ଅଦିନିଆ ବର୍ଷା ଯୋଗୁଁ ଧାନକିଣା ବାଧାପ୍ରାପ୍ତ, ଦିନକରେ ସଂଗ୍ରହ ହେଉଛି ୨୦ ହଜାର କ୍ବିଣ୍ଟାଲ୍‌

Advertisment
ଅଦିନିଆ ବର୍ଷା ଯୋଗୁଁ ଧାନକିଣା ବାଧାପ୍ରାପ୍ତ, ଦିନକରେ ସଂଗ୍ରହ ହେଉଛି ୨୦ ହଜାର କ୍ବିଣ୍ଟାଲ୍‌

୨ସପ୍ତାହ ପରେ ପ୍ରଥମ ପର୍ଯ୍ୟାୟ ଟୋକନ୍‌ ଅବଧି ସରିବ
କ୍ରୟ ହୋଇଛି ମାତ୍ର ୩୦ ପ୍ରତିଶତ
ଗୋଦାମ ନଥିବାରୁ ବଢ଼ୁଛି ଚାଷୀ ଅସନ୍ତୋଷ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟାରେ ବାଧକ ସାଜିଛି ବର୍ଷା। ଅଦିନିଆ ବର୍ଷା ଯୋଗୁଁ ସମଗ୍ର ଜିଲ୍ଲାରେ ଧାନକ୍ରୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ଗତ କିଛିଦିନ ହେଲା ଦୈନିକ ମାତ୍ର ୧୮/୨୦ହଜାର କ୍ବିଣ୍ଟାଲ୍‌ ଧାନ ସଂଗ୍ରହ ହେଉଥିବା ସୂଚନା ମିଳିଛି। ସାଧାରଣ ଦିନରେ ଦୈନିକ ପ୍ରାୟ ୬୦ରୁ ୭୦ହଜାର କ୍ବିଣ୍ଟାଲ୍‌ ଧାନ ସଂଗ୍ରହ ହୋଇଥାଏ। ବର୍ଷା ଯୋଗୁଁ ଜିଲ୍ଲାରେ ଅଧିକାଂଶ ଚାଷୀ ଧାନ ଅମଳ କରିପାରିନଥିବା ଯୋଗୁଁ ଏହାର ପ୍ରଭାବ ଧାନକିଣା ପ୍ରକ୍ରିୟା ଉପରେ ପଡ଼ିଛି। କାଁ ଭାଁ ଜିଲ୍ଲାର କିଛି
ମଣ୍ଡିରେ ଧାନ ଆସୁଥିବା ବେଳେ ଜାନୁଆରି ମାସ ମଧ୍ୟଭାଗରେ ଯେଭଳି ଧାନ କ୍ରୟ ହେବା କଥା, ତାହା ହୋଇପାରୁନାହିଁ। ଅନ୍ୟପକ୍ଷରେ ମଣ୍ଡି ଗୁଡ଼ିକରେ ଧାନ ସଂରକ୍ଷିତ ରଖିବା ପାଇଁ ଆବଶ୍ୟକ ଅନୁସାରେ ଗୋଦାମ ଗୃହ ନାହିଁ। ଏଣୁ ମଣ୍ଡିକୁ ଧାନ ନେବା ପାଇଁ ଚାଷୀମାନେ ଭୟ କରୁଛନ୍ତି। ଧାନ ପାଣିରେ ଭିଜିଗଲେ ତାହା କ୍ରୟ କରାଯାଉ ନାହିଁ। ପରିସ୍ଥିତି ଏଭଳି ହୋଇଛି ଯେ, ଚାଷୀ ନିଜ ଅର୍ଜିତ ଧାନକୁ ଗଚ୍ଛିତ ରଖି ପାରୁନାହାନ୍ତି କି ବିକ୍ରି କରିପାରୁ ନାହାନ୍ତି। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଗୋଦାମ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଗଞ୍ଜାମ ଜିଲ୍ଲାରେ ଗତ ଡିସେମ୍ବର ୨୯ତାରିଖରୁ ଧାନମଣ୍ଡି ଖୋଲିଛି। ଜିଲ୍ଲାର ଅଧିକାଂଶ ବ୍ଲକରେ ମଣ୍ଡି ଉଦ୍‌ଘାଟିତ ହୋଇଛି। କିନ୍ତୁ ଅଧିକାଂଶ କେନ୍ଦ୍ରରେ ଧାନକ୍ରୟ କରାଯାଉ ନାହିଁ। ଏପରିକି ମଣ୍ଡିରେ ନାନା ଅବ୍ୟବସ୍ଥା ଲାଗି ରହିଥିବା ନେଇ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି। ଫଳରେ ଟୋକନ୍‌ ଆସିଥିବା ଚ‌ାଷୀ ଧାନ ବିକ୍ରି କରିନପାରି ଅପେକ୍ଷା କରି ରହିଛନ୍ତି। ଜିଲ୍ଲାରେ ୪୪୦ଟି ଧାନ ସଂଗ୍ରହ କେନ୍ଦ୍ର ରହିଛି। ଆଜି ସୁଦ୍ଧା ୪ହଜାର ୬୮୭ଜଣ ଚାଷୀଙ୍କ ଠାରୁ ଜିଲ୍ଲାରେ ପ୍ରାୟ ୨ଲକ୍ଷ ୪୫ହଜାର ୭୨୩ କ୍ବିଣ୍ଟାଲ୍‌ ଧାନ କିଣାଯାଇଥିବା ସୂଚନା ମିଳିଛି। ଧାନ ବିକ୍ରି ପାଇଁ ପ୍ରଥମ ଦଫାରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୮ହଜାର ଚାଷୀଙ୍କ ନିକଟକୁ ଟୋକନ୍‌ ଆସିଛି। ଏହି ଚାଷୀଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୯ଲକ୍ଷ ୬୨ହଜାର କ୍ବିଣ୍ଟାଲ୍‌ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ରହିଛି। ପ୍ରଥମ ପର୍ଯ୍ୟାୟରେ ଟୋକନ୍‌ ପାଇଥିବା ଚ‌ାଷୀଙ୍କ ନିକଟରେ ଆଉ ମାତ୍ର ୨ସପ୍ତାହ ସମୟ ରହିଛି। ଏହାପରେ ସେମାନଙ୍କର ଟୋକନ୍‌ ରଦ୍ଦ ହୋଇଯିବ। ଫଳରେ ସେମାନେ ଆଉ ଧାନ ବିକ୍ରି କରିପାରିବେ ନାହିଁ। ପ୍ରଥମ ଦଫାରେ ୧୫ଦିନ ମଧ୍ୟରେ ମାତ୍ର ୨ଲକ୍ଷ ୪୫ହଜାର ୭୨୩ କ୍ବିଣ୍ଟାଲ୍‌ କ୍ରୟ କରାଯାଇଛି। ଯାହାକି ଧାର୍ଯ୍ୟ ଟାର୍ଗେଟ ଠାରୁ ୩୦ ପ୍ରତିଶତ ମଧ୍ୟ କ୍ରୟ ହୋଇ ନାହିଁ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଶତ ପ୍ରତିଶତ ଟାର୍ଗେଟ ପୂରଣ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏଣୁ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବା ସହିତ ପ୍ରତ୍ୟେକ ମଣ୍ଡିକୁ ଦୈନିକ ୧ହଜାର କ୍ବିଣ୍ଟାଲ୍‌ ଧାନ କ୍ରୟ କରିବାକୁ ଟାର୍ଗେଟ ଦିଆଯାଉ ବୋଲି ସମ୍ପାଦକ ନାହାକ କହିଛନ୍ତି। ପ୍ରତି ଗାଁରେ ଚାଷୀ କମିଟି ଗଠନ କରି ସମସ୍ତ ଧାନ କିଣିବାକୁ ଦାବି କରାଯାଇଛି।

ଗଞ୍ଜାମ ଜିଲ୍ଲାରେ ୧୧ତାରିଖ ସୁଦ୍ଧା ପ୍ରାୟ ୧ଲକ୍ଷ ୯୧ହଜାର କ୍ବିଣ୍ଟାଲ୍‌ ଧାନ କିଣାଯାଇଥିଲା। ବର୍ଷା ଯୋଗୁଁ ଗତ ୧୨ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ବାଧାପାପ୍ତ ହୋଇ ଦୈନିକ ମାତ୍ର ୧୮/୨୦ହଜାର କ୍ବିଣ୍ଟାଲ୍‌ ସଂଗ୍ରହ ହେଉଛି। ପାଗ ଶୁଖିଲା ପରେ ପୁଣିଥରେ ଧାନକ୍ରୟ ପ୍ରକ୍ରିୟା ସ୍ବାଭାବିକ ହେବ ବୋଲି ଅନୁମାନ କରାଯାଉଛି। ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀ ବିକ୍ରି ପାଇଁ ଗଚ୍ଛିତ ରଖିଥିବା ଧାନ ଭିଜି ନଷ୍ଟ ହୋଇଯାଇଛି। ଏଣୁ ଧାନ କ୍ରୟ ସମୟରେ ଏଫ୍‌ଏକ୍ୟୁ ମାନକୁ କୋହଳ କରିବା ପାଇଁ ଋଷିକୁଲ୍ୟା ରୟତ ମହାସଭା ତରଫରୁ ଦାବି ହୋଇଛି। ଜିଲ୍ଲାରେ ଥିବା ୪୪୦ଟି ଧାନ ସଂଗ୍ରହ କେନ୍ଦ୍ର ମଧ୍ୟରୁ ପ୍ରାୟ ୨୭୩ଟି ମଣ୍ଡିରେ ଗୋଦାମ ବ୍ୟବସ୍ଥା ରହିଥିବା ସୂଚନା ମିଳିଛି। କିନ୍ତୁ ତାହା ପର୍ଯ୍ୟାପ୍ତ ହୋଇପାରୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe