ଖତଖାଉଛି ଆର୍‌ଏମ୍‌ସିର ଅଳିଆବୁହା ଗାଡ଼ି: ୬୦ରୁ ଚାଲୁଛି ୩୫ ବ୍ୟାଟେରି ଯାନ

Advertisment
ଖତଖାଉଛି ଆର୍‌ଏମ୍‌ସିର ଅଳିଆବୁହା ଗାଡ଼ି: ୬୦ରୁ ଚାଲୁଛି ୩୫ ବ୍ୟାଟେରି ଯାନ

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ପ୍ରକଳ୍ପ ପରିଚାଳନା ୟୁନିଟ୍‌ (ପିଏମ୍‌ୟୁ) ଓ ଠିକାସଂସ୍ଥାର ଭିତିରି ସମ୍ପର୍କରୁ ଅନେକ ପ୍ରକଳ୍ପ ସହରବାସୀଙ୍କ କାମରେ ଆସୁନି। ଗୋଟିଏ କି ଦୁଇଟି ନୁହେଁ ପିଏମୟୁ ଦ୍ବାରା ଯେତେଗୁଡ଼ିଏ ପ୍ରକଳ୍ପ ହୋଇଛି, ପ୍ରାୟ ଅଧିକାଂଶର ସ୍ଥିତି ଖରାପ। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଅଳିଆବୁହା ବ୍ୟାଟେରି ଗାଡ଼ିକୁ ଉଦାହରଣ ଭା‌ବେ ନିଆଯାଇପାରେ।

ସହରର ୪୦ଟି ୱାର୍ଡରୁ ଅଳିଆ ଆର୍ବଜନା ସଂଗ୍ରହ କରିବାକୁ ଆର୍‌ଏମ୍‌ସି ପିଏମ୍‌ୟୁ ଜରିଆରେ ୬୦ଟି ବ୍ୟାଟେରି ଚାଳିତ ମାଲବାହୀ ଅଟୋ କିଣାଯାଇଥିଲା। ଏଥିସହ ଏହା ପୂର୍ବରୁ ପ୍ରାୟ ୮୦୦ରୁ ଅଧିକ ତିନି ଚକିଆ ଠେଲା ମଧ୍ୟ କିଣାଯାଇଛି। ୬୦ଟି ବ୍ୟାଟେରି ଚାଳିତ ମାଲବାହୀ ଅଟୋରୁ ୩୫ଟି ଗଡୁଛି। ୨୫ଟି ବ୍ୟା‌ଟେରି ଅଟୋ ଛେଣ୍ଡ ବାଗବୁଡ଼ିବସ୍ତିସ୍ଥ ଆର୍‌ଏମ୍‌ସ୍‌ ୟାର୍ଡରେ ଖତ ଖାଉଛି। ବାକି ଯେଉଁ ୩୫ଟି ଚାଲୁଛି, ତା’ ମଧ୍ୟରୁ କିଛି ଅଟୋ ଅଧିକାଂଶ ସମୟରେ ଖରାପ ହେଉଛି। ମାସମାସ ଧରି ପଡ଼ିଥିବା ଅଟୋଗୁଡ଼ିକୁ ଠିକାସଂସ୍ଥା ପକ୍ଷରୁ ମରାମତି କରାଯାଉ ନାହିଁ। ମରାମତି ପରେ ପଡ଼ି ରହିଥିବା ଅଟୋଗୁଡ଼ିକ ଚାଲିବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି।

ଆର୍‌ଏସ୍‌ପି କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ଧ୍ୟାନ ଦେଉନାହାନ୍ତି। ‘ସରକାର କା ମାଲ୍‌, ଦରିଆ ମେ ଡାଲ୍‌’ ପରି ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଖତଖାଉଛି। ସେମିତି ପ୍ରାୟ ୪୦୦ରୁ ଅଧିକ ୩ ଚକିଆ ଅଳିଆ ଠେଲା ବ୍ୟବହାର ନ ହୋଇ ପଡିଛି। ଏଥିରୁ ୩୦% ଖରା ବର୍ଷାରେ ନଷ୍ଟ ହୋଇଗଲାଣି। ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ବ୍ୟାଟେରି ଚାଳିତ ମାଲ୍‌ବାହୀ ଅଟୋ କିଛି ମାସ ଚାଲିବା ପରେ ଅଚଳ ହୋଇଯିବା ଓ ତିନିଚକିଆ ଠେଲାଗୁଡ଼ିକ ଖତ ଖାଇବା ପଛରେ ବଡଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଆବଶ୍ୟକ ନଥାଇ ଏତେ ସଂଖ୍ୟାରେ ଗାଡ଼ି କାହିଁକି କିଣାଯାଇଥିଲା, କିଛି ମାସ ପରେ ସେଗୁଡ଼ିକ କାହିଁକି ବନ୍ଦ ହୋଇଗଲା, ଏସବୁରେ କାହାର ସଂପୃକ୍ତି ରହିଛି ‌ସେସବୁର ବିସ୍ତୃତ ତଦନ୍ତ କରିବାକୁ ଦାବି ହେଉଛି।

ରାଉରକେଲା ମହାନଗର ନିଗମ ୪୦ଟି ୱାର୍ଡରୁ ଦୈନିକ ପ୍ରାୟ ୫୦ ଟନ୍‌ରୁ ଅଧିକ ଆବର୍ଜନା ବାହାରୁଛି। ୪୦ ୱାର୍ଡ ଅନ୍ତର୍ଗତ ୧୩୨ ବସ୍ତିର ୪୦ ହଜାର ୪୮୦ ଘର ଓ ୧୮ ହଜାର ୫୦୦ କୋଠାରୁ ଆବର୍ଜନା ସଂଗ୍ରହ କରାଯାଉଛି। ଆବର୍ଜନା ପରିଚାଳନା ପାଇଁ ବ୍ୟାଟେରି ଚାଳିତ ମାଲବାହୀ ଅଟୋ, ୩ ଚକିଆ ଠେଲା, କିଛି ଡିଲେଜ ମାଲବାହୀ ଅଟୋ ସହ ଡମ୍ପର ଓ ଟ୍ରାକ୍ଟର ମଧ୍ୟ ବ୍ୟବହାର ହେଉଛି। ଆର୍‌ଏମ୍‌ସି ପରିବହନ ବିଭାଗ ଅଧୀନରେ ପରିଚାଳିତ ହେଉଥିବା ଗାଡ଼ିଗୁଡ଼ିକ ଠିକ୍‌ ଭାବେ ଚାଲୁଛି କି ନାହିଁ, ତା’ର ତଦାରଖ କରାଯାଉ ନାହିଁ। ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳାରୁ ସରକାରଙ୍କ କୋଟିକୋଟି ଟଙ୍କା ବରବାଦ ହେଉଥିବା ଅଭିଯୋଗ ‌ହେଉଛି। ହେଲେ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍‌ ବସିଛନ୍ତି।

ଆର୍‌ଏମ୍‌ସିର ସହକାରୀ ଆୟୁକ୍ତ ଅଜିତ ପଟ୍ଟନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ, ନୂଆକରି ଯ‌ୋଗ ଦେଇଥିବାରୁ ତାଙ୍କୁ ସବୁକଥା ବିସ୍ତୃତ ଭାବେ ବୁଝିବାକୁ ହେବ। ତେବେ ଅଚଳ ପଡ଼ିଥିବା ବ୍ୟାଟେରି ଗାଡ଼ି ଗୁଡ଼ିକୁ ମରାମତି ପାଇଁ ଠିକାସଂସ୍ଥାକୁ ଡକାଯାଇଛି। କମିସନରଙ୍କ ପରାମର୍ଶକ୍ରମେ ଖୁବ୍‌ ଶୀଘ୍ର ସେଗୁଡ଼ିକ ମରାମତି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe