ଅଜଣା ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ ଘଟଣା: ରାତିସାରା ରାସ୍ତାରୋକ

Advertisment
ଅଜଣା ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ ଘଟଣା: ରାତିସାରା ରାସ୍ତାରୋକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିନିକା-ରାମପୁର ରାସ୍ତା ଦାନୀପାଲି ଛକରେ ଗୁରୁବାର ଏକ ଅଜଣା ଗାଡ଼ି ଧକ୍କାରେ ଗୋବିନ୍ଦ ଗୁରୁ ଓରଫ୍‌ ଅଶୋକ (୨୮ବର୍ଷ) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବୁଧବାର ସନ୍ଧ୍ୟାରୁ ଗୁରୁବାର ସକାଳ ଯାଏ ରାତିସାରା ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକକୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ।

ସୂଚନା ଅନୁଯାୟୀ, ଗୁରୁବାର ସଂଧ୍ୟାରେ ଏକ ରାଇସ୍‌ ମିଲ୍‌ରେ ଶ୍ରମିକ କାମ କରୁଥିବା ଗୋବିନ୍ଦ କାମ ସାରି ବିନିକା ସହର ପାତିକାରପଡ଼ାସ୍ଥିତ ନିଜ ଘରକୁ ସାଇକଲ ଯୋଗେ ଫେରୁଥିଲେ। ଦାନୀପାଲି ଛକରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ରାସ୍ତା ଉପରେ ଷ୍ଟ୍ରେଚରରେ ମୃତଦେହ ରଖି ରାତି ତମାମ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଯାନବାହନ ଅଟକି ରହିଥିଲା। ରାତିରେ ପୁଲିସ୍‌ ଅଧିକାରୀଙ୍କ ସମେତ ବରିଷ୍ଠ ପ୍ରାଶାସନିକ ଅଧିକାରୀ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇ ନଥିଲା।

ଶୁକ୍ରବାର ସକାଳେ ଏଡିଏମ୍‌ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର, ଏଏସ୍‌ପି ଜେ.ଜେ. ପଟେଲ, ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ବିଡିଓ ବ୍ୟାସଦେବ ବେହେରା, ଅତିରିକ୍ତ ତହସିଲଦାର ରୂପକ କୁଜୁର, ଆଇଆଇସି ପବିତ୍ର ସାହୁ, ଅତିରିକ୍ତ ଆଇଆଇସି କୃଷ୍ଣଚନ୍ଦ୍ର ମେହେର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଓ ରେଡକ୍ରସ୍‌ରୁ ୧୦ ହଜାର ଟଙ୍କା ଓ ଏଡିଏମ୍ ଶ୍ରୀ ଦାଶ ନିଜ ହାତରୁ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ବିନିକା ପୁଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ବିନିକା ଥାନା କେସ ନମ୍ବର ୧୦୦ରେ ଏକ ମାମଲା ରୁଜୁ କରି ଏଏସ୍‌ଆଇ ସବ୍ୟସାଚୀ ପ୍ରଧାନ ତଦନ୍ତ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୧୫ ଦିନ ପୂର୍ବେ ବିବାହ କରିଥିଲେ ଅଶୋକ। ନବବିବାହିତା ପତ୍ନୀଙ୍କ ହାତରୁ ମେହେନ୍ଦି ଲିଭି ନଥିବା ବେଳେ ଲିଭିଗଲା ମଥାର ସିନ୍ଦୂର। ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସହରରେରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe