ଧାନ ଉତ୍ପାଦନ ୩୫% ହ୍ରାସ ଆଶଙ୍କା

Advertisment

ନୂଆଁଖାଇରେ ନୂଆ ଧାନ କେଣ୍ଡା ମିଳିବା ନେଇ ଅନିଶ୍ଚିତତା, କ୍ଷୟକ୍ଷତି ଆକଳନ ନିର୍ଦେଶ, ୧୯ ପରେ ସ୍ଥିତି ଜଟିଳ ହୋଇପାରେ

ନୂଆଁଖାଇରେ ନୂଆ ଧାନ କେଣ୍ଡା ମିଳିବା ନେଇ ଅନିଶ୍ଚିତତା, କ୍ଷୟକ୍ଷତି ଆକଳନ ନିର୍ଦେଶ, ୧୯ ପରେ ସ୍ଥିତି ଜଟିଳ ହୋଇପାରେ

ଧାନ ଉତ୍ପାଦନ ୩୫% ହ୍ରାସ ଆଶଙ୍କା

Colourbox

ଭୁବନେଶ୍ବର : ଜୁନ, ଜୁଲାଇ ଏବଂ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ବର୍ଷା ଅଭାବରୁ ୪ ଲକ୍ଷ ହେକ୍ଟର ଜମିରେ ଚାଷ ପଛେଇ ଯାଇଥିଲା। ଆଶା ଥିଲା, ବର୍ଷା ହେଲେ ଉତ୍ପାଦନ ସ୍ବାଭାବିକ ହେବ। ମାତ୍ର ମାତ୍ରାଧିକ ବର୍ଷା ଏବଂ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଧାନ ଉତ୍ପାଦନ ପ୍ରାୟ ୩୦ରୁ ୩୫ ପ୍ରତିଶତ ହ୍ରାସ ପାଇବା ନେଇ ଆଶଙ୍କା କରିଛନ୍ତି କୃଷି ବୈଜ୍ଞାନିକ ପ୍ରଫେସର ଏସ.ଆର ଦାସ। ସ୍ଥିତି ଏଭଳି ହୋଇଛି ନୂଆଁଖାଇରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନବାନ୍ନ ଲାଗି ଧାନ କେଣ୍ଡା ପାଇଁ ମଧ୍ୟ ନାକେଦମ ହୋଇ ପାରନ୍ତି। ହୀରାକୁଦ ଜଳଭଣ୍ଡାରର ୪୦ ଗେଟ୍‌ ଖୋଲି ଦିଆଯିବା ପରେ ସ୍ଥିତି ଆହୁରି ଜଟିଳ ହୋଇ ପଡ଼ିଛି।

ରାଜ୍ୟ କୃଷି ବିଭାଗରୁ ମିଳୁଥିବା ତଥ୍ୟ ଅନୁସାରେ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ ଖୋର୍ଧା ଜିଲ୍ଲାରେ ବନ୍ୟା ସ୍ଥିତି ରହିଛି। ତେଣୁ ସେଠାରେ ଫସଲ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଆନୁମାନିକ ରିପୋର୍ଟ ଅନୁସାରେ, ରାଜ୍ୟରେ ୭୮,୫୮୦ ହେକ୍ଟର ଫସଲ ପାଣି ଘେରରେ ରହିଥିବା କୁହାଯାଉଛି। ଏଥିରୁ ୫ ହଜାର ହେକ୍ଟର ପରିବା ଫସଲ ରହିଥିବା କୁହାଯାଉଛି। କଟକ ପ୍ରଶାସନର ସୂଚନା ଅନୁସାରେ, ଜିଲ୍ଲାର ୨୭,୭୬୦ ହେକ୍ଟର ଧାନ, ୭୮୮୩ ହେକ୍ଟର ଅଣଧାନ ପାଣି ଘେରରେ ରହିଛି। ବାଙ୍କି, ଡମପଡ଼ା, ତିଗିରିଆ, ନରସିଂହପୁର, ବଡ଼ମ୍ବା ସମେତ ବିଭିନ୍ନ ବ୍ଲକର ଏକର-ଏକର ଫସଲ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି। ଜଗତସିଂହପୁର ଜିଲ୍ଲାର ୧୪,୨୩୬ ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି। ଖୋର୍ଧା ଜିଲ୍ଲାର ବାଲିପାଟଣାର ୨ ହଜାର ହେକ୍ଟର ଫସଲ ନଷ୍ଟର ଆକଳନ କରାଯାଉଛି। ସମୁଦାୟ ଖୋର୍ଧା ଜିଲ୍ଲାର ପ୍ରାୟ ୫ ହଜାରରୁ ଅଧିକ ଫସଲ ବୁଡ଼ି ରହିଛି। ପୁରୀ ଜିଲ୍ଲାରେ ଉଭୟ ଧାନ, ଅଣଧାନ ପ୍ରଭାବିତ ହେବା ନେଇ ସ୍ପଷ୍ଟ ରହିଛି। କେନ୍ଦ୍ରାପଡ଼ାର ସ୍ଥିତି ମଧ୍ୟ ସେହିଭଳି ରହିଛି। ଫସଲ ପ୍ରଭାବିତ ହେବାର ଏହା ପ୍ରକୃତ ତଥ୍ୟ ନୁହେଁ। ପାଣି ନିଷ୍କାସନ ପରେ ଆଖି ଦେଖା ରିପୋର୍ଟ ଦାଖଲ ହେବ ଏବଂ ପରବର୍ତ୍ତୀ ସମୟରେ ଅର୍ଥାତ ୭ରୁ ୧୫ ଦିନ ମଧ୍ୟରେ ପ୍ଲଟ ଓ୍ବାରି ଆକଳନ ହେବ। ୧୯ ତାରିଖରେ ବଡ଼ ଲଘୁଚାପର ପୂର୍ବାନୁମାନ ଥିବାରୁ ଚାଷୀ ପାଇଁ ସ୍ଥିତି କ’ଣ ହେବ ବର୍ତ୍ତମାନ ଠାରୁ କୁହାଯାଇ ପାରିବ ନାହିଁ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

କୃଷି ବୈଜ୍ଞାନିକଙ୍କ ଅନୁସାରେ, ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ରୋପଣ ସରିଯିବା ଉଚିତ। ନୂଆଁଖାଇ ବେଳକୁ ଢିପ ଜମିର ସଅଳ କିସମ ଅର୍ଥାତ ୭୦ରୁ ୧୦୦ ଦିନିଆ ଧାନ ପାଚିଯିବା କଥା। ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଧାନ ରୁଆ ମଧ୍ୟ ହୋଇ ପାରିବ ନାହିଁ। ଏଥିଯୋଗୁଁ ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ସୋନପୁର, ବରଗଡ଼ ଚାଷ ବିଶେଷ ପ୍ରଭାବିତ ହୋଇପାରେ। ଚାଷ ବିଳମ୍ବିତ ହେବା ଯୋଗୁଁ କେଉଁଠି ରୋପଣ ସରି ନାହିଁତ ଆଉ କେଉଁଠି ରୋପଣ କିଛି ଦିନ ପୂର୍ବରୁ ସମାପ୍ତ ହୋଇଛି। ପାଣି ଜମି ରହିବା ଯୋଗୁଁ ବର୍ତ୍ତମାନ ଧାନର ପିଲ ଧାରଣ କ୍ଷମତା ହ୍ରାସ ପାଇବ ଏବଂ ଗଛ ସଢିଯିବା ନେଇ ମଧ୍ୟ ଆଶଙ୍କା ରହିଛି। ଧାନ ଜୁନ, ଜୁଲାଇରେ ଯେତେବେଳେ ବର୍ଷାର ଦରକାର ସେତେବେଳେ ବର୍ଷା ହେଲା ନାହିଁ, ଖରା ଆବଶ୍ୟକ ସମୟରେ ବିପରୀତ ପରିସ୍ଥିତି ସୃଷ୍ଟି ହେଉଛି। କଟକ, ପୁରୀ, ବାଲେଶ୍ବର, କେନ୍ଦ୍ରାପଡ଼ା ଏବଂ ଗଞ୍ଜାମରେ ବଢ଼ି ପାଣି ଯୋଗୁଁ ଧାନ ଭଲ ଭାବରେ ହୋଇ ପାରିବ ନାହିଁ। ଆଉ ଥରେ ବୁଣିଲେ ମଧ୍ୟ ଲାଭ ହେବ ନାହିଁ ବୋଲି କୃଷି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଧାନ ନଷ୍ଟ ହୋଇଥିବା ସ୍ଥାନରେ ଅଣଧାନ କରିବାକୁ ପରାମର୍ଶ ଦିଆଯିବା ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। କୃଷି ବିଭାଗ ସୂଚନା ଅନୁସାରେ, ବିଭାଗୀୟ ସୂଚନା ଅନୁସାରେ, ଚଳିତ ବର୍ଷ ୬୧.୫୯ ଲକ୍ଷ ହେକ୍ଟର ଖରିଫ ଫସଲ କାର୍ଯ୍ୟକ୍ରମ କରାଯାଇଛି। ଗତବର୍ଷ ରାଜ୍ୟରେ ୧୧୬ ମିଲିୟନ ଟନ୍‌ ଚାଉଳ ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ୧୨୭.୯୩ ମିଲିୟନ ଟନ ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସହିତ ୧୯ ତାରିଖ ପରେ ସ୍ଥିତି କେଉଁ ଆଡ଼କୁ ଯାଉଛି ତାହା ଦେଖିବାକୁ ରହିଲା।

ରାଜ୍ୟରେ ୩୪,୭୦୧ ହେକ୍ଟର ଚାଷ ଜମିରେ ଫସଲ ପ୍ରଭାବିତ ହୋଇଥିବା ନେଇ ପ୍ରାଥମିକ ଆକଳନ ରିପୋର୍ଟରୁ ଜଣାପଡ଼ିଛି। ଏଥିମଧ୍ୟରେ ବନ୍ୟା ପ୍ରଭାବିତ ଅନୁଗୁଳର ୧୬୧୯ ହେକ୍ଟର, ବୌଦ୍ଧର ୩୨୩୨, କଟକର ୯୯୫୭.୬୪ ହେକ୍ଟର, ଜଗତସିଂହପୁର ଜିଲ୍ଲାର ୧୪୨୯୩ ହେକ୍ଟର, ଯାଜପୁରର ୩୫୭୧ ହେକ୍ଟର, ଖୋର୍ଧାର ୨୦୨୯ ହେକ୍ଟର, ମାତ୍ରାଧିକ ବର୍ଷା ଯୋଗୁଁ ଝାରସୁଗୁଡ଼ାର ୬୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe