ଓଡ଼ିଶାରେ ପଶି ଆନ୍ଧ୍ରର ରାସ୍ତା ନିର୍ମାଣ

Advertisment
ଓଡ଼ିଶାରେ ପଶି ଆନ୍ଧ୍ରର ରାସ୍ତା ନିର୍ମାଣ

ରାୟଗଡ଼ା : ଓଡ଼ିଶା ସୀମା ଭିତରେ ପଶି ପୁଣି ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର। ୨ କିମି ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର କାମ ଚଲାଇଥିବା ବେଳେ ବନ୍ଦ କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ଦୁଇ ରାଜ୍ୟର ରାଜସ୍ବ ବିଭାଗ-ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସୀମା ମାପଚୁପ ସରିବା ପରେ ଆନ୍ଧ୍ର ନିର୍ମାଣ କରୁଥିବା ରାସ୍ତାକୁ ରାୟଗଡ଼ା ବ୍ଲକ୍ ପ୍ରଶାସନ କରିବାକୁ ନିଷ୍ପତ୍ତି ନେଇଛି।

ଓଡ଼ିଶାର ପାଲମତୁଲସୀରୁ ଆନ୍ଧ୍ରର ଗୋଲାଲେଙ୍କାକୁ ଯାଉଛି ରାସ୍ତା
ନିର୍ମାଣ ବନ୍ଦ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ
ଦୁଇ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ମାପଚୁପ

ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲା ଗୁମ୍ମାଲକ୍ଷ୍ମୀପୁରମ୍ ତହସିଲ ଗୋଇପାକାରୁ ଗୋଲାଲେଙ୍କା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ। ଉକ୍ତ ରାସ୍ତା ମଧ୍ୟରେ ରହିଛି ରାୟଗଡ଼ା ଜିଲ୍ଲା ଦୁର୍ଗାପାଡ଼ୁ ପଞ୍ଚାୟତର ପାଲମତୁଲସୀ ଗାଁ। ପାଲମତୁଲସୀ ଗାଁର ଚତୁଃପାର୍ଶ୍ବରେ ରହିଛି ଆନ୍ଧ୍ରର ବିଭିନ୍ନ ଗ୍ରାମ। ଗୋଇପାକାରୁ ଗୋଲାଲେଙ୍କା ଯିବାପାଇଁ ଅନ୍ୟ କୌଣସି ରାସ୍ତା ନଥିବାରୁ ଓଡ଼ିଶାର ପାଲମତୁଲସୀ ଗାଁ ଦେଇ ଆନ୍ଧ୍ରବାସୀ ଯାତାୟାତ କରୁଛନ୍ତି। ଯାତାୟାତ ରାସ୍ତା ପକ୍କା ହୋଇନଥିବାରୁ ବର୍ଷାଦିନ ସମେତ ଅନ୍ୟ ଦିନରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗୋଲାଲେଙ୍କା ଗ୍ରାମବାସୀଙ୍କ ଅନୁରୋଧ ପରେ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କାମ ଆରମ୍ଭ କରିଛନ୍ତି। ଆନ୍ଧ୍ର ଅଧୀନରେ ଥିବା ରାସ୍ତା ନିର୍ମାଣ ସରିଥିବା ବେଳେ ଓଡ଼ିଶା ସୀମାନ୍ତର ୨ କିମି ରାସ୍ତା ନିର୍ମାଣଧୀନ ଥିଲା। ଓଡ଼ିଶା ସରକାର ତଥା ରାୟଗଡ଼ା ଜିଲ୍ଲା ପ୍ରଶାସନର ଅଜାଣତରେ ଆନ୍ଧ୍ର ଉକ୍ତ ରାସ୍ତା କାମ କରୁଥିଲା।

ଏ ସମ୍ପର୍କ‌ରେ ସୂଚନା ପାଇ ରାୟଗଡ଼ା ବିଡିଓ ଲକ୍ଷ୍ମୀନାରାୟଣ ସାବତ, ତହସିଲଦାର ତାପସ ରାଉତ ପହଞ୍ଚି ରାସ୍ତା କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ରାଜ୍ୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଆଜି ସୀମା ପୁନଃ ନିର୍ଦ୍ଧାରଣ ହୋଇଛି। ଗୁମ୍ମାଲକ୍ଷ୍ମୀପୁରମ୍ ତହସିଲଦାର, ଆନ୍ଧ୍ର ବନ ବିଭାଗ ଅଧିକାରୀଙ୍କ ସମେତ ରାୟଗଡ଼ା ବିଡିଓ ଶ୍ରୀ ସାବତ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଜୟ ପ୍ରକାଶ ଭଟ୍ଟରାୟ, ତହସିଲଦାର ଶ୍ରୀ ରାଉତ, ରାଜସ୍ବ ସୁପରଭାଇଜର ଟି. ମଲ୍ଲିକାର୍ଜୁନ୍, ରାଜସ୍ବ ନୀରିକ୍ଷକ ଅଶ୍ବିନୀ ପଣ୍ଡା, ଅମିନ୍ ହରିଶ୍ଚନ୍ଦ୍ର ଶବର ସୀମା ମାପଚୁପ କରିଥିଲେ।

ସୂଚନାଯୋଗ୍ୟ ଯେ ୨୦୨୧ରେ ରାୟଗଡ଼ା ବ୍ଲକର ସାନଲୁକୁଟି ଗାଁରେ ଆନ୍ଧ୍ର ନିର୍ମାଣ କରିଥିଲା ପୋଲ। ପୋଲ କାମ ଅଧା ସରିବା ପରେ ଜିଲ୍ଲା ପ୍ରଶାସନ ଜାଣି କାମକୁ ବନ୍ଦ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe