ଭଦ୍ରକ ଦୁର୍ଘଟଣା ପରେ ବି ଚେତା ପଶୁନି : ଛାତ୍ରଛାତ୍ରୀଙ୍କ ପାଇଁ ପାଦେ ପାଦେ ବିପଦ

Advertisment
ଭଦ୍ରକ ଦୁର୍ଘଟଣା ପରେ ବି ଚେତା ପଶୁନି : ଛାତ୍ରଛାତ୍ରୀଙ୍କ ପାଇଁ ପାଦେ ପାଦେ ବିପଦ

ନୟାଗଡ଼ : ଗତ ଗୁରୁବାର ଭଦ୍ରକ ଜିଲ୍ଲାରେ ସ୍କୁଲ୍‌ ଛାତ୍ରୀ ରାସ୍ତା ପାର ହେଉଥିବା ବେଳେ ସେମାନଙ୍କ ଉପରେ ଟ୍ରକ୍‌ ମାଡ଼ିଯାଇଥିଲା। ସେଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିବାବେଳେ ଏବେବି ବିପଜ୍ଜନକ ଭାବେ ସ୍କୁଲ୍‌ ଯାଉଛନ୍ତି ଛାତ୍ରଛାତ୍ରୀ। ନୟାଗଡ଼ ଜିଲ୍ଲାର ରାଜପଥ କଡ଼ରେ ଥିବା କିଛି ବିଦ୍ୟାଳୟରେ ଏଭଳି ଚିତ୍ର ନିତି ଦେଖିବାକୁ ମିଳୁଛି।

ଜିଲ୍ଲାରେ ଅଧିକାଂଶ ବିଦ୍ୟାଳୟ ରାସ୍ତା ପାର୍ଶ୍ୱରେ ରହିଛି। ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ମଧ୍ୟ ଅନେକ ସ୍କୁଲ ରହିଛି। ନୟାଗଡ଼ ସହରରେ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ନୟାଗଡ଼ ଏନ୍‌ଏସି ହାଇସ୍କୁଲ, ବାଳିକା ଉଚ୍ଚବିଦ୍ୟାଳୟ ଆଦି ରହିଛି। ହେଲେ ସ୍କୁଲ୍‌ ପୂର୍ବରୁ ରାସ୍ତା କଡ଼ରେ କୌଣସି ସତର୍କ ସଂକେତ ନାହିଁ। ଯେଉଁଠି ସଂକେତ ରହିଛି ସେଠାରେ ଫଳକ ମଧ୍ୟ ଦୃଷ୍ଟିଗୋଚର ହେଉନାହିଁ। ଏହା କେଉଁଠି ଗଛ ଆଢୁଆଳରେ ତ ଆଉ କେଉଁଠି ରାସ୍ତାପାର୍ଶ୍ୱରେ ଥିବା ବେଆଇନ ଉଠାଦୋକାନୀଙ୍କ ପାଲ ତଳେ ଲୁଚି ଯାଇଛି।

ରାଜ୍ୟରେ ୨୦୧୬ ମସିହାରୁ ଲାଗୁ ହୋଇଛି ସ୍କୁଲ ଛାତ୍ରଛାତ୍ରୀଙ୍କ ପରିବହନ ନୀତି। ନିୟମ ଅନୁଯାୟୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପରିବହନ ପାଇଁ କେବଳ ବସ୍‌ ବ୍ୟବହାର ହେବ। ଏଗୁଡ଼ିକର ରଙ୍ଗ ହଳଦିଆ ହେବା ସହ ଝରକା ଲୁହା ଗ୍ରିଲ୍‌ରେ ଆବଦ୍ଧ ହେବା କଥା। ମାତ୍ର ଜିଲ୍ଲାରେ ଅନେକ ସ୍କୁଲ କର୍ତୃପକ୍ଷ ନିୟମର ଉଲ୍ଲଘଂନ କରୁଥିବା ବେଳେ ଅଟୋ ଠାରୁ ଆରମ୍ଭ କରି ଟାଟା ଏସିରେ ପରିହବନ ଚାଲିଛି। ଏଥିରେ ଯାନର ଧାର୍ଯ୍ୟ କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବସା ଯାଉଛି। ଅଧିକାଂଶ ସ୍କୁଲର ନିଜସ୍ୱ ପାର୍କିଂ ବ୍ୟବସ୍ଥା ନଥିବାରୁ ଅଭିଭାବକ ଓ ଅନ୍ୟ ଗାଡ଼ି ଚାଳକମାନେ ରାସ୍ତା ଉପରେ ଛିଡ଼ା ହୋଇ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି। ସ୍କୁଲ ଯିବାଆସିବା କରୁଥିବା ଛାତ୍ରଛାତ୍ରୀ କେତେ ଅସୁରକ୍ଷିତ ସ୍କୁଲ ଛୁଟି ସମୟରେ ଗେଟ୍‌ ନିକଟରେ ଠିଆ ହେଲେ ଯେ କେହି ବି ଏହା ବୁଝିପାରିବ। ଏଭଳି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ କେବଳ ଭଗବାନ ଭରସା ବୋଲି ଆଲୋଚନା ହେଉଛି। ଏଠାରେ ଛୋଟ ଗାଡ଼ିରେ ଛାତ୍ରଛାତ୍ରୀଙ୍କୁ ବସ୍ତା ଭଳି ବୋହି ନିଆଯାଉଛି। ନୟାଗଡ଼ ସହର ମଧ୍ୟ ଦେଇ ଦୈନିକ ଶହ ଶହ ଟ୍ରକ ଯାଉଥିବା ବେଳେ ଏଗୁଡ଼ିକ ବ୍ୟବସ୍ଥିତ ଢଙ୍ଗରେ ଚଳାଚଳ କରିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe