River be in danger: ବିପଦରେ ନଈ: ବିଷାକ୍ତ ହେଉଛି, ନାଗାବଳୀ ପାଣି

ମାରାତ୍ମକ ରାସାୟନିକ ପଦାର୍ଥ ମିଶି ପ୍ରଦୂଷିତ ହେଉଛି ନାଗାବଳୀ ନଦୀଜଳ। ଆଖିବୁଜା ବାଲି ଉତ୍ତୋଳନର ପ୍ରଭାବ ବି ପଡୁଛି। ନଦୀର ଗତିପଥ ବଦଳିବା ସହ ଅନେକ ସ୍ଥାନରେ ଏହା ଏକ ନାଳର ଭ୍ରମ ସୃଷ୍ଟି କରୁଛି। ରାୟଗଡ଼ା....

Untitled-1

କେ. ଶିବପ୍ରସାଦ ଦୋରା
ରାୟଗଡା: ମାରାତ୍ମକ ରାସାୟନିକ ପଦାର୍ଥ ମିଶି ପ୍ରଦୂଷିତ ହେଉଛି ନାଗାବଳୀ ନଦୀଜଳ। ଆଖିବୁଜା ବାଲି ଉତ୍ତୋଳନର ପ୍ରଭାବ ବି ପଡୁଛି। ନଦୀର ଗତିପଥ ବଦଳିବା ସହ ଅନେକ ସ୍ଥାନରେ ଏହା ଏକ ନାଳର ଭ୍ରମ ସୃଷ୍ଟି କରୁଛି। ରାୟଗଡ଼ା ଜିଲ୍ଲାର ପ୍ରମୁଖ ନଦୀ ନାଗାବଳୀ ନିୟମଗିରି ପାହାଡ଼ ତଥା କଳାହାଣ୍ଡି ଜିଲ୍ଲା ଲାଖବାହାଲ ଅଞ୍ଚଳରୁ ଉତ୍ପତ୍ତି ଲାଭ କରିଛି। ଏହି ନଦୀ ୨୫୬ କିଲୋମିଟର ଅଞ୍ଚଳରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି। ନାଗାବଳୀ ଓଡ଼ିଶାର ପ୍ରାୟ ୧୬୧ କିଲୋମିଟର ଅଞ୍ଚଳ ଏବଂ ଆନ୍ଧ୍ରପ୍ରଦେଶରେ ୯୫ କିଲୋମିଟର ଅଞ୍ଚଳରେ ପ୍ରବାହିତ। ତେବେ ଏହି ନଦୀର ଉତ୍ପତ୍ତିସ୍ଥଳରୁ ୧୦୦ କିଲୋମିଟର ପରଠାରୁ ନଦୀ ପ୍ରଦୂଷିତ ହେବାରେ ଲାଗିଛି।  ୬ ଦଶନ୍ଧିରୁ ଊର୍ଦ୍ଧ୍ବ ହେଲାଣି ରାୟଗଡ଼ା ଜିଲ୍ଲାରେ ଶିଳ୍ପରୁ ନିର୍ଗତ ରାସାୟନିକ ପଦାର୍ଥ ଯୋଗୁଁ ନଦୀଜଳ ପ୍ରଦୂଷିତ ହେଉଛି। ତେଣୁ ନଦୀର ଜଳ ପିଇବା ଉପଯୋଗୀ ନଥିବା ଜଣାପଡ଼ିଛି। ସେହିପରି ୨ ଦଶନ୍ଧି ହେଲା ନାଗାବଳୀ ନଦୀରୁ ବେଧଡ଼କ ବାଲି ଚାଲାଣ ହେଉଛି। 

ବେଧଡ଼କ ଚାଲିଛି ବାଲି ଚାଲାଣ
ଅନେକ ସ୍ଥାନରେ ନାଳର ଭ୍ରମ ସୃଷ୍ଟି କରୁଛି

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ ପ୍ରତି ଲିଟର ପାଣିରେ ବାୟୋକେମିକାଲ ଅକ୍ସିଜେନ୍‌ ଡିମାଣ୍ଡ (ବିଓଡି) ୩ ମିଲିଗ୍ରାମରୁ କମ୍‌ ରହିଲେ ତାହା ପିଇବା ଉପଯୋଗୀ ହୋଇଥାଏ। କିନ୍ତୁ ନାଗାବଳୀ ନଦୀର ପ୍ରତି ଲିଟର ଜଳରେ ବର୍ତ୍ତମାନ ବିଓଡି ୩୦ ମିଲିଗ୍ରାମ୍‌ ରହିଛି। ଶିଳ୍ପ ଯୋଗୁଁ ବର୍ତ୍ତମାନ ପାଣି ପିଇବା ଉପଯୋଗୀ ନଥିଲା ବେଳେ ଶିଳ୍ପାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ନୋଟିସ୍‌ ଦେଇ ଚୁପ୍‌ ବସିଛି ପ୍ରଶାସନ। ସେହିପରି ନଦୀର ପ୍ରଦୂଷଣ ମାତ୍ରା କମାଇବା ଦିଗରେ ବି ଏଯାଏଁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ଏନେଇ ରାଜ୍ୟ ପ୍ରଦୂଷଣ ବୋର୍ଡର ରାୟଗଡ଼ା ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ ଅଶୋକ କୁମାର ଭୋଇଙ୍କୁ ପଚାରିବାରୁ ବାଲି ଚାଲାଣ ଏବଂ ପ୍ରଦୂଷିତ ଜଳ ନାଗାବଳୀ ନଦୀର କ’ଣ କ୍ଷତି କରୁଛି ତାହାର ଗବେଷଣା ହେବା ଆବଶ୍ୟକ ବୋଲି କହିଛନ୍ତି। 

ଅନ୍ୟପକ୍ଷରେ ରାୟଗଡ଼ା ଉପଖଣ୍ଡରେ ବଢ଼ୁଥିବା ଶିଳ୍ପ ଓ ଭିତ୍ତିଭୂମିର ବିକାଶ ପାଇଁ ନାଗାବଳୀ ଅବବାହିକାର ବାଲି ହିଁ ଏକମାତ୍ର ଭରସା। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ବାଲି ଖନନରେ କଟକଣା ଲାଗିଥିବାରୁ ମାଫିଆ ବର୍ଷ ବର୍ଷ ଧରି ଏଠାରୁ ପ୍ରଶାସନର ନାକତଳେ ବାଲି ଚାଲାଣ ଜାରି ରଖିଛନ୍ତି। କିଛିବର୍ଷ ହେଲା ନାଗାବଳୀର ଜଳଉତ୍ସ ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ବର୍ଷାଦିନେ ହିଁ ଜଳ ଦେଖିବାକୁ ମିଳୁଛି। ଅନ୍ୟଥା ଏହି ନଦୀ ଗୋଟିଏ ନାଳର ଭ୍ରମ ସୃଷ୍ଟି କରୁଛି। ବାଲି ଚାଲାଣ ଯୋଗୁ କିଛି ବର୍ଷ ହେଲା ନାଗାବଳୀର ଗତିପଥ ମଧ୍ୟ ପରିବର୍ତ୍ତନ ହୋଇଛି। ଏଭଳି ସ୍ଥିତି ଲାଗି ରହିଲେ ଭବିଷ୍ୟତରେ ନାଗାବଳୀ ନଦୀ କେବଳ ଇତିହାସ ପୃଷ୍ଠାରେ ମୃତନଦୀ ରୂପେ ସ୍ଥାନ ପାଇବ ବୋଲି ସାମାଜିକ କର୍ମୀ ପ୍ରଶାନ୍ତ ପାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe