Sabrang India
ଅନୁଗୁଳ: ପାଲଲହଡ଼ା ବ୍ଲକ୍ ଖମାର ଥାନା ଆଲୁରି ପଞ୍ଚାୟତର ନୂଆ ଗାଁ ନିକଟସ୍ଥ ଚୋର ଘାଟି ରାସ୍ତାରେ ଗତ ରାତି ୩ଟା ବେଳେ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ହିମାଂଶୁ ପ୍ରଧାନ ବୋଲି ଜଣା ପଡ଼ିଥିବା ବେଳେ ଆହତ ଦୁଇ ଜଣ ପ୍ରଶାନ୍ତ ଆଚାର୍ଯ୍ୟ ଓ ଖଗେଶ୍ବର ପିଙ୍ଗୁଆ ବୋଲି ଜଣା ପଡ଼ିଛି। ପ୍ରଶାନ୍ତ ଆଚାର୍ଯ୍ୟ ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠା ଯାଇଛି ଏବଂ ଖଗେଶ୍ବର ପିଙ୍ଗୁଆଙ୍କ ଚିକିତ୍ସା ଖମାର ଡାକ୍ତରଖାନାରେ ଚାଲିଛି।
ସୂଚନା ମୁତାବକ, ଏହି ଘାଟି ରାସ୍ତାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟକୁ ଗୋରୁଗାଈ ବିକ୍ରି କରିବା ପାଇଁ ଗାଡ଼ିରେ ନବା ଆଣିବା କରିଥାନ୍ତି ବ୍ୟବସାୟୀ। ଗତ ମଧ୍ୟରାତ୍ରିରେ ଏହି ୩ ଜଣ ଯୁବକ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇବା ବେଳେ ଦ୍ରୁତ ଗତିରେ ଯାଉଥିବା ଏହି ଗାଡ଼ି ଏମାନଙ୍କୁ ଧକ୍କା ଦେଇଥିବାର ସନ୍ଦେହ କରାଯାଉଛି। ଏହା ସହ ଏହି ୩ ଜଣ ଯୁବକ ଦ୍ରୁତ ଗତିରେ ଗାଡ଼ିର ପିଛା କରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ି ଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ତେବେ ଖମାର ପୁଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।
Follow Us