ସୁବ୍ରତ କୁମାର ସାମଲ
କେନ୍ଦ୍ରାପଡ଼ା: ଗୋବରୀ ନଦୀ ବିପଦରେ। ଅଧା ସହରର ନର୍ଦ୍ଦମା ଓ ପାଇଖାନା ପାଣିରେ ପ୍ରଦୂଷିତ ହେଉଛି ଏହି ନଦୀ। ଅଳିଆ ଆବର୍ଜନାରେ ଶଯ୍ୟା ପରିପୂର୍ଣ୍ଣ। କେଉଁଠି ଡ୍ରେନ୍ ପାଣି ମିଶୁଛି, କେଉଁଠି ଆବର୍ଜନା ଗଦା ହୋଇଛି। ସତେଯେମିତି ଗୋବରୀକୁ ମାରିଦେବା ପାଇଁ ଷଡ୍ଯନ୍ତ୍ର ହୋଇଛି। କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀ ଗୋବରୀ ଉପରେ ନିର୍ଭରଶୀଳ। ଅତୀତରେ ଗୋବରୀ ପ୍ରଦୂଷଣ ପାଇଁ କେନ୍ଦ୍ରାପଡ଼ା ପୌରପାଳିକା ଉପରେ ଏନ୍ଜିଟି ବିରକ୍ତ ହୋଇଥିଲେ। ଜରିମାନା ଲାଗିଥିଲା। ଡ୍ରେନ୍ ପାଣି ଛାଡ଼ିବା, ବର୍ଜ୍ୟବସ୍ତୁ ପକାଇବା ମାମଲାରେ ମାସକୁ ଲକ୍ଷେ ଟଙ୍କା ଲେଖାଏଁ ମୋଟ ୨୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୁହାଯାଇଥିଲା। ୨୦୨୨ରେ ପୌରପାଳିକା ବିରୋଧରେ ଏନ୍ଜିଟିଙ୍କ ଏହି ରାୟ ହଟଚମଟ ସୃଷ୍ଟି କରିଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ରାପଡ଼ା ପ୍ରଶାସନ ସତ୍ୟପାଠରେ ସହରର ପାଞ୍ଚଟି ସ୍ଥାନରେ ନର୍ଦ୍ଦମା ପାଣି ଗୋବରୀରେ ମିଶୁଥିବା ମାନିଥିଲେ। ବିଡ଼ମ୍ବନା ଯେ ଏନ୍ଜିଟିଙ୍କ ଦଣ୍ଡାଦେଶ ପରେ ବି ସୁଧୁରିଲେନି। ସହରର ମହିପାଳ, ନୂଆ ବସ୍ଷ୍ଟାଣ୍ଡ, ବାଲାବାବା ମଠ, ପୁରୁଣା ଇଦ୍ଗାହ, ରଣପଡ଼ା ଆଦି ସ୍ଥାନରୁ ନିଷ୍କାସିତ ଡ୍ରେନ୍ ପାଣି ସିଧା ଗୋବରୀରେ ମିଶୁଛି। ହଜାରୀବଗିଚାରେ ଥିବା ଡମ୍ପି˚ୟାର୍ଡ ସ୍ଥାନରେ ସ୍ଥିତି ସଙ୍ଗିନ। ଜିଲ୍ଲାପାଳ, ପ୍ରଶାସନର ସବୁ ବଡ଼ ବାବୁ, ରାଜନେତା ବାଇପାସ୍ ରାସ୍ତା ଦେଇ ଯା’ଆସ କରୁଛନ୍ତି। ହେଲେ ଗୋବରୀ ପ୍ରତି ନିଘା ନାହିଁ।
ବିପଦରେ କେନ୍ଦ୍ରାପଡ଼ାର ଜୀବନରେଖା
ନଦୀରେ ମିଶୁଛି ଅଧା ସହରର ନର୍ଦ୍ଦମା ପାଣି
ଏନ୍ଜିଟି ଛାଟ ପରେ ବି ସୁଧୁରିଲେନି
ବିଧାନସଭାରେ ଏକାଧିକବାର ଗୋବରୀର ପୁନରୁଦ୍ଧାର ଓ ସୁରକ୍ଷାକୁ ନେଇ ପ୍ରଶ୍ନ ହୋଇଛି। ୨୦୧୯-୨୦ରେ ଗୋବରୀ ପୁନରୁଦ୍ଧାର ପାଇଁ ଡ୍ରେନେଜ୍ ବିଭାଗ ପକ୍ଷରୁ ୬କୋଟି ୮୬ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହେଲା। ଆଳିଜଙ୍ଗାରୁ ତିନିମୁହାଣୀ ଯାଏଁ ୧୧ କିଲୋମିଟର ଗୋବରୀ ନଦୀକୁ ଖୋଳାଯିବା ସହିତ ବନ୍ଧ ବୁଲାଣି ସ୍ଥାନ ଓ ଗାଧୁଆ ତୁଠ ପଥର ପ୍ୟାକି˚ ହୋଇଥିବା କୁହାଗଲା। ହେଲେ ଠିକାଦାର ନଦୀ ମଝିକୁ ଛାଡ଼ି ଦୁଇପାର୍ଶ୍ବ ମାଟି ଖୋଳି ର’ ଠ’ରେ କାମ ସାରି ଦେଇଥିବା ଅଭିଯୋଗ ଉଠିଲା। ଯେଉଁଭଳି ଭାବେ ଗୋବରୀ ପୋତି ହେବା ସହିତ ପ୍ରଦୂଷିତ ହେଉଛି, ଏହି ଧାରା ବଜାୟ ରହିଲେ ଆଗକୁ ଏହା ଏକ ମୃତ ନଦୀ ପାଲଟିପାରେ।
Follow Us