ପାହାଳ ମିଠା ଉପରେ ମହଙ୍ଗା ମାଡ଼: ବଢ଼ିଲା ରସଗୋଲା, ଛେନାଗଜା, ଛେନାପୋଡ଼ ଦର

Advertisment
ପାହାଳ ମିଠା ଉପରେ ମହଙ୍ଗା ମାଡ଼: ବଢ଼ିଲା ରସଗୋଲା, ଛେନାଗଜା, ଛେନାପୋଡ଼ ଦର

YouTube

ଆକାର ଛୋଟ ପାଇଁ ଗ୍ରାହକମହଲରେ ଅସନ୍ତୋଷ
ଅଭିଯୋଗକୁ ରସଗୋଲା ବ୍ୟବସାୟୀ ସଂଘର ଖଣ୍ଡନ

ଭୁବନେଶ୍ବର : ପାହାଳ ମିଠା ଉପରେ ମହଙ୍ଗା ମାଡ଼। ଦୀର୍ଘ ଦିନ ପରେ ଓଡ଼ିଶାର ‘ରସଗୋଲା’ ହବ୍‌ କୁହାଯାଉଥିବା ପାହାଳ ବଜାରରେ ମିଠାର ଦର ପରିବର୍ତ୍ତନ ହୋଇଛି। କ୍ରମାଗତ ଭାବେ ସବୁ ଖାଉଟି ସାମଗ୍ରୀର ଦରଦାମ୍‌ ବଢ଼ୁଥିବା ବେଳେ ପାହାଳ ମିଠା ଏଥିରୁ ବର୍ତ୍ତିପାରିନି। କ୍ଷୀର ଦରବୃଦ୍ଧି ଯୋଗୁଁ ଛେନା ଦରରେ ବୃଦ୍ଧି ଘଟିଛି ଓ ଏହାର ପ୍ରତ୍ୟକ୍ଷ ପ୍ରଭାବ ମିଠା ବଜାର ଉପରେ ପଡ଼ିଛି। ଫଳରେ ପାହାଳ ‌ରସଗୋଲା ବ୍ୟବସାୟୀ ସଂଘ ପକ୍ଷରୁ ମିଠାଦର ବୃଦ୍ଧି କରାଯାଇଛି। ଅପରପକ୍ଷେ ଦରବୃଦ୍ଧି କରିବା ସହ ବ୍ୟବସାୟୀମାନେ ମିଠାର ଆକାର ଛୋଟ କରି ଦେଇଥିବା ଗ୍ରାହକମହଲରେ ଅଭିଯୋଗ ହୋଇଛି।

publive-image fooddrifter.in

ସୂଚନା ଅନୁସାରେ, ପାହାଳରେ ମିଠା ବ୍ୟବସାୟ କରୁଥିବା କିଛି ବ୍ୟବସାୟୀ ନିଜେ କ୍ଷୀରରୁ ଛେନା ପ୍ରସ୍ତୁତ କରୁଥିବା ବେଳେ ଆଉ କିଛି ଛେନା କିଣି ମିଠା ତିଆରି କରନ୍ତି। ମିଠାର ଚାହିଦା ଅନୁସାରେ ବଜାରରେ ପର୍ଯ୍ୟାପ୍ତ ପରିମାଣର ଗାଈ କ୍ଷୀର ମିଳୁ ନଥିବାରୁ କିଛି ବ୍ୟବସାୟୀ ବାଧ୍ୟ ହୋଇ ଓମ୍‌ଫେଡ୍‌ କ୍ଷୀର କିଣି ଛେନା ପ୍ରସ୍ତୁତ କରନ୍ତି। ତେଣୁ କ୍ଷୀର ଦର ବୃଦ୍ଧି ହୋଇଥିବାରୁ ଛେନାର ମୂଲ୍ୟ ମଧ୍ୟ ଅନୁରୂପ ଭାବେ ବଢ଼ି ଯାଇଛି। ଛେନା ଦର କିଲୋ ପ୍ରତି ୧୦ଟଙ୍କା ବଢ଼ିଥିବା ଛେନା ବ୍ୟବସାୟୀଙ୍କ ପକ୍ଷରୁ ସୂଚନା ମିଳିଛି। ତେଣୁ ଯେଉଁ ରସଗୋଲା ପୂର୍ବରୁ ୫ଟଙ୍କା ଥିଲା, ତାହା ୬ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୧୦ଟଙ୍କା ମିଠା ୧୨ଟଙ୍କା, ଛେନାଗଜା ଏକ କିଲୋ ୧୮୦ ଟଙ୍କ‌ା ଏବଂ ଛେନାପୋଡ଼ କିଲୋ ପିଛା ୨୫୦ଟଙ୍କାରେ ବିକ୍ରି ହେବ ବୋଲି ସଂଘ ପକ୍ଷରୁ ଦର ଧାର୍ଯ୍ୟ କରାଯାଇଛି।
ଏହି ଦର ଗତକାଲିଠାରୁ ଲାଗୁ କରାଯାଇଛି।

ତେବେ ଏହାକୁ ନେଇ ଗ୍ରାହକମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାହକଙ୍କ ଅଭିଯୋଗ, ଛେନା ଦରବୃଦ୍ଧି ପରେ ବ୍ୟବସାୟୀମାନେ ମିଠାର ଆକାର ଛୋଟ କରି ଦେଇଛନ୍ତି। ଏ ସଂପର୍କରେ ପାହାଳ ରସଗୋଲା ସଂଘର ସଭାପତି ଅକ୍ଷୟ ଲେଙ୍କା କହିଛନ୍ତି, ଦରବୃଦ୍ଧି ହୋଇଛି। କିନ୍ତୁ ଆକାରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe