ବରଗଡ଼ କ୍ୟାନ୍‌ସର୍‌ ହସ୍ପିଟାଲ ପାଇଁ ପଥ ପରିଷ୍କାର

Advertisment
ବରଗଡ଼ କ୍ୟାନ୍‌ସର୍‌ ହସ୍ପିଟାଲ ପାଇଁ ପଥ ପରିଷ୍କାର

ବରଗଡ଼ : ବରଗଡ଼ କ୍ୟାନ୍‌ସର୍‌ ହସ୍ପିଟାଲ ନିର୍ମାଣ ପାଇଁ ପଥ କ୍ରମଶଃ ପରିଷ୍କାର ହୋଇଛି। ବୁଧବାର ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀ, ସିଡିଏମ୍‌ଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ସହ ଚୂଡ଼ାନ୍ତ ସ୍ଥାନ ନିରୂପଣ କରିଛନ୍ତି। ନୂଆ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ କ୍ୟାନ୍‌ସର ହସ୍ପିଟାଲ ନିର୍ମାଣ ହେବ। ଏଥିପାଇଁ ଆନୁମାନିକ ୧୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରେଡିଓ ଥେରାପି ସକାଶେ ବଙ୍କର ଏବଂ ପାଇଁ ୧୦ହଜାର ବର୍ଗ ଫୁଟ୍‌ ଯାଗା ଆବଶ୍ୟକ ରହିଛି। ଏଥିପାଇଁ ସ୍ଥାନ ନିରୂପଣ କରାଯାଇଛି। ଜଳ ପ୍ରକ୍ରିୟାକରଣ ଏବଂ ପାଚୋରୀ ପାଇଁ ଅତିରିକ୍ତ ବଜେଟ୍‌ ବ୍ୟବସ୍ଥା ରହିବ। ଇତିମଧ୍ୟରେ ପ୍ରାରମ୍ଭିକ ବ୍ୟୟ ଅଟକର ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୫୦ ଶଯ୍ୟା ବିଶିଷ୍ଟ କ୍ୟାନସର୍‌ ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ। ଏଠାରେ ରେଡିଓଥେରାପି, ସିଟି ସିମୁଲେଟର୍‌, ଇମୋବାଇଲାଇଜେସନ୍‌, ହିଷ୍ଟୋପାଥୋଲୋଜି ଲାବ୍‌, ଡେ’ କେୟାର କେମାଥେରାପି ଏବଂ ଇମର୍ଜେନ୍ସି କେୟାର ସୁବିଧା ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ଠା‌େର କ୍ୟାନସର୍‌ ହସ୍ପିଟାଲ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ଗତମାସ ୨୦ ତାରିଖ ଭୁବନେଶ୍ବର ଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ପ୍ରସ୍ତାବିତ ପ୍ରକଳ୍ପର ସମୀକ୍ଷା କରିବା ପରେ ଗୃହନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ବି.ସି ତ୍ରିପାଠୀ କ୍ୟାନସର୍‌ ହସ୍ପିଟାଲ ନିର୍ମାଣ ପାଇଁ ପ୍ରକଳ୍ପ ରିପୋର୍ଟ ଏବଂ ବ୍ୟୟ ଅଟକଳ ମାଗିଥିଲେ। ହସ୍ପିଟାଲ ପାଇଁ ଯାଗା ଚିହ୍ନଟ, ମୃତ୍ତିକା ପରୀକ୍ଷା ଏବଂ ହସ୍ପିଟାଲ ଢାଞ୍ଚା ରିପୋର୍ଟ ଚୂଡ଼ାନ୍ତ କରିବାକୁ ଚିଠିରେ ଉଲ୍ଲେଖ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe