କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପେକ୍ସ ଅଧୀନ ଗଜବାହାଲ ପଞ୍ଚାୟତର ସାପ୍ତାହିକ ବଜାର ପ୍ରାଙ୍ଗଣରେ ଖରିଫ ଧାନ ମଣ୍ଡି ଖୋଲିବା ଦାବିରେ ଚାଷୀମାନେ ଗଜବାହାଲ ଛକରେ ରାସ୍ତାରୋକ କରିଛନ୍ତି। ଗଜବାହାଲ ସମିତିସଭ୍ୟା ତଥା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ପୂର୍ବତନ ସମିତି ସଭ୍ୟା ବୀଣାପାଣି ସା, ନାଏବ ସରପଞ୍ଚ ଦେବକୀ ମହାନନ୍ଦ, ନୃପମଣି ଗହୀର, ସୁବଳ ପଧାନ, ପ୍ରଫୁଲ୍ଲ ସାହୁ, ଅଖିଳ ମିଶ୍ର, ଜ୍ୟୋତି ରଞ୍ଜନ ପଧାନ, ଅଶ୍ୱିନୀ ବେହେରା, ମୋତିରାମ ସାହୁ, ଦାମୋଦର ପଧାନ, ରଶ୍ମୀରଞ୍ଜନ ମିଶ୍ର ପ୍ରମୁଖଙ୍କ ନେତୃ୍ତ୍ୱରେ ଶତାଧିକ ଚାଷୀ ରାସ୍ତାରୋକ କରି ଧାରଣାରେ ବସିଛନ୍ତି।
ଧାରଣାସ୍ଥଳକୁ ସ୍ଥାନୀୟ ତହସିଲଦାର ମିଳନ କୁମାର ଝାଙ୍କର ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ମଣ୍ଡି ସ୍ଥାପନ ଦାବିରେ ସେମାନେ ଅଟଳ ରହିଥିଲେ। ପରେ ସମବାୟ ସମୂହର ସହକାରୀ ନିବନ୍ଧକ ମଧୁସୂଦନ ମେହେର, ସମବାୟ ନିରୀକ୍ଷକ ଅଜୟ କୁମାର ମୁଦୁଲି, ରିଷିଡ଼ା ପେକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋଲାପ ଚନ୍ଦ୍ର ରଣା ପ୍ରମୁଖ ଧାରଣାସ୍ଥଳକୁ ଆସି ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ମଣ୍ଡି ନଖୋଲିବା ଯାଏ ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଧାରଣାସ୍ଥଳରେ ରିଷିଡ଼ା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟାରେ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପଧାନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି। ଆନ୍ଦୋଳନକାରୀ ଧାରଣା ଜାରି ରଖିଥିବା ଜଣାପଡ଼ିଛି।
Follow Us