ବିଲରେ ଶୋଇଲା ପାଚିଲା ଧାନ

Advertisment

ବର୍ଷା ସାଜିଲା ବଇରି, ଚିନ୍ତାରେ ଗେଣ୍ଡୁଫୁଲ ଚାଷୀ

ବର୍ଷା ସାଜିଲା ବଇରି, ଚିନ୍ତାରେ ଗେଣ୍ଡୁଫୁଲ ଚାଷୀ

ବିଲରେ ଶୋଇଲା ପାଚିଲା ଧାନ

ବାଲିପାଟଣା/ବାଲିଅନ୍ତା: ବାତ୍ୟା ଜୱାଦର ପ୍ରଭାବ ହ୍ରାସ ପାଇଛି। ଝଡ଼ ବତାସ ଭଳି ପବନ ନାହିଁ, କିନ୍ତୁ ବର୍ଷା ସାଜିଛି ବଇରି। ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳର ଗହୀର ସାରା ସବୁ ବିଲରେ ପାଚିଲା ଧାନ ଗଛ ଶୋଇପଡ଼ିଛି। ପାଣିରେ ଧାନକେଣ୍ଡା ବୁଡ଼ି ରହିଛି। ଠାଏ ଠାଏ ଗଛରେ ଥାଇ ବି ଧାନକେଣ୍ଡାରେ ଗଜା ହୋଇଗଲାଣି। ଧାନ ସାଙ୍ଗକୁ ପରିବା କିଆରୀ ଅବସ୍ଥା ବି ସମାନ। ଲତାଜାତୀୟ ପରିବା ଗଛ ପାଣିରେ ବୁଡ଼ି ସଢ଼ିବା ଅବସ୍ଥାକୁ ଗଲାଣି। ଖୁବ୍‌ କମ୍ ଚାଷୀ ପା‌ଖ ଛୋଟ ଛୋଟ ଜମିରୁ ଧାନ କାଟି ବୋହିଛନ୍ତି ଓ ପଲିଥିନ ଘୋଡ଼ାଇ ସାଇତିଛନ୍ତି।

କିନ୍ତୁ ଗହୀର ସାରା ପାଚିଲା ଧାନ ପାଣି‌ଲେ ଲୋଟିଛି। ତେଣୁ ଜୟଦେବ ନିର୍ବାଚନ ମଣ୍ଡଳୀର ଏହି ଦୁଇ ବ୍ଲକର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତେବେ ଭୟରେ ଅଛନ୍ତି ବାଲିଅନ୍ତା ବ୍ଲକର ଗେଣ୍ଡୁଫୁଲ ଚାଷୀ। ଅଧିକ ରୋଜଗାର ଆଶାରେ ଧାରକରଜ କରି ଗେଣ୍ଡୁ ଚାଷ କରିଥିବା ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଯଦି ଅଧିକ ବର୍ଷା ହୁଏ, ତେବେ ପାଣିରେ ଚାରା ଓ ଛୋଟ ଗଛ ସବୁ ନଷ୍ଟ ହେବା ସହ ସେମାନଙ୍କ ପୁଞ୍ଜି ଓ ପରିଶ୍ରମ ପାଣିରେ ଧୋଇଯିବ ବୋଲି ସେମାନେ ମୁଣ୍ଡରେ ହାତଦେଇଛନ୍ତି।

ଶୁକ୍ରବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଛି। ରାତି ତମାମ୍‌ ତୁହାକୁ ତୁହା ବର୍ଷୁଛି। ବାଲିପାଟଣାରେ ୧୪.୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ତେଣୁ ଗହୀରରେ ସବୁ ବିଲରେ ପାଣି ଜମି ରହିଛି। ପାଚିଲା ଧାନକେଣ୍ଡା ବର୍ଷାରେ ଭିଜିବାରୁ ସ୍ବତଃ ଶୁଖିବାକୁ ବସିଥିବା ଧାନ ଗଛ ସବୁ ଶୋଇପଡ଼ିଛି। ମଝିରେ ମଝିରେ ପବନ ମାଡ଼ ବି ହେଉଛି ଓ ସଳଖ ଥିବା ଧାନଗଛକୁ ମୋଡ଼ି ଶୁଆଇ ଦେଉଛି। ଫଳରେ ପାଚିଲା ଧାନକେଣ୍ଡା ପାଣିରେ ବୁଡ଼ିରହିଛି। କିଛି ଜମିରେ କେଣ୍ଡାରୁ ଗଜା ବାହାରିବା ଦେଖିବାକୁ ମିଳିଛି।

କିଛି ଜମିରେ ଗଛରୁ ଧାନକେଣ୍ଡା ଛିଡ଼ିଗଲାଣି। ବିଶେଷକରି ଅଧିକ ଅମଳକ୍ଷମ ଶାରଳା ଭଳି ସରୁ ଧାନ ଝଡ଼ିପଡ଼ିଲାଣି। ବର୍ଷା ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି କୃଷି ଅଧିକାରୀ କହିଛନ୍ତି। ସେହିପରି ଲଗାଣ ବର୍ଷାରେ ପରିବା ଚାଷ ବି‌ଶେଷକରି କୋବି ଚାଷ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଛାଡ଼ିବା ପରେ ଉଦ୍ୟାନ ବିଭାଗ ପକ୍ଷରୁ ମଧ୍ୟ କ୍ଷୟକ୍ଷତି ଆକଳନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe