ଆର୍‌ଏମ୍‌ସି ମାଡ଼ିବସିଛି ସରକାରୀ କଲେଜ ଜମି: ସ୍ଥାନାନ୍ତର ହୋଇପାରୁନି ଯୁକ୍ତ ଦୁଇ କଲେଜ

Advertisment

ଗଢ଼ିଉଠିଛି ୩୦୦ ବେଆଇନ ଦୋକାନ

ଗଢ଼ିଉଠିଛି ୩୦୦ ବେଆଇନ ଦୋକାନ

ଆର୍‌ଏମ୍‌ସି ମାଡ଼ିବସିଛି ସରକାରୀ କଲେଜ ଜମି: ସ୍ଥାନାନ୍ତର ହୋଇପାରୁନି ଯୁକ୍ତ ଦୁଇ କଲେଜ

ରାଉରକେଲା: ପାନପୋଷ ବ୍ୟବସାୟୀଙ୍କୁ ଅସ୍ଥାୟୀ ଦୋକାନ ଦେବା ନାଁରେ ସରକାରୀ ସ୍ବୟଂଶାସିତ କଲେଜ ଜାଗାକୁ ମାଡ଼ିବସିଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)। ପ୍ରାୟ ୭ ଏକର ପରିମିତ ମୂଲ୍ୟବାନ ଜମି ଆର୍‌ଏମ୍‌ସି ଅଧୀନରେ ରହିଛି। ଥଇଥାନ ହୋଇଥିବା ପାନପୋଷ ବ୍ୟବସାୟୀଙ୍କୁ ନୂଆ ମାର୍କେଟକୁ ସ୍ଥାନାନ୍ତର କରିବାପରେ ମଧ୍ୟ ଆର୍‌ଏମ୍‌ସି ଉକ୍ତ ଜାଗାକୁ ଖାଲି କରୁନାହିଁ। ବରଂ ଦାୟିତ୍ବରେ ଥିବା ଆର୍‌ଏମ୍‌ସିର କିଛି ଅଧିକାରୀ ଏହି ଜାଗାରେ ଶହଶହ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି।

ଗତ ପ୍ରାୟ ୪ ବର୍ଷ ମଧ୍ୟରେ ଏହି ଜାଗାରେ ଗଢ଼ି ଉଠିଛି ୩୦୦ରୁ ଅଧିକ ବେଆଇନ ଦୋକାନ। କେବଳ ଏତିକି ନୁହେଁ ଏହି ଜାଗାରେ ଆର୍‌ଏମ୍‌ସିର ଶୀତଳ ଭଣ୍ଡାର, ସୁଲଭ ‌ଶୌଚାଳୟ, ଅଟୋଷ୍ଟାଣ୍ଡ ଓ ସ୍ଥାୟୀ ପରିବାପିଣ୍ଡି ନିର୍ମାଣ କରାଯାଇଛି। ନିକଟରେ ଏହି ପରିବାପିଣ୍ଡିକୁ ଆର୍‌ଏମ୍‌ସି ପକ୍ଷରୁ ନିଲାମ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୩୦୦ରୁ ଅଧିକ ଦୋକାନୀଙ୍କଠାରୁ ଆର୍‌ଏମ୍‌ସି ଟଙ୍କାଟିଏ ମଧ୍ୟ ଟିକସ୍‌ ଆଦାୟ କରୁନାହିଁ ବୋଲି ଉପାୟୁକ୍ତ ଅନିତା ନାୟକ କହିଛନ୍ତି।

ତେବେ ଜବରଦଖଲକାରୀଙ୍କଠୁ ପ୍ରତିମାସ ଆଦାୟ ହେଉଥିବା ଲକ୍ଷଲକ୍ଷ ଟଙ୍କା ଆର୍‌ଏମ୍‌ସିର କେଉଁ ଅଧିକାରୀଙ୍କ ପକେଟକୁ ଯାଉଛି, ତାହା ତଦନ୍ତ ସାପେ‌କ୍ଷ। ଜାଗା ଖାଲି ହେଉନଥିବାରୁ କଲେଜର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ପୋଷ୍ଟକାର୍ଡ ପଠାଇଥିଲେ।

ଏଥିସହ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ଆର୍‌ଏମ୍‌ସି କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କେହି ଏଥିପ୍ରତି କର୍ଣ୍ଣପାତ କରି ନଥିଲେ। ସରକାର ବଦଳିବା ପରେ ଜାଗାକୁ ଖାଲି କରିବାକୁ ବିଭିନ୍ନ ମହଲରୁ ଦାବି ଜୋରଧରିଛି। କାରଣ ଆସନ୍ତା ଦିନରେ ସରକାରୀ କଲେଜକୁ ବିଶ୍ବବିଦ୍ୟାଳୟ କରାଯିବାର ପ୍ରସ୍ତାବ ରହିଛି। ସ୍ବୟଂଶାସିତ କଲେଜ କ୍ୟାମ୍ପସ ପରିସରସ୍ଥ ଯୁକ୍ତଦୁଇ କଲେଜକୁ ପୃଥକ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଆସିଛି। ପିଲାଙ୍କସଂଖ୍ୟା ବଢ଼ୁଥିବାରୁ ଅନ୍ୟାନ୍ୟ ପ୍ରକଳ୍ପ କରାଯିବାର ମଧ୍ୟ ଯୋଜନା ରହିଛି।

ଏସବୁ ଦୃଷ୍ଟିକୋଣରୁ ‌ଆର୍‌ଏମ୍‌ସି ମାଡ଼ିବସିଥିବା କଲେଜ୍‌ର ଜମିକୁ ଖାଲି କରିବା ଜରୁରୀ ହୋଇପଡ଼ିଛି। ଆର୍‌ଏମ୍‌ସି ଉପାୟୁକ୍ତ ଅନିତା ନାୟକ କହିଛନ୍ତି, ସେଠାରେ ୧୫୦ ଦୋକାନୀଙ୍କୁ ଅସ୍ଥାୟୀ ଥଇଥାନ କରାଯାଇଥିଲା। ୧୧୫ ଦୋକାନୀଙ୍କୁ ନୂଆ ମାର୍କେଟକୁ ସ୍ଥାନାନ୍ତର କରାଯାଇଛି। ମାତ୍ର ୩୫ ଦୋକାନୀ ଏବେ ସେଠାରେ ଅଛନ୍ତି। ଅନ୍ୟ ଦୋକାନୀମାନଙ୍କୁ ଆର୍‌ଏମ୍‌ସି ଥଇଥାନ କରିନାହିଁ। ୩୫ ଦୋକାନୀଙ୍କୁ ନୂଆ ମାର୍କେଟକୁ ସ୍ଥାନାନ୍ତର କରିବାପରେ ବିଭାଗୀୟ ଉଚ୍ଚ ଅଧିକାରୀ ଯାହା ନିଷ୍ପତ୍ତି ନେବେ, ତାହା କରାଯିବ। କେବଳ ଅସ୍ଥାୟୀ ପରିବା ହାଟ କରାଯାଇଛି।

ସରକାରୀ ସ୍ବୟଂଶାସିତ କଲେଜର ଅଧ୍ୟକ୍ଷ ଡ. ବିଜୟ କୁମାର ବେହେରା କହିଛନ୍ତି, ୨୦୦୫ରେ ଲ୍ୟାଣ୍ଡ ଆଲଟମେଣ୍ଟ କମିଟି କଲେଜକୁ ପ୍ରାୟ ୩୫ ଏକର ଜାଗା ଦେଇଥିଲେ। ଏଥି ମଧ୍ୟରୁ ମାତ୍ର ୧୨ ଡେସିମଲ୍‌ ଜାଗାରେ ପାଣିଟାଙ୍କି ତିଆରି ପାଇଁ ୱାଟ୍‌କୋକୁ ଦିଆ ଯାଇଥିଲା। ୨୦୧୯ରେ ୭ ଏକର ଜାଗାରେ ଆର୍‌ଏମ୍‌ସି ପାନପୋଷର ୧୫୦ ଦୋକାନୀଙ୍କୁ ଥଇଥାନ କରିଥିଲେ। ନୂଆମାର୍କେଟକୁ ଯିବାପରେ ମଧ୍ୟ ଜାଗାକୁ ଖାଲି କରାଯାଉ ନାହିଁ। ଏହି ଜାଗା ଖାଲି କରାନଗଲେ ଭବିଷ୍ୟତରେ କଲେଜର ବିକାଶମୂଳକ କାମ ପାଇଁ ସ୍ଥାନାଭାବ ଦେଖାଦେବ। ଅର୍ଥ ଆସିଲେ ମଧ୍ୟ କାମ ହୋଇପାରିବ ନାହିଁ। କଲେଜ ଜାଗା, କଲେଜ ଅଧୀନରେ ରହିଲେ ଭଲ ବୋଲି ଡ. ବେହେରା ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe