କନ୍ଧମାଳର ଅପହଞ୍ଚ ଗାଁକୁ ରାସ୍ତା ଯନ୍ତ୍ରଣା: ଯେଉଁଠି ଗର୍ଭବତୀ ଆଶାକର୍ମୀ ବି ଦୋଳାରେ ବୁହାହୁଅନ୍ତି

Advertisment
କନ୍ଧମାଳର ଅପହଞ୍ଚ ଗାଁକୁ ରାସ୍ତା ଯନ୍ତ୍ରଣା: ଯେଉଁଠି ଗର୍ଭବତୀ ଆଶାକର୍ମୀ ବି ଦୋଳାରେ ବୁହାହୁଅନ୍ତି

ଦାରିଙ୍ଗବାଡ଼ି: ପ୍ରସୂତି ଯନ୍ତ୍ରଣା ଭୋଗୁଥିବା ଗର୍ଭବତୀ କିଭଳି ଭଲରେ ହସ୍ପିଟାଲରେ ପହଞ୍ଚିବେ, ସେଥିପାଇଁ ଆଶାକର୍ମୀଙ୍କର ବଡ଼ ଭୂମିକା ଥାଏ। ମାତ୍ର, ଗର୍ଭବତୀ ଥିବା ଜଣେ ଆଶାକର୍ମୀଙ୍କୁ ବି ଦୋଳାରେ ବୁହାହୋଇ ହସ୍ପିଟାଲ ଯିବାକୁ ପଡ଼ିଥାଏ। ରାସ୍ତା ନଥିବାରୁ ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ତାଜୁଙ୍ଗିଆ ପଞ୍ଚାୟତ ନିଲାକ୍ଲିୟୁ ଗାଁରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗାଁର ଥେପିଲ ମାଝୀଙ୍କ ପତ୍ନୀ ଆଶାକର୍ମୀ ଶିବାଜିନୀ ଗର୍ଭବତୀ ଥିଲେ। ତାଙ୍କର ପ୍ରସୂତି ଯନ୍ତ୍ରଣା ବଢ଼ିବାରୁ ଆମ୍ବୁଲାନ୍ସକୁ ଖବର ଦେଲେ। ଯୋଗାଯୋଗ ହୋଇପାରିଲା ନାହିଁ। ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ହେଉ କି ଅଟୋ ସିକବାଡ଼ି ଗାଁ ପର୍ଯ୍ୟନ୍ତ ଆସିପାରିବ। ଶିବାଜିନୀଙ୍କୁ ଦୋଳାରେ ସିକବାଡ଼ି ଗାଁ ଯାଏ ବୋହି ‌ନେଇଥିଲେ। ଏହାପରେ ସେଠାରୁ ଏକ ଅଟୋ ଯୋଗେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ସେଠାରେ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଏବେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି। ତେବେ ଶିବାଜିନୀ ନିଜେ ଆଶାକର୍ମୀ ହୋଇଥିବା ବେଳେ ଏଭଳି ସମସ୍ୟାର ସମ୍ମୁଖୀନ ହେବା ଘଟଣା ସୁରକ୍ଷିତ ମାତୃତ୍ବ ଯୋଜନାକୁ ଅପହଞ୍ଚ ଇଲାକାରେ ପହଞ୍ଚାଇବା ଦିଗରେ ସ୍ବାସ୍ଥ୍ୟ ବିଭାଗର ଉଦାସୀନତା ବୋଲି ଅଭିଯୋଗ ହୋଇଛି।

ଗର୍ଭବତୀ ଶିବାଜିନୀ ନିଜେ ଆଶାକର୍ମୀ ହୋଇ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେବାନେଇ ଦାରିଙ୍ଗବାଡ଼ି ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟଙ୍କୁ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି, ଆଶାକର୍ମୀ ଶିବାଜିନୀ କେଉଁ କାରଣରୁ ମା’ଗୃହକୁ ଗଲେ ନାହିଁ ଏବଂ କାହିଁକି ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା ସେ ନେଇ ତଦନ୍ତ କରାଯିବ। ଅନ୍ୟପଟେ ରାସ୍ତ ଘାଟ ନଥିବା ଏଭଳି ଗାଁମାନଙ୍କରେ ଜନନୀ ଯନ୍ତ୍ରଣା ଦୂର ସହ ସୁରକ୍ଷିତ ପ୍ରସବ ପାଇଁ ମା’ଗୃହ ଅଛି। ଯେଉଁଠି ପ୍ରସବର ୧୦ଦିନ ପୂର୍ବରୁ ଗର୍ଭବତୀଙ୍କୁ ମା’ଗୃହରେ ରଖି ଯତ୍ନ ନେବାର ସମସ୍ତ ସୁବିଧା କରାଯିବା ସହିତ ଗର୍ଭବତୀଙ୍କୁ ମା ଗୃହକୁ ଆଣିବାପାଇଁ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଛନ୍ତି। ହେଲେ କେଉଁ କାରଣରୁ କନ୍ଧମାଳ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଛି, ସେ ନେଇ ପ୍ରଶ୍ନ ଉଠିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାର ଶତାଧିକ ଗାଁକୁ ଏବେ ବି ନିତିଦିନିଆ ରାସ୍ତା ଓ ମୋବାଇଲ ନେଟ୍‌ୱର୍କ ଭଳି ମୌଳିକ ସୁବିଧା ଉପଲବ୍ଧ ନାହିଁ। ଜଙ୍ଗଲ ଘେରା ଆଦିବାସୀ ଗ୍ରାମାଞ୍ଚଳରେ ରହୁଥିବା ଲୋକେ ପ୍ରତିଦିନ କଷ୍ଟ ଭୋଗୁଛନ୍ତି। ଏହି ଘଟଣା ହେଉଛି, ତାହାର ଏକ ନିଚ୍ଛକ ଉଦାହରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe