ଝୁଲୁଛି ଆର୍‌ଏମ୍‌ସି ନିର୍ବାଚନ: ଆଣ୍ଠେଇଛି ୧୩୨ ବସ୍ତିର ବିକାଶ

ବର୍ଷେ କି ଦୁଇ ବର୍ଷ ନୁହେଁ ୧୦ ବର୍ଷ ହେଲା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିର୍ବାଚନ ହେଉନି । ପୂର୍ବର ବିଜେଡ଼ି ସରକାର ଜାଣିଶୁଣି ନିର୍ବାଚନ କରୁନାହିଁ ବୋଲି ଅଭିଯୋଗ କରିଥିଲେ ଅନ୍ୟ ରାଜନୈତିକ ଦଳର ନେତା। ଏବେ ସରକାର ବଦଳିଛି....

RMC elections loom: Development of 132 settlements on hold

RMC elections loom: Development of 132 settlements on hold Photograph: (sambad.in)

ରାଉରକେଲା: ବର୍ଷେ କି ଦୁଇ ବର୍ଷ ନୁହେଁ ୧୦ ବର୍ଷ ହେଲା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିର୍ବାଚନ ହେଉନି । ପୂର୍ବର ବିଜେଡ଼ି ସରକାର ଜାଣିଶୁଣି ନିର୍ବାଚନ କରୁନାହିଁ ବୋଲି ଅଭିଯୋଗ କରିଥିଲେ ଅନ୍ୟ ରାଜନୈତିକ ଦଳର ନେତା। ଏବେ ସରକାର ବଦଳିଛି। ବିଜେପି ସରକାର ଆସିଲେ  ୩ ମାସ ମଧ୍ୟରେ ଆର୍‌ଏମ୍‌ସି ନିର୍ବାଚନ କରିବ ବୋଲି ଘୋଷଣା କରିଥିଲା। ଇତିମଧ୍ୟରେ ଏକ ବର୍ଷ ପୂରିସାରିଛି।

ନିର୍ବାଚନ ସମ୍ପର୍କରେ ବିଜେପି ସମ୍ପୂର୍ଣ୍ଣ ଚୁପ୍‌ ରହିଛି। ନିର୍ବାଚିତ ପ୍ରତିନିଧି ନଥିବାରୁ ଆର୍‌ଏମ୍‌ସିରେୟ ଅଫିସର ରାଜ୍‌ ଚାଲିଛି। ଆଉଟ୍‌ସୋର୍ସିଂ ସଂସ୍ଥାର କର୍ମଚାରୀମାନେ ମନଇଚ୍ଛା କାମ କରୁଛନ୍ତି। ୱାର୍ଡ ଅଧୀନସ୍ଥ ବସ୍ତିର ବିକାଶ ଆଣ୍ଠେଇଛି। ବିକାଶମୂଳକ କାମରେ ପାଣ୍ଠିର ସଠିକ୍‌ ବିନିଯୋଗ ହେଉଛି କି ନାହିଁ, କେହି ଜାଣିପାରୁ ନାହାନ୍ତି।

ଅନ୍ୟପଟେ ନିର୍ବାଚନ ନକରିବାକୁ ହାଇକୋର୍ଟରେ ମାମଲା ରୁଜୁ କରିଥିବା ଅଭିଯୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟଜଣେ କୋର୍ଟଙ୍କୁ ଯାଉ ନାହାନ୍ତି। ଏହା ସତ୍ତ୍ବେ ସରକାର ନିର୍ବାଚନ କରିବାକୁ କାହିଁକି  ପଛଘୁଞ୍ଚା ଦେଉଛନ୍ତି, ତାକୁ ନେଇ ‌ସହରବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି।

ଆର୍‌ଏମ୍‌ସିର ୪୦ଟି ୱାର୍ଡ ଅଧୀନରେ  ମୋଟ ୧୩୨ ବସ୍ତି ରହିଛି। ବସ୍ତିରେ ୪୦, ୪୮୦ ପରିବାରରେ ମୋଟ ଲୋକସଂଖ୍ୟା ହେଉଛି ୧,୬୪, ୮୬୦ ରୁ ଅଧିକ। ସହରର ମୋଟ ଲୋକସଂଖ୍ୟାର ୫୦%ରୁ ଅଧିକ ବସ୍ତିବାସିନ୍ଦା। ରାଉରକେଲାକୁ ମହାନଗର ନିଗମ (ଆର୍‌ଏମ୍‌ସି) ଘୋଷଣା ପରଠୁ ଅର୍ଥାତ୍ ୨୦୧୪ରୁ ନିର୍ବାଚନ ହୋଇନି।

ବିବାଦିତ ଜଗଦା, ଝାଡ଼ତରଙ୍ଗ ଆଦି ଅଞ୍ଚଳକୁ ବାଦ୍ ଦେଇ ନିର୍ବାଚନ କରିବାକୁ ନୀହାର ରାୟ, ସ୍ବର୍ଗତ ରମେଶ ବଳ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ହେଁ ଫଳ ଶୂନ୍। କୌଣସି ନିର୍ବାଚିତ ପ୍ରତିନିଧି ନଥିବାରୁ ବସ୍ତିର ବିକାଶ ଆଗେଇ ପାରୁନି। 

ସ୍ବାସ୍ଥ୍ୟ, ପରିମଳ, ରାସ୍ତାଘାଟ, ପରିବେଶ ସୁରକ୍ଷା, ଆଲୋକୀକରଣ ସହ ଅନ୍ୟାନ୍ୟ କାମ କଚ୍ଛପଗତିରେ ଚାଲିଛି। ୱାର୍ଡ ଗଠନ ହୋଇପାରୁ ନଥିବାରୁ ନିଜନିଜ ଅଞ୍ଚଳର ସମସ୍ୟା ପାଇଁ ବସ୍ତିବାସିନ୍ଦା ବାରମ୍ବାର ଆର୍‌ଏମ୍‌ସି କାର୍ଯ୍ୟାଳୟକୁ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି। ଜାଗା ମିସନ, ମୁକ୍ତା, ସ୍ବଚ୍ଛ ଭାରତ ମିସନ ଏମିତି ଅନେକ ଯୋଜନାରେ କୋଟିକୋଟି ଟଙ୍କାର ବିକାଶମୂଳକ କାମ ହୋଇଛି।

କିନ୍ତୁ ଅଧିକାଂଶ ବସ୍ତିରେ ବିକାଶ ଯେତିକି ହେବା କଥା, ହୋଇପାରିନି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ପୂର୍ବତନ ନଗରପାଳ ନୀହାର ରାୟ କହିଛନ୍ତି, ପୂର୍ବ ବିଜେଡି ସରକାର ସ୍ମାର୍ଟସିଟି ଅର୍ଥ ହଡପ୍‌ କରିବା ଲକ୍ଷ୍ୟରେ ଜାଣିଶୁଣି ଆର୍‌ଏମ୍‌ସି ନିର୍ବାଚନ କରାଉ ନଥିଲେ। ଆର୍‌ଏମ୍‌ସି ନିର୍ବାଚନ କରିବା ବିଜେପି ସରକାର ପ୍ରମୁଖ ଦାବି ଥିଲା। ଏବେ ସରକାର ଆସିଛି, ରାଜ୍ୟ ନଗର ଉନ୍ନୟନମନ୍ତ୍ରୀ, ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିର୍ବାଚନ କିପରି ଶୀଘ୍ର ହେବ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। ନହେଲେ ବସ୍ତିର ବିକାଶ ଆଗେଇ ପାରିବ ନାହିଁ।

କାର୍ଯ୍ୟାଳୟରେ ଅଫିସରରାଜ ବଢ଼ି ଚାଲିବ। ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଛନ୍ତି, ଆର୍‌ଏମ୍‌ସିରେ ସାମିଲ ହୋଇଥିବା ଦୁଇଟି ପଞ୍ଚାୟତ ଜଗଦା ଓ ଝାରତରଙ୍ଗରେ ବିକାଶମୂଳକ କାମ ହେଉଛି। ହାଇକୋର୍ଟରେ ଚାଲିଥିବା କେସ୍‌ ଉଠାଇବାକୁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଖୁବ୍‌ଶୀଘ୍ର ଆର୍‌ଏମ୍‌ସି ନିର୍ବାଚନ ହେବାକୁ ଯାଉଛି। ବିଜେଡିର ବରିଷ୍ଠ ନେତା ବୀରେନ ସେନାପତି କହିଛନ୍ତି, ହାଇକୋର୍ଟରେ ମାମଲା ରହିଥିବା ସମସ୍ତେ ଜାଣିଛନ୍ତି। ବିଜେପି ସରକାରକୁ ଆସିଲେ ତିନି ମାସ ମଧ୍ୟରେ ନିର୍ବାଚନ କରିବ ବୋଲି କହିଥିଲା। କିନ୍ତୁ ଏ​ବେ ହାରିବା ଭୟରେ ଆର୍‌ଏମ୍‌ସି ନିର୍ବାଚନ କରାଉନାହିଁ।

 sundargarh | RMC | election 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe