କଟକ-ପାରାଦୀପ୍‌ ରାସ୍ତାରେ ଦୁର୍ଘଟଣା : ବାପ-ପୁଅଙ୍କ ସମେତ ତିନି ମୃତ

Advertisment

ଭୁବନେଶ୍ୱରର ୬ ଇଂଜିନିୟରିଂ ଛାତ୍ର ଗୁରୁତର , ଜନ୍ମ ଦିନରେ ୧୨ ବର୍ଷ ବାଳକର ମୃତ୍ୟୁ

ଭୁବନେଶ୍ୱରର ୬ ଇଂଜିନିୟରିଂ ଛାତ୍ର ଗୁରୁତର , ଜନ୍ମ ଦିନରେ ୧୨ ବର୍ଷ ବାଳକର ମୃତ୍ୟୁ

କଟକ-ପାରାଦୀପ୍‌ ରାସ୍ତାରେ ଦୁର୍ଘଟଣା : ବାପ-ପୁଅଙ୍କ ସମେତ ତିନି ମୃତ

କୁଜଙ୍ଗ : କୁଜଙ୍ଗ ଥାନା ପଥୁରିଆ ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବାପ ପୁଅଙ୍କ ସମେତ ତିନି ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ୧୨ ବର୍ଷର ବାଳକର ଆଜି ଜନ୍ମଦିନ ଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି। ଦୁର୍ଘଟଣାରେ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କୁ କ୍ଷତିପୂରଣ ଏବଂ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି, ଆର୍ଥିକ ସହାୟତା ପ୍ରଦାନ ଦାବିରେ ଦୀର୍ଘ ୬ ଘଣ୍ଟା ଯାଏ ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା। ତିର୍ତୋଲ ଏସଡ଼ିପିଓ, କୁଜଙ୍ଗ ଥାନା ଅଧିକରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମସ୍ତ ସରକାରୀ ସହାୟତା ପ୍ରଦାନ ପ୍ରତିଶ୍ରୁତି ପରେ ସଂଧ୍ୟା ୬ଟାରେ ରାସ୍ତାରୋକ ହଟିଥିଲା।

ସୂଚନା ଅନୁଯାୟୀ କୁଜଙ୍ଗ ଥାନା ଅନ୍ତର୍ଗତ ବଡ଼ମ୍ପାଳ ଗ୍ରାମର ପୁରୋହିତ ତଥା ଶିକ୍ଷକତା କରୁଥିବା ପରିକ୍ଷୀତ ଶତପଥୀ(୫୨) ତାଙ୍କ ପୁଅ ଓମପ୍ରକାଶ (୧୨)ଙ୍କ ସହିତ ଏକ ସ୍କୁଟିରେ କୁଜଙ୍ଗ ତହସିଲକୁ ଯାଇଥିଲେ। ସେଠାରୁ କାମ ସାରିି ସ୍ଥାନୀୟ ମେଡିକାଲରେ ଓମ୍‌ ପ୍ରକାଶଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଓମ୍‌ପ୍ରକାଶଙ୍କ ଜନ୍ମ ଦିନ ହୋଇଥିବାରୁ କେକ୍‌ ଓ ଅନ୍ୟ ସାମଗ୍ରୀ ବଜାରରୁ କିଣି ଥିଲେ। ସେହି ସମୟରେ ପେଡ଼ୋଶୀ ଗ୍ରାମ କଳଦ୍ୱୀପର ଓଲଡିଙ୍ଗ ମିସ୍ତ୍ରୀ ବୈଦ୍ୟନାଥ ନାୟକ(୩୫)ଙ୍କ ସହିତ ସେମାନଙ୍କର ଦେଖା ହୋଇଥିଲା। ବାପ-ପୁଅଙ୍କ ସହିତ ବୈଦ୍ୟନାଥ ସ୍କୁଟିରେ ବସି ଘରକୁ ଫେରିଥିଲେ। ସେହି ସମୟରେ ଏକ ନମ୍ବର ବିହୀନ ଟାଟା ହେକ୍ସା ଚାରିଚକିଆ ଗାଡ଼ିରେ ଭୁବନେଶ୍ୱରର ୬ ଜଣ ଇଞ୍ଜିନିୟରିଂ ଛାତ୍ର ପାରାଦ୍ୱୀପ ଆଡ଼କୁ ଯାଉଥିିଲେ। ଦ୍ରୁତଗତିରେ ଯାଉଥିବା ଏହି ଗାଡ଼ିଟି କଟକ-ପାରାଦୀପ ରାଜପଥର ପଥୁରିଆ ଗଡ଼ା ନିକଟରେ ନିୟନ୍ତ୍ରଣ ହରାଇ ଡାହଣ ପଟକୁ ମାଡ଼ି ଯାଇ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଚାରି ଚକିଆ ଗାଡ଼ିଟି ରାସ୍ତା ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଥିବା ୬ ଜଣଙ୍କୁ ପ୍ରଥମେ କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe