ଫାଇଲ ତଳେ ନଦୀ ସଂଯୋଗୀକରଣ ଯୋଜନା

Advertisment
ଫାଇଲ ତଳେ ନଦୀ ସଂଯୋଗୀକରଣ ଯୋଜନା

ଭଣ୍ଡାରିପୋଖରୀ-୧: କିଛି ବର୍ଷ ତଳେ ସରକାର ପ୍ରଣୟନ କରିଥିବା ନଦୀ ସଂଯୋଗୀକରଣ ଯୋଜନା ଏବେ ଫାଇଲ ତଳେ ରହିଛି। ସରକାରଙ୍କ ଦୀର୍ଘ ମିଆଦୀ ଯୋଜନା ଅନୁସାରେ ନଦୀ ସଂଯୋଗୀକରଣ ଓ ସଂସ୍କାର ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲା। ସମୟ କ୍ରମେ ଉକ୍ତ ଯୋଜନା ପ୍ରାୟତଃ ବନ୍ଦ ହୋଇଯାଇଥିବା ବେଳେ ଏବେ ଅନେକ ଛୋଟବଡ଼ ନଦୀ ଟାଙ୍ଗରା ଭୁଇଁରେ ପରିଣତ ହେଲାଣି।

ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ ଦେଇ ଯାଇଥିବା ରେବ କପାଳି ନଦୀ ସଂସ୍କାର ବିନା ଏବେ ଶୁଖିଲା ପଡିଛି। ନଦୀ ଦୁଇଟି କେନ୍ଦୁଝର ଜିଲ୍ଲାରୁ ବାହାରିଥିବା ବେଳେ ଏହା ଦୁଇ ଗୋଟି ବ୍ଲକ ଦେଇ ଭଦ୍ରକ ସୀମା ଅତିକ୍ରମ କରି ସମୁଦ୍ରରେ ମିଶିଛି। ଉକ୍ତ ନଦୀ ଦୁଇଟି ଉପରେ ଭଣ୍ଡାରିପୋଖରୀ, ବନ୍ତକୁ ଛାଡିଦେଲେ ଧାମନଗର, ତିହିଡି ବ୍ଲକର ଅଧିକାଂଶ ଲୋକ ନିର୍ଭର କରି କୃଷି କାର୍ଯ୍ୟ କରିଥାନ୍ତି। ବର୍ଷା ଦୁଇ ମାସକୁ ଛାଡିଦେଲେ ବର୍ଷର ଦଶ ମାସ ଏହି ନଦୀ ଦୁଇଟି ଶୁଖିଲା ପଡୁଛି। ପରିସ୍ଥିତି ଏଭଳି ହୋଇଛି ଯେ କିଛି ବର୍ଷ ହେବ ନଦୀ ଶଯ୍ୟାରେ କଳମ ଓ ଦଳ ସହିତ ବିଭିନ୍ନ ଲତା ଗୁଳ୍ମ ସୃଷ୍ଟି ହୋଇ ଏହା ପଦା ହୋଇଛି। କେତେବେଳେ କେମିତି ଜଳ ସମ୍ପଦ ବିଭାଗ ନଦୀ ପାର୍ଶ୍ୱ ଜନବସତି ନିକଟରେ କିଛି କାର୍ଯ୍ୟ କରୁଥିଲେ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ସଂସ୍କାର ଆଣିବା ଦିଗରେ ଦୃଷ୍ଟି ଦେଉନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ଚାଷୀ ଚାଷ କାର୍ଯ୍ୟ କରିପାରୁନାହାନ୍ତି।

ଜିଲ୍ଲାରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀ ସହିତ ରେବ, କପାଳିକୁ ସଂଯୋଗ କରିବା ଏବଂ ସଂସ୍କାର ଆଣିବା ଦିଗରେ ଅନେକ ଅର୍ଥର ଆବଶ୍ୟକତା ରହିଛି । ଏହା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଲେ ଜିଲ୍ଲାର ୫ଟି ବ୍ଲକର ଚାଷୀମାନେ ଉପକୃତ ହେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ନଦୀ ଜଳର ସୁବିନିଯୋଗ ହୋଇ ପାରନ୍ତା ବୋଲି ବୃଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe