ନଦୀ, ଡ୍ୟାମ୍ ଜଳ ପରିଚାଳନାରେ ତ୍ରୁଟି : ଖରିଫରେ ହଜାରେ ହେକ୍ଟର ଜମିରେ କମିବ ଧାନ ଚାଷ

Advertisment
ନଦୀ, ଡ୍ୟାମ୍ ଜଳ ପରିଚାଳନାରେ ତ୍ରୁଟି : ଖରିଫରେ ହଜାରେ ହେକ୍ଟର ଜମିରେ କମିବ ଧାନ ଚାଷ

ଢ଼େପ ଜମିକୁ ପାଣି ମାଡ଼ୁନଥିବାରୁ ମୁହଁ ଫେରାଉଛନ୍ତି ଚାଷୀ
ଡାଲି ଓ ତୈଳ ଜାତୀୟ ଫସଲ ପାଇଁ କୃଷି ବିଭାଗ ଦେବ ପରାମର୍ଶ

ରାୟଗଡ଼ା, (ନବୀନ ଚନ୍ଦ୍ର ସାହୁ): ବଂଶଧାରା, ନାଗାବଳୀ ନଦୀ ଜଳକୁ ଶୋଷୁଛି ଆନ୍ଧ୍ର। କଲ୍ୟାଣୀ ଡ୍ୟାମ୍ ପାଣି କଳାହାଣ୍ଡି ଜିଲ୍ଲା ଜମିକୁ ମାଡ଼ୁଥିବା ବେଳେ ବଡ଼ନାଳ ଡ୍ୟାମ୍ ପାଣି ସାନ ନଦୀକୁ ସଂଯୋଗ ହୋଇପାରୁନି। ଫଳରେ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମିକୁ ପାଣି ମାଡ଼ୁନି। ନଦୀ, ଡ୍ୟାମ୍ ଜଳ ପରିଚାଳନାରେ ତ୍ରୁଟି ଯୋଗୁ ଢ଼େପ ଜମିରେ ଚଳିତ ଖରିଫରେ କମିବ ଧାନ ଚାଷ। ଜଳସେଚନ ଅଭାବରୁ ଚାଷୀ କ୍ଷତି ସହୁଥିବାରୁ ପାଖାପାଖି ୧ ହଜାର ହେକ୍ଟର ଜମିରେ ଧାନ ଚାଷ କରିବାକୁ ମୁହଁ ମୋଡ଼ିଛନ୍ତି ଚାଷୀ। ଫଳରେ ଉକ୍ତ ଜମିରେ ଡାଲି ଓ ତୈଳ ଜାତୀୟ ଫସଲ କରିବାକୁ କୃଷକଙ୍କୁ ପରାମର୍ଶ ଦେଇଛି କୃଷି ବିଭାଗ।

ରାୟଗଡ଼ା ଜିଲ୍ଲାରେ ୧ ଲକ୍ଷ ୭୪ ହଜାର ହେକ୍ଟର ଚାଷ ଜମି ରହିଛି। ସେଥି ମଧ୍ୟରୁ ୫୫ ହଜାର ୪୭୭ ହେକ୍ଟର ଜମିରେ ଧାନ, ୧୦ ହଜାର ୩୨୨ ହେକ୍ଟରରେ ମକା, ୧୨ ହଜାର ୪୬୫ ହେକ୍ଟରରରେ ମାଣ୍ଡିଆ, ୩୦ ହଜାର ୪୬୫ ହେକ୍ଟର ଜମିରେ ଡାଲି ଜାତୀୟ, ୬ ହଜାର ୭୬୦ ହେକ୍ଟର ଜମିରେ ତୈଳବୀଜ, ୩୭ ହଜାର ହେକ୍ଟରରରେ କପା ଏବଂ ବଳକା ଜମିରେ ପନିପରିବା, ଆଖୁ, ଝୋଟ ଭଳି ଅନ୍ୟାନ୍ୟ ଫସଲ ହେଉଛି। ଗତ ବର୍ଷ ଖରିଫରେ ଜିଲ୍ଲାର ୫୫ ହଜାର ୪୭୭ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ୫୪ ହଜାର ହେକ୍ଟର ଜମିରେ କୃଷି ବିଭାଗ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଛି। ମୌସୁମୀ ଆସିବାରେ ବିଳମ୍ବ, ସ୍ବଳ୍ପ ବୃଷ୍ଟିପାତ, ଢ଼େପ ଜମିକୁ ପାଣି ଅଭାବ କାରଣରୁ ବିଭାଗ ୧ ହଜାର ହେକ୍ଟର ଧାନ ଚାଷ ଜମିରେ ଅନ୍ୟ ଫସଲ କରିବାକୁ ଯୋଜନା କରିଛି। କିଛି ବର୍ଷ ଧରି ଚାଷୀ କ୍ଷତି ସହି ଆସୁଥିବାରୁ ବିଭାଗ ଏପରି ପଦକ୍ଷେପ ନେଇଛି।

ଜିଲ୍ଲାରେ ଥିବା ନଦୀ, ଜଳସେଚନ ପ୍ରକଳ୍ପ ଦ୍ବାରା ରାୟଗଡ଼ା କୃଷି ଜିଲ୍ଲାର ୨୦ ହଜାର ୧୮୬ ହେକ୍ଟର, ଗୁଣପୁର କୃଷି ଜିଲ୍ଲାର ୨୭ ହଜାର ୯୧ ହେକ୍ଟର, ମୁନିଗୁଡା କୃଷି ଜିଲ୍ଲାର ୧୩ ହଜାର ୩୨ ହେକ୍ଟର ଜମି ଏପରି ଭାବେ ୬୦ ହଜାର ୩୦୯ ହେକ୍ଟର ଜମି (ମୋଟ ଚାଷ ଜମିର ୩୪ ପ୍ରତିଶତ) ଜଳସେଚିତ ହୋଇପାରୁଛି। ରାୟଗଡ଼ା ଉପଖଣ୍ଡରେ ନାଗାବଳୀ, କଲ୍ୟାଣୀ ଓ ଗୁଣପୁର ଉପଖଣ୍ଡରେ ବଂଶଧାରା ନଦୀ ପ୍ରବାହିତ ହେଉଛି। ଏହି ୩ ନଦୀ ଜିଲ୍ଲାର ଶତ ପ୍ରତିଶତ ଚାଷ ଜମିକୁ ଜଳ ଯୋଗାଇବାରେ ସକ୍ଷମ। କିନ୍ତୁ ବିଭାଗୀୟ ତ୍ରୁଟି ଯୋଗୁ ଆନ୍ଧ୍ର ସମେତ ପଡୋଶୀ ଜିଲ୍ଲା ନଦୀ ଜଳକୁ ଶୋଷି ନେଉଛନ୍ତି। ନାଗାବଳୀ ନଦୀରେ ହେବାକୁ ଥିବା ବେଲକଣା ପ୍ରକଳ୍ପ ସର୍ଭେରେ ସୀମିତ ରହିଥିବାରୁ ଆନ୍ଧ୍ର ତୋଟାପଲ୍ଲୀ ନିକଟରେ ବ୍ୟାରେଜ୍ ନିର୍ମାଣ କରି ଲାଭ ଉଠାଉଛି। ସେହିପରି ବଂଶଧାରା ନଦୀ ଉପରେ ପାଣିଡଙ୍ଗର ବ୍ୟାରେଜ୍ ଶିଳାନ୍ୟାସରେ ସୀମିତ ଥିବା ବେଳେ ଆନ୍ଧ୍ର ନେରେଡ଼ି ଓ ଗୋଟାରେ ବ୍ୟାରେଜ୍ କରି ଚାଷ ଜମିକୁ ପାଣି ମାଡ଼ୁଛି। ୨୦୧୪ରେ କଲ୍ୟାଣସିଂହପୁରରେ ନିର୍ମାଣ ହୋଇଥିବା କଲ୍ୟାଣୀ ଜଳସେଚନ ପ୍ରକଳ୍ପ ଦ୍ବାରା ୧୬୦୦ ହେକ୍ଟର ଜମିକୁ ଜଳ ଯୋଗାଣ ଲକ୍ଷ୍ୟ ଥିଲା। କିନ୍ତୁ ବାରିଭଟା ବଦଳରେ କଳାହାଣ୍ଡିର କଳାକୂପାରେ ଆଡ଼ିବନ୍ଧ ନିର୍ମାଣ ଯୋଗୁ ୭୦ ପ୍ରତିଶତ ପାଣି କଳାହାଣ୍ଡିକୁ ମାଡ଼ୁଛି। ପଦ୍ମପୁରରେ ଥିବା ବଡ଼ନାଳ ଡ୍ୟାମ୍ ପାଣି ଗୁଣପୁର, ପଦ୍ମପୁର, ଗୁଡ଼ାରି, ରାମନାଗୁଡା ବ୍ଲକର ୮ ହଜାର ୫ ଶହ ହେକ୍ଟର ଜମିକୁ ଜଳ ଯୋଗାଉଛି। ରବି ଋତୁକୁ ଡ୍ୟାମ୍ ଜଳ ଅଭାବ ପଡ଼ୁଥିବା ବେଳେ ଖରିଫ୍ ସମୟରେ ବିଳମ୍ବରେ ଡ୍ୟାମରୁ ପାଣି ଛଡାଯାଉଛି। ଫଳରେ ଠିକ୍ ସମୟରେ ଚାଷ ଜମିକୁ ପାଣି ମାଡ଼ୁନି। ସାନ ନଦୀକୁ ଏହି ପ୍ରକଳ୍ପ ସଂଯୋଗ କରାଗଲେ ଗୁଣପୁର ଉପଖଣ୍ଡର ସମସ୍ତ ଜମିକୁ ପାଣି ମାଡ଼ନ୍ତା। ହେଲେ ତାହା ହୋଇ ପାରୁନି।

ଅକ୍ଷୟ ତୃତୀୟା ପାଖେଇ ଆସୁଥିବା ବେଳେ ଖରିଫ୍ ପାଇଁ ବିଭାଗ ଅକ୍ଷିମୁଠି ଅନୁକୂଳ କରିବ। ଆବଶ୍ୟକ ୨୦ ହଜାର ୧୬୨ କୁଇଣ୍ଟାଲ୍ ବିହନ ମଧ୍ୟରୁ ବିଭାଗ ନିକଟରେ ଏବେ ୯ ହଜାର ୪୪୦ କୁଇଣ୍ଟାଲ୍ ବିହନ ମହଜୁଦ୍ ଅଛି। ବଳକା ବିହନ ମେ ପ୍ରଥମ ସପ୍ତାହ ସୁଦ୍ଧା ଓଏଏସସି ଜୟପୁର ଯୋଗାଇବ। ସେହିପରି ଚାଷ ପାଇଁ ଆବଶ୍ୟକ ୩ ହଜାର ଟନ୍ ସାର ମହଜୁଦ୍ ଥିବା ବେଳେ ୨୬୦୦ ଟନ୍ ୟୁରିଆ ମେ’ରେ ଆସିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ୍ତ କୁମାର ରଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe