ଭିଜିଲାନ୍ସ ଜାଲରେ କୋଟିପତି ଆରଏମସି କ୍ୟାସିୟର

ବାସଭବନ ସମେତ ୩ଟି ସ୍ଥାନରେ ଚଢ଼ଉ, ଆରଏମସି ସମ୍ପାଦକଙ୍କୁ ମଧ୍ୟ ପଚରାଉଚରା

ଭିଜିଲାନ୍ସ ଜାଲରେ କୋଟିପତି ଆରଏମସି କ୍ୟାସିୟର

ନବରଙ୍ଗପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଆରଏମସି କ୍ୟାସିୟର ଅଶୋକ କୁମାର ନନ୍ଦଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନସ ଚଢ଼ଉ ହୋଇଛି। ଚଢ଼ଉ ବେଳେ ତାଙ୍କର ଓ ତାଙ୍କ ପରିବାର ନାଁରେ ଥିବା ୧ କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନସ। ଜୟପୁର ଭିଜିଲାନସ ଡିଏସପି ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ୩ ଜଣିଆ ଟିମ୍ କ୍ୟାସିୟର ଶ୍ରୀ ନନ୍ଦଙ୍କ ବାସଭବନ ସମେତ ଆରଏମସି କାର୍ଯ୍ୟାଳୟ ଓ ଅନ୍ୟ ସ୍ଥାନରେ ଥିବା ଏକ ଘରେ ଚଢ଼ଉ କରିଥିଲା।

ଆଜି ଭୋରରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ସଂଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା। ସଂଧ୍ୟା ସୁଦ୍ଧା ଆକଳନ ହୋଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟରୁ ନବରଙ୍ଗପୁର ସହରର ଇଛାବତୀଗୁଡ଼ା ଓ ଭାଟସାଲଗୁଡ଼ାରେ ଥିବା ୨ଟି ୨ ମହଲା କୋଠା, ଯାହାର ଆନୁମାନିକ ମୂଲ୍ୟ ୬୩ ଲକ୍ଷ ୩୪ ହଜାର ହେବ ବୋଲି କୁହାଯାଇଛି। ସେହିପରି ନବରଙ୍ଗପୁର ସହରରେ ତାଙ୍କର ୧୪ ଟି ପ୍ଲଟ ରହିଛି। ଏଥି ସହିତ ଗୋଟିଏ ମାରୁତି ଅଲଟୋ କାର, ମହିନ୍ଦ୍ରା ବଲେରୋ ଏକ୍ସଏଲ, ମହିନ୍ଦ୍ରା ବଲେରୋ ଏସଏଲଏକ୍ସ, ମାରୁତି ସିଆଜ୍ ଭିଡିଆଇ କାର ରହିଛି। ସେହିପରି ୫ ଟି ୨ ଚକିଆ ଗାଡ଼ି(ରୟାଲ ଏନଫିଲଡ ବୁଲେଟ, ଟିଭିଏସ ଜୁପିଟର, ହିରୋ ଗ୍ଲାମର ଓ ୨ ଟି ହୋଣ୍ଡା ମୋଟର ସାଇକେଲ) ରହିଛି। ଏ ସମସ୍ତ ଗାଡ଼ିର ପଞ୍ଜୀକରଣ ବାବଦରେ ଖର୍ଚ୍ଚ ହୋଇଛି ୨ ଲକ୍ଷ ୩୩ ହଜାର ଟଙ୍କା। ଏହା ବାଦ ତାଙ୍କର ୭ ଲକ୍ଷ ୭୦ ହଜାର ଟଙ୍କାର ଏକ ଟ୍ରାକ୍ଟର ମଧ୍ୟ ରହିଛି। ତାଙ୍କ ନିକଟରେ ୬ ଲକ୍ଷ ୯୩ ହଜାର ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ବିଭିନ୍ନ ବ୍ୟାଙ୍କରେ ରହିଛି ୭୪ ହଜାର ଟଙ୍କା। ଘରେ ୫ ଲକ୍ଷ ୨୧ ହଜାର ଟଙ୍କାର ଗୃହ ଉପକରଣ ଥିବା ଆକଳନ କରିଛି ଭିଜିଲାନସ। ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୧ କୋଟି ୨୫ ଲକ୍ଷ ୬୩ ହଜାର ୭୧୩ ଟଙ୍କା ହେବ ବୋଲି ଭିଜିଲାନସ କହିଛି।

ଆରଏମସି କାର୍ଯ୍ୟାଳୟକୁ ଯାଇ ଭିଜିଲାନ୍ସ ଟିମ୍ କାର୍ଯ୍ୟାଳୟ ମଧ୍ୟରେ ନିର୍ମାଣ ହୋଇଥିବା ବିଳାସ ପୂର୍ଣ୍ଣ ସୁଟ୍ ଓ ସେଥିରେ ବ୍ୟବହୃତ ଦାମୀ ଜିନିଷ ନେଇ ମଧ୍ୟ ଖୋଳତାଡ଼ କରିଛି। ଏ ସଂକ୍ରାନ୍ତରେ ଆରଏମସି ସମ୍ପାଦକଙ୍କୁ ପଚରାଉଚରା କରାଯାଇଥିଲା। ତଦନ୍ତ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଫାଇଲ ଜବତ କରିଛି ଭିଜିଲାନସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe