ଧାନବିକ୍ରି ସମସ୍ୟା: ପଲସାଗୋରାରେ ରାସ୍ତାରୋକ

Advertisment
ଧାନବିକ୍ରି ସମସ୍ୟା: ପଲସାଗୋରାରେ ରାସ୍ତାରୋକ

ପଲସାଗୋରା: ଧାନବିକ୍ରି ସମସ୍ୟା ଯୋଗୁଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀମାନେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ପଲସାଗୋରାଠାରେ କଣ୍ଟାମାଳ-ମନମୁଣ୍ଡା ୪୧ ନମ୍ବର ରାଜ୍ୟ ରାଜପଥକୁ ଶତାଧିକ ଚାଷୀ ଅବରୋଧ କରିଛନ୍ତି।

ସୂଚନା ଅନୁସାରେ ବ୍ଲକ୍‌ର ଲୋକାପଡ଼ା ଓ ରୁଣ୍ଡିମହୁଲ ପ୍ୟାକ୍ସର ଶତାଧିକ ଚାଷୀ ଖରିଫ ଋତୁରେ ଧାନ ଚାଷ କରି ବିକ୍ରିବାକୁ ସରକାରଙ୍କ ନିୟମ ଅନୁସାରେ ପଞ୍ଜୀକରଣ କରିଥିଲେ ହେଁ ଟୋକନ ପାଇ ନାହାନ୍ତି। ଏନେଇ ଚାଷୀମାନେ ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପ୍ରତିକାର କରୁ ନାହାନ୍ତି। ଶେଷରେ ବୁଧବାର ଭୋର୍‌ରୁ ପଲଶାଗୋରା ହାଇସ୍କୁଲ ଛକଠାରେ ରାସ୍ତାରେ ଧାନବସ୍ତା ପକାଇ ରାସ୍ତାରୋକ କରିଥିଲେ। ଖବର ପାଇ ଲୋକାପଡ଼ା ପ୍ୟାକ୍ସ ସମ୍ପାଦକ ନିର୍ମଳ ବିଶ୍ବାଳ ଓ କର୍ମଚାରୀ ପହଞ୍ଚି ଶତାଧିକ ଚାଷୀଙ୍କ ନାମ ପୁନଃ ଟୋକନ ପାଇବା ପାଇଁ ପଞ୍ଜୀକରଣ କରିଥିଲେ।

ରାସ୍ତାରୋକରେ ଯୁବନେତା ଓମ୍‌ ପ୍ରକାଶ ମିଶ୍ର, ମୁନା ମିଶ୍ର, ଚାଷୀନେତା ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରବୀନ୍ଦ୍ର ପ୍ରଧାନ, ଅସୀମ ଅଭିଷେକ ପଣ୍ଡା, ରଞ୍ଜନ ପଣ୍ଡା, ଲୋକାପଡ଼ା ଫ୍ୟାକ୍ସ ସଭାପତି ପୀତାମ୍ବର ସାହୁ, ଆଦିତ୍ୟ ପ୍ରଧାନ, ମୁନା ସାହୁ, ସଂକେତ ସାହୁ, ପୁରୁଷୋତ୍ତମ ଦଳବେହେରା, ଦିଲୀପ ମହାକୁଡ଼, ନବୀନ ମହାପାତ୍ର, ଗୋପାଳ ପୁରୋହିତ, ଆଲୋକ ଖେତୀ, ଅଚ୍ୟୁତ ଖମାରୀ, ପ୍ରମୋଦ ପ୍ରଧାନ, ଧନମାଳୀ କର୍ଣ୍ଣଙ୍କ ସହ ବହୁ ଚାଷୀ ରାସ୍ତାରୋକରେ ସାମିଲଥିଲେ। ପରେ ଘଟଣାସ୍ଥଳକୁ ଏଆର୍‌ସିଏସ୍‌ ହାଡ଼ିବନ୍ଧୁ ମହାକୁଡ଼ ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଜାନକୀ ସିଂହ ପହଞ୍ଚି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ସକାଳ ୬ଟାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ରାସ୍ତାରୋକ ହେବାରୁ ଉଭୟ ପାର୍ଶ୍ୱରେ ଟ୍ରକ୍‌, ବସ୍‌ ଓ ଅନ୍ୟାନ୍ନ ଯାନବାହନ ଅଟକି ରହିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଜିଲ୍ଲା ଅଧିକାରୀଙ୍କୁ ଚାଷୀମାନେ ପଲଶାଗୋରା କଲ୍ୟାଣ ମଣ୍ଡପଠାରେ ଅଟକ ରଖି ଆଲୋଚନା ଜାରି ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe