟାର୍ଡ ଓ ୧୯ଟି ପିପିସି ତଥା ପଦ୍ମପୁରରେ ୫ଟି ୟାର୍ଡ ଏବ˚ ୧୫ ପିପିସିରେ ଧାନ କିଣା ଚାଲିଛି। ହେଲେ ମନ୍ଥର ପ୍ରକ୍ରିୟା ଯୋଗୁଁ ଚାଷୀକୁଳ ମୁଣ୍ଡରେ ହାତ ଦେଲେଣି। ବର୍ଷା ଯୋଗୁଁ ଧାନର ଆର୍ଦ୍ରତା ବଢ଼ୁଥିବାରୁ ଚାଷୀ କଟ୍‌ନି ଛଟ୍‌ନିର ଶିକାର ହେଉଛନ୍ତି। ସାଧାରଣ ଧାନ କ୍ବିଣ୍ଟାଲ ପିଛା ୧୭୫୦ ଟଙ୍କା ଏବ˚ ଗ୍ରେଡ-ଏ ଧାନର ସର୍ବୋଚ୍ଚ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୧୭୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ହେଲେ ଆର୍ଦ୍ରତା ଆଳରେ ଚାଷୀମାନେ ୧୩ଶହ ଟଙ୍କା ପର୍ଯ୍ୟନ୍ତ ଧାନ ବିକି ଦେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe