ଦଶପଲ୍ଲା: ବର୍ଷବର୍ଷ ଧରି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଦଶପଲ୍ଲା ବ୍ଲକ୍ର ଉପାନ୍ତ ତଥା ଆଦିବାସୀ ବହୁଳ ପଞ୍ଚାୟତବାସୀଙ୍କ ପାଇଁ ଏବେ ଆମ୍ବୁଲାନ୍ସ ସେବା ପ୍ରମୁଖ ସମସ୍ୟା ସୃଷ୍ଟି କରିଛି। ଜରୁରୀକାଳୀନ ପରିସ୍ଥିତିରେ ମିଳିପାରୁନି ଆମ୍ବୁଲାନ୍ସ ସେବା। ଗୁରୁତର ରୋଗୀ ହୁଅନ୍ତୁ କି ଗର୍ଭବତୀ ମହିଳାଙ୍କୁ ଜରୁରୀ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବାକୁ ହେଲେ ଘଣ୍ଟାଘଣ୍ଟା ବିତି ଯାଉଛି, ହେଲେ ଠିକଣା ସମୟରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଫଳରେ କିଏ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଆଖି ବୁଜୁଛି ତ ପୁଣି କିଏ ସଂକଟାପନ୍ନ ହେଉଛି। କିଛିଦିନ ତଳେ ଚଡ଼େୟାପଲ୍ଲୀ ପଞ୍ଚାୟତ ସାନ ସିକରପଙ୍ଗା ଗ୍ରାମର ଗୋପବନ୍ଧୁ ଜାନୀଙ୍କୁ ଗୁରୁତର ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା। ଅପରାହ୍ଣ ପ୍ରାୟ ୫ଟାରୁ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ ରାତି ପାହି ସକାଳ ହୋଇଗଲା ସିନା ଆମ୍ବୁଲାନ୍ସ ପହଞ୍ଚି ପାରିଲାନାହିଁ। ଦଶପଲ୍ଲା ଓ ବାଣିଗୋଛାରେ ଆମ୍ବୁଲାନ୍ସ ମହଜୁଦ ନଥିବା ବେଳେ ଅନ୍ୟ ସ୍ଥାନରୁ ଆସିବାକୁ ହେଲେ ୬୦ କିମିରୁ ଅଧିକ ହେଉଥିବା କହି କୌଣସି ଆମ୍ବୁଲାନ୍ସ ଆସିନଥିବା ଡିୱାଇଏଫ୍ଆଇର ଚଡ଼େୟାପଲ୍ଲୀ ପଞ୍ଚାୟତ ସମ୍ପାଦକ ଶ୍ରୀନିବାସ ନାୟକ କହିଛନ୍ତି। ଶେଷରେ ସକାଳୁ ଅଟୋ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ପଡ଼ିଥିବା କହିଛନ୍ତି।
ରୋଗୀଙ୍କ ପାଇଁ ଖଟିଆ ଭରସା
ଖତ ହେଉଛି ସାଂସଦ ଉନ୍ନୟନ ପାଣ୍ଠି ଆମ୍ବୁଲାନ୍ସ
ଏଭଳି ଗୋଟିଏ ଘଟଣା ନୁହେଁ, ଅଧିକାଂଶ ସମୟରେ ଆମ୍ବୁଲାନ୍ସ ପାଇଁ ସ୍ଥାନୀୟ ଅଧିବାସୀ ବହୁ ସମସ୍ୟା ଭୋଗୁଛନ୍ତି। ବିଶେଷକରି ଦଶପଲ୍ଲା ବ୍ଲକ୍ର ଚଡ଼େୟାପଲ୍ଲୀ, କଳସାଖମଣ, ନୂଆଗାଁ, ଦୁଡ଼ା ଏବଂ ପୋଖରୀଗୋଛା ପଞ୍ଚାୟତର ଅଧିକାଂଶ ଗ୍ରାମ ଦୁର୍ଗମ। ଏସବୁ ଗାଁକୁ ମୋବାଇଲ ସେବା ଅପହଞ୍ଚ ହୋଇ ରହିଥିବା ବେଳେ ଯାତାୟାତ ପାଇଁ ଭଲ ରାସ୍ତାଖଣ୍ଡେ ନାହିଁ। ଯାହାକି ବଣପାହାଡ଼ଘେରା ଅଞ୍ଚଳର ରୋଗୀଙ୍କୁ ଠିକଣା ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ନେଇ ନାନା ସମସ୍ୟା ସୃଷ୍ଟି ହେଉଛି। କେଉଁଠି ଖଟିଆରେ ବୁହା ହେଉଛି ତ ପୁଣି କେଉଁଠି ଦୋଳାରେ ରୋଗୀଙ୍କୁ ଆଣିବାକୁ ପଡ଼ୁଥିବାର ଅନେକ ନଜିର୍ ରହିଛି। ଏସବୁ ମଧ୍ୟରେ ୬୦ରୁ ୭୦ କିମି ଦୂର ଅତିକ୍ରମ କରି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ସମ୍ଭବ ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି ଗତ ୨୦୨୨ ମସିହାରେ କନ୍ଧମାଳର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ସାଂସଦ ଉନ୍ନୟନ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।
ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଥିଲା। ଏହା ପରେ କିଛିମାସ ପର୍ଯ୍ୟନ୍ତ ଚଡ଼େୟାପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ରହିବା ସହ ଲୋକଙ୍କୁ ସେବା ଯୋଗାଇ ଆସିଥିଲା। ହେଲେ ଏହାର ରକ୍ଷଣାବେକ୍ଷଣ ଅଭାବ ନେଇ ଏହା ଏବେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଛପାଖରେ ପଡ଼ିରହି ଖତ ହେଉଛି। ବଡ଼କଥା ହେଉଛି ଏହି ଆମ୍ବୁଲାନ୍ସର ଏଯାଏଁ କୌଣସି ନମ୍ବର ହୋଇନାହିଁ। ତୁରନ୍ତ ଉକ୍ତ ପଞ୍ଚାୟତବାସୀଙ୍କ ପାଇଁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିବା ବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ତୁରନ୍ତ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଡିୱାଇଏଫ୍ଆଇର ଚଡ଼େୟାପଲ୍ଲୀ ପଞ୍ଚାୟତ ସମ୍ପାଦକ ଶ୍ରୀ ନାୟକ ଦାବି କରିଛନ୍ତି।
Follow Us