ମୌଳିକ ସୁବିଧାରୁ ବଂଚିତ ପାଳଲହଡ଼ା ବ୍ଲକ୍‌ ପେଚାମୁଣ୍ଡି ପଞ୍ଚାୟତର ଖଣ୍ଡୁଆଳସାହି : ନା ଅଛି ରାସ୍ତା ନା କୂଅ, ପାନୀୟ ଜଳ ପାାଇଁ ନଦୀକୂଳ ଚୁଆ ଭରସା

ମୌଳିକ ସୁବିଧାରୁ ବଂଚିତ ପାଳଲହଡ଼ା ବ୍ଲକ୍‌ ପେଚାମୁଣ୍ଡି ପଞ୍ଚାୟତର ଖଣ୍ଡୁଆଳସାହି : ନା ଅଛି ରାସ୍ତା ନା କୂଅ, ପାନୀୟ ଜଳ ପାାଇଁ ନଦୀକୂଳ ଚୁଆ ଭରସା

ପାଳଲହଡ଼ା : ପାଳଲହଡ଼ା ବ୍ଲକ୍‌ ପେଚାମୁଣ୍ଡି ପଞ୍ଚାୟତର ଖଣ୍ଡୁଆଳସାହି। ପ୍ରାୟ ୬୦ଟି ପରିବାର ବାସକରୁଥିବା ଏହି ଗାଁ ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଂଚିତ ହୋଇରହିଛି।

ସୂଚନା ଅନୁଯାୟୀ, ଡାଲୋ ଛକରୁ ପେଚାମୁଣ୍ଡି ମୁଖ୍ୟରାସ୍ତାରେ ଦୁଇ କି.ମି. ଗଲେ କିଛି ଦୂରରେ ପଡ଼େ ଖଣ୍ଡୁଆଳସାହି। ଗାଁକୁ ରାସ୍ତା ନାହିଁ। ପାଦଚଲା ରାସ୍ତାରେ ଗମନାଗମନ। ଗାଁର ‌ଶିଶୁମାନେ ଦୁଇ କି.ମି. ଶିମିଳିପାଳ ଅଙ୍ଗନବାଡ଼ିକୁ ଓ ଛୋଟ ପିଲାମାନେ ୩ କି.ମି. ଦୂର ଡାଲୋ ସ୍କୁଲ୍‌କୁ ପଢ଼ିବାକୁ ଯାଉଛନ୍ତି। ରାସ୍ତା ଜଙ୍ଗଲିଆ ହୋଇଥିଲେ ବି ପିଲାମାନେ ସେଥିରେ ଚଳାଚଳ କରିବା ପାଇଁ ବାଧ୍ୟ ହେଉଛନ୍ତି। ଗାଁରେ ନଳକୂଅଟିଏ ନାହିଁ। ସେଠାରୁ ଦେଢ଼ କି.ମି. ଦୂରରେ ଜଙ୍ଗଲ ଭିତର ପାଦଚଲା ରାସ୍ତାରେ ଗଲେ ପଡ଼େ ମାଙ୍କଡ଼ା ନଦୀ। ନଦୀକୂଳରେ ଚୁଆ ଖୋଳି ଅଧିବାସୀମାନେ ପାନୀୟ ଜଳ ସଂଗ୍ରହ କରୁଛନ୍ତି। କି ଖରା, କି ବର୍ଷା, କି ଶୀତ ନଦୀକୂଳରୁ ପାଣିମୁନ୍ଦେ ନଆଣିଲେ ନଚଳେ।

ପ୍ରଶାସନ ସେମାନଙ୍କର ଏହି ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଗାଁର ଅହଲ୍ୟା ଖଣ୍ଡୁଆଳ ଓ ବରିଷ୍ଠ ନାଗରିକ ବୁଧୁରାମ ଖଣ୍ଡୁଆଳ। ବର୍ଷା ଦିନେ ଗାଁରୁ ବାହାରିବା ମୁସ୍କିଲ୍‌ ହେଉଛି। ଜଙ୍ଗଲ ଘେରା ପାଦଚଲା ରାସ୍ତାରେ ଯାଇ ନଦୀକୂଳରୁ ପାଣି ଆଣିବା ପାଇଁ ନାକେଦମ୍‌ ହେବାକୁ ପଡ଼ୁଛି। ଆମେ ଯମ ଯନ୍ତ୍ରଣା ଭୋଗୁଛୁ ବୋଲି କହିଛନ୍ତି ଅହଲ୍ୟା ଓ ବୁଧୁରାମ। ସରକାର ପାନୀୟ ଜଳ ଯୋଗାଣ ପାଇଁ ଅନ୍ୟ ଗାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଆମକୁ କାହିଁକି ଏହି ମୌଳିକ ସୁବିଧାରୁ ବଂଚିତ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ତୁରନ୍ତ ଗାଁରେ ନଳକୂଅ ଖୋଳାଯିବା ସହ ରାସ୍ତା ନିର୍ମାଣ କରାଯିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe