ବଡ଼ମାଳ ଫାଣ୍ଡିରେ ତୁମୁଳକାଣ୍ଡ: ଫାଣ୍ଡି ଅଧିକାରୀ, କନେଷ୍ଟବଳଙ୍କୁ ଆକ୍ରମଣ

ବଲାଙ୍ଗୀର ଜିଲ୍ଲାରେ ଆପରାଧିକ କାର୍ଯ୍ୟକଳାପ ଚରମ ସୀମାରେ ପହଞ୍ଚିଛି। ପୁଲିସ ଅପରାଧ ଓ ନିଶା କାରବାର ମୂଳପୋଛ କରିବାକୁ ବିଭିନ୍ନ ମିସନ୍‌ ହାତକୁ ନେଉଛି। ଅଥଚ, ଏଠାରେ ପୁଲିସକୁ ଆକ୍ରମଣ ହେଉଛି।

hfshhfhf

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆପରାଧିକ କାର୍ଯ୍ୟକଳାପ ଚରମ ସୀମାରେ ପହଞ୍ଚିଛି। ପୁଲିସ ଅପରାଧ ଓ ନିଶା କାରବାର ମୂଳପୋଛ କରିବାକୁ ବିଭିନ୍ନ ମିସନ୍‌ ହାତକୁ ନେଉଛି। ଅଥଚ, ଏଠାରେ ପୁଲିସକୁ ଆକ୍ରମଣ ହେଉଛି। ତାହା ପୁଣି ଫାଣ୍ଡି ଭିତରେ। ଉଦ୍‌ବେଗଜନକ କଥା ହେଲା, ଏହି ମାମଲାରେ କୌଣସି ବଡ଼ ଅଧିକାରୀ ମୁହଁ ଫିଟାଉନାହାନ୍ତି। କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇନାହିଁ। ଘଟଣାଟି ଚାରି ଦିନ ତଳେ ଘଟିଛି ସଇନ୍ତଳା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡିରେ। ଫାଣ୍ଡି ଭିତରେ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ଓ କନେଷ୍ଟବଳ ତପନେ ନାଗଙ୍କୁ ଆକ୍ରମଣ ହୋଇଛି। ଫାଣ୍ଡି ଭିତରକୁ ପଶି କିଛି ଦୁର୍ବୃତ୍ତ ପୁଲିସକୁ ମାଡ଼ ମାରି ଆଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଫାଣ୍ଡିକୁ ସଶସ୍ତ୍ର ଯବାନ ପହଞ୍ଚି ଘେରି ଯାଇଥିଲେ। କିନ୍ତୁ ଆକ୍ରମଣକାରୀଙ୍କ ବିରୋଧରେ ଏଯାଏଁ କିଛି କାର୍ଯ୍ୟାନୁଷ୍ଠାନ ନହେବା ଆଶ୍ଚର୍ଯ୍ୟ କରୁଛି। 

କାହା ଚାପରେ ପୁଲିସ ଚୁପ୍‌?
ମୁହଁ ଖୋଲୁନାହାନ୍ତି ଅଧିକାରୀ, ଗିରଫଦାରି ଶୂନ

ଭିତିରିଆ ଖବର ଅନୁସାରେ, ବଡ଼ମାଳ ଗୋଳାବାରୁଦ କାରଖାନା ଭିତରେ ଥିବା ସ୍ୱିପରପଡ଼ାର ଜଣେ ନାବାଳିକାଙ୍କୁ ଅସଦାଚରଣ ହୋଇଥିଲା। ନାବାଳିକାଙ୍କ ବାପା ସଇନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହାକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ନେତାଙ୍କ ଭାଇ ଫାଣ୍ଡିକୁ ଯାଇ ଗାଳିଗୁଲଜ କରି ଧମକ ଦେଇଥିଲେ। ଫାଣ୍ଡି ଭିତରେ ପୁଲିସକୁ ଆକ୍ରମଣ ଘଟଣା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ଏହାକୁ ଉଡ଼ାଇ ଦେବାକୁ ମଧ୍ୟ ପୁଲିସକୁ କୁହାଯାଉଥିବା ଗୋଟିଏ ମୋବାଇଲ୍‌ କ୍ଲିପ୍‌ରେ ଦେଖିବାକୁ ମିଳୁଛି। ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବା ବ୍ୟକ୍ତି ନାମରେ ଆଗରୁ ଅନେକ ମାମଲା ଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ଟିଟିଲାଗଡ଼ ଏସ୍‌ଡିପିଓ ଯଶୋବନ୍ତ ପ୍ରଧାନୀ ମାମଲାର ତଦନ୍ତ ଚାଲିଛି ବୋଲି ଏକ ହାଲୁକା ପ୍ରତିକ୍ରିୟା ରଖିଛନ୍ତି। ଆକ୍ରମଣର ଶିକାର ଫାଣ୍ଡି ଅଧିକାରୀ କିଛି କହିବାକୁ କୁଣ୍ଠିତ। ପୁଲିସ କାହିଁକି ନିଜ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ ଧରୁନାହିଁ? କାହା ଚାପରେ ପୁଲିସ ଚୁପ୍‌ ରହିଛି? ଆକ୍ରମଣକାରୀଙ୍କ ମୁଣ୍ଡରେ କାହାର ହାତ ରହିଛି? ଏସବୁ ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି। ତେବେ ପୁଲିସର ନିରବତା ଓ ଅସହାୟତାକୁ ତୀବ୍ର ସମାଲୋଚନା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe