ଗ୍ରାମାଞ୍ଚଳରେ ରାସ୍ତାର ଦୁରବସ୍ଥା ନେଇ ଉଦ୍‌ବେଗ, ସନ୍ତୋଷଜନକ ଉତ୍ତର ଦେଇପାରିଲେନି ମନ୍ତ୍ରୀ

ୱେବ୍‌ସାଇଟ୍‌ରେ ତଥ୍ୟ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଏଥରକ ବିଧାନସଭାରେ ଆସିବ ୧୪ଟି ଅଧ୍ୟାଦେଶ ବିଲ୍‌

odishaassembly.nic.in

ଭୁବନେଶ୍ବର: ଗ୍ରାମାଞ୍ଚଳରେ ବହୁ ରାସ୍ତାର ଦୁରାବସ୍ଥା ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକ ଅଭିଯୋଗ ବାଢ଼ିଥିଲେ। ରାସ୍ତା କାମ କରିବାକୁ ବାରମ୍ବାର କହିବା ପରେ ଯନ୍ତ୍ରୀମାନେ ଶୁଣୁ ନାହାନ୍ତି। ଲୋକମାନଙ୍କୁ କି ଉତ୍ତର ଦେବୁ ବୋଲି ବିଧାୟକମାନେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସମ୍ପର୍କରେ ମନୋହର ରାନ୍‌ଧାରୀଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ, ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୬୫୦ଟି ରାସ୍ତାର ଉନ୍ନତୀକରଣ ନିମନ୍ତେ ୧୬୧୫.୫୧ କୋଟି ଟଙ୍କାର ଅନୁମୋଦନ କରିଛନ୍ତି। ତାହା ମଧ୍ୟରୁ ୯ଟି ରାସ୍ତାର କାର୍ଯ୍ୟ ଶେଷ ହୋଇଛି। ୬୨୭ଟି ରାସ୍ତାର କାର୍ଯ୍ୟ ଚାଲୁ ରହିଛି ଓ ୧୪ଟି ରାସ୍ତା ବିଭିନ୍ନ କାରଣରୁ ହାତକୁ ନିଆଯାଇ ପାରି ନାହିଁ। ରାଜ୍ୟର ମୁଖ୍ୟ ରାସ୍ତାଗୁଡ଼ିକର ଉନ୍ନତୀକରଣ ତଥା ସମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୩ ପ୍ରସ୍ତୁତ କରାଯାଉଛି। ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ପ୍ରସ୍ତାବ ପଠାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ରନ୍‌ଧାରୀ କହିଥିଲେ, ବିଧାୟକ ଓ ସାଂସଦଙ୍କୁ ନେଇ ଏକ କମିଟି ଗଠନ କରାଯାଉ। ପିଏମ୍‌ଜିଏସ୍‌ୱାଇ-୩ ପ୍ରସ୍ତୁତ ବେଳେ ଏହି କମିଟିର ମତାମତ ନିଆଯାଇ ରାସ୍ତାକୁ ତାଲିକାଭୁକ୍ତ କରାଯାଉ। ଶାସକ ଦଳ ସଭ୍ୟ ପ୍ରମୋଦ ମଲ୍ଲିକ କହିଥିଲେ, ଡିଆର୍‌ଡିଏ ବୈଠକରେ ରାସ୍ତା ବିଷୟରେ ଆଲୋଚନା ହୁଏନି। ଫଳରେ ବିଧାୟକମାନେ ରାସ୍ତା କାମ ସମ୍ପର୍କରେ ଜାଣିପାରନ୍ତି ନାହିଁ। ପିଏମ୍‌ଜିଏସ୍‌ୱାଇରେ ହେଉଥିବ ରାସ୍ତା ଗ୍ରାମକୁ ଛୁଇଁ ଚାଲିଯାଏ। କିନ୍ତୁ ଗାଁ ଭିତର ରାସ୍ତାର ଶୋଚନୀୟ ସ୍ଥିତି ସମ୍ପର୍କରେ କାହାର ନଜର ରହୁନି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ତୀବ୍ର ଅସନ୍ତୋଷ ଝାଡ଼ିଥିଲେ। ତାଙ୍କ ନିର୍ବାଚନମଣ୍ଡଳୀରେ ରାସ୍ତାର ସ୍ଥିତି ସଙ୍ଗୀନ୍ ‌େବାଲି ଜଣାଇବା ସହ ଏହି ବିଭାଗ କେଉଁ ଦୃଷ୍ଟିରୁ ଗାଁର ଉନ୍ନୟନ କରୁଛି ବୋଲି ପ୍ରଶ୍ନ କରିଥିଲେ। ଶାସକ ଦଳ ସଭ୍ୟ ଅନନ୍ତ ଦାସ ମଧ୍ୟ ରାସ୍ତା ସମସ୍ୟା ନେଇ କ୍ଷୋଭ ପ୍ରକାଶ କରିଥିଲେ। ବିଜେପି ସଭ୍ୟ କୁସୁମ ଟେଟେ ତାଙ୍କ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗୋଟିଏ ରାସ୍ତା ଦୀର୍ଘ ଦିନ ହେବ ଅଧପନ୍ତରିଆ ଭାବେ ପଡ଼ିଛି ବୋଲି ଜଣାଇଥିଲେ। ପୂର୍ବ ଅଧିବେଶନରେ ମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବେ ବୋଲି କହିଥିଲେ ମଧ୍ୟ କିଛି କରାଯାଇ ନ ଥିବାରୁ ଲୋକଙ୍କୁ କି ଉତ୍ତର ଦେବେ ବୋଲି ଶ୍ରୀମତୀ ଟେଟେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଶ୍ରୀ ସିଂହ ବିଧାୟକମାନଙ୍କ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ଦେବା ବଦଳରେ କାମଚଳା ଢଙ୍ଗରେ ଉତ୍ତର ଦେଇଥିଲେ। ଶେଷରେ ବାଚସ୍ପତି ହସ୍ତକ୍ଷେପ କରି କହିଥିଲେ, ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ନେଇ ଯେପରି ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି, ଗ୍ରାମ୍ୟ ଉନ୍ନୟନ ବିଭାଗ ସେମିତି ୱେବ୍‌ସାଇଟ୍‌ରେ ରାସ୍ତା ସମ୍ପର୍କରେ ସୂଚନା ଦେଉ। ଫଳରେ ବିଧାୟକମାନେ ସହଜରେ ସୂଚନା ପାଇପାରିବେ। ସେହିପରି ଜିଲ୍ଲା ୱାରି ବିଧାୟକ ଓ ଅଧିକାରୀମାନଙ୍କୁ ଡାକି ସେମାନଙ୍କ ଅଞ୍ଚଳର ରାସ୍ତା ସମସ୍ୟା ନେଇ ମନ୍ତ୍ରୀ ଆଲୋଚନା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe