ଡିନାମାଇଟ୍‌ ଲଗାଇ କେଲୁଅ ନଦୀବନ୍ଧ ଉଡ଼ାଇବା ପ୍ରସଙ୍ଗ : ଧର୍ମଶାଳା ଥାନାରେ ଏତଲା ଦେଲା ବିଜେପି

Advertisment
ବନ୍ୟା ଓ ବର୍ଷା କ୍ଷତି : ୧୫୬୯ କୋଟି ମାଗିଲା ଓଡ଼ିଶା

ଧର୍ମଶାଳା/ ଭୁବନେଶ୍ୱର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ କୋତପୁର ପଞ୍ଚାୟତର କେଲୁଅ ନଦୀବନ୍ଧକୁ ଡିନାମାଇଟ୍‌ ଲଗାଇ ୩୦୦ ଫୁଟର କୃତ୍ରିମ ଘାଇ କରାଯିବା ଘଟଣା ନେଇ ଆଜି ବିଜେପି ପକ୍ଷରୁ ଧର୍ମଶାଳା ଥାନାରେ ଏତଲା ଦିଆଯାଇଛି। ଦୁର୍ବୃତ୍ତମାନଙ୍କ ବିରୋଧରେ ରାଜଦ୍ରୋହ, ଏନ୍‌ଏସ୍‌ଏ ଲଗାଯିବା ସହ ବେଆଇନ୍ ବିସ୍ଫୋରକ ବ୍ୟବହାର ନେଇ ମାମଲା ରୁଜୁ କରିବାକୁ ଦାବି କରାଯାଇଛି।

ଏତଲାରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡ଼ା ଦର୍ଶାଇଛନ୍ତି ଯେ, ୨୪କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ୨୦ ଫୁଟିଆ ଶକ୍ତ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ବନ୍ଧଠାରୁ ନଦୀଶଯ୍ୟା ପାଖାପାଖି ୮୦୦ ମିଟର ଦୂରରେ ଥିବା ବେଳେ ବନ୍ଧ ଭାଙ୍ଗିବାର କୌଣସି ଆଶଙ୍କା ନଥିଲା। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଘର ଘାଇ ଠାରୁ ୨ ଶହ ମିଟରରେ ଦୂରରେ ରହିଛି। ଏହି ଘଟଣା ପଛରେ ପୂର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଘାଇ ସୃଷ୍ଟି କରାଯିବାରୁ ବନ୍ୟାଜଳ କଦମପାଳ, ଅରେଇକଣା, ପଟୁଣିଆ, ମିର୍ଜାପୁର, ପାଟପୁର ଏବଂ କଣ୍ଟିଗଡ଼ିଆ ଆଦି ପଞ୍ଚାୟତକୁ ମାଡ଼ି ଯାଇଥିଲା। ଏଥିପାଇଁ ୩୦ ହଜାରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୦ଟି ପଞ୍ଚାୟତର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବ୍ୟାପକ ଫସଲ ନଷ୍ଟ ହୋଇଛି। ଏହା ରାଷ୍ଟ୍ରଦ୍ରୋହ ଭଳି କାର୍ଯ୍ୟ ବୋଲି ଉଲ୍ଲେଖ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷରେ ଧର୍ମଶାଳା ଅଞ୍ଚଳର ଜଣେ ଯୁବନେତା ସତୀଶ କୁମାର ବିଶ୍ବାଳ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ରାଷ୍ଟ୍ରବିରୋଧୀ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।

ଉ‌େଲ୍ଲଖଯୋ‌ଗ୍ୟ ଯେ, ଗତକାଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଧର୍ମଶାଳାର ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ମାମୁଁ ନରେନ୍‌ ଜେନା ଓରଫ ବାଦଲ ଜେନା ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ। ଅର୍ଥ ହଡ଼ପ ପାଇଁ ରାତି ଅଧିଆ ଡିନାମାଇଟ୍‌ ଲଗାଇ ବନ୍ଧ ଭାଙ୍ଗି ଦିଆଯାଇଛି। ନଦୀର ସ୍ରୋତ କମ୍‌ ଥିଲାବେଳେ ଏପରି ଘାଇ କେମିତି ହେବ ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ ଉଠାଇଥିଲେ। ଏବେ ସରକାର ଓ ଜିଲ୍ଲା ପ୍ରଶାସନ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଏହି ଘଟଣାର ନ୍ୟାୟିକ ତଦନ୍ତ କରାଯିବା ସହ ବନ୍ୟା ପ୍ରପୀଡ଼ିତମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ସେ ଦାବି କରିଥିଲେ।

ଅପରପକ୍ଷରେ ବିଜେଡି ମୁଖପାତ୍ର ସୁଲତା ଦେଓ ପାଲଟା ଜବାବ ଦେଇ ଅସତ୍ୟ ଅଭିଯୋଗ କରିବା ଶ୍ରୀମତୀ ସାମନ୍ତସିଂହାର ଅଭ୍ୟାସରେ ପରିଣତ କରି ସାରିଲେଣି। ଯଦି ତାଙ୍କ ପାଖରେ କିଛି ବି ପ୍ରମାଣ ଅଛି, ତାହେଲେ ଜିଲ୍ଲା ପ୍ରଶାସନ, ପୁଲିସ ଓ ନ୍ୟାୟାଳୟରେ ଉପସ୍ଥାପନ କରନ୍ତୁ ବୋଲି ଶ୍ରୀମତୀ ଦେଓ ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe