ଫଳକରେ ଅଟକିଛି ରାସ୍ତା ମରାମତି: ୨ କିମି ରାସ୍ତା ମରଣଯନ୍ତା, ବିକ୍ଷୋଭ ଚେତାବନୀ

ଫଳକରେ ଅଟକିଛି ରାସ୍ତା ମରାମତି: ୨ କିମି ରାସ୍ତା ମରଣଯନ୍ତା, ବିକ୍ଷୋଭ ଚେତାବନୀ

ନୟାଗଡ଼: ନୟାଗଡ଼ ସହରରୁ ଲେଙ୍କୁଡ଼ିପଡ଼ା ପର୍ଯ୍ୟନ୍ତ ଯାଇଥିବା ୨ କିମି ରାସ୍ତା ପ୍ରାୟ ୨ ବର୍ଷ ହେବ ମରଣଯନ୍ତା ପାଲଟିଛି। ଆର୍‌ ଆଣ୍ଡ୍‌ ବି କର୍ତ୍ତୃପକ୍ଷ ଏହାକୁ ମରାମତି କରିବା ନେଇ ଅହେତୁକ ବିଳମ୍ବ କରୁଛନ୍ତି। ଏପରିକି ଗତ ଜାନୁଆରି ୧୯ ତ‌ାରିଖରେ ରାସ୍ତାକାମ ଆରମ୍ଭ ନେଇ ଶିଳାନ୍ୟାସ କରାଯାଇଥିଲା। ଏନେଇ ୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିନାହିଁ। ଦିନକୁ ଦିନ ରାସ୍ତା ଆହୁରି ବିଗିଡ଼ି ଗଲାଣି। ୨ କିମି ରାସ୍ତାରେ ଶତାଧିକ ଖାଲ ସୃଷ୍ଟି ହୋଇଛି। ବିଧାୟକ ଅରୁଣ କୁମାର ସାହୁଙ୍କ ଦ୍ବାରା ଆର୍‌ ଆଣ୍ଡ୍‌ ବି କର୍ତ୍ତୃପକ୍ଷ ଶିଳାନ୍ୟାସ କରାଇଥିଲେ। ଏନେଇ ବ୍ୟାପକ ପ୍ରଚାରପ୍ରସାର କରି ଏହି ରାସ୍ତା ସାରା ନୂତନ ଶୈଳୀରେ ଫଳକ ଲଗାଇ ଦିଆଯାଇଛି।

କାମ ଆରମ୍ଭ ହେଉ ନଥିବାରୁ ଫଳକ ଏକପ୍ରକାର ଲୋକଙ୍କୁ କଟାକ୍ଷ କରିବା ଭଳି ଅନୁଭବ ହେଉଛି। ଜନଗହଳିପୂର୍ଣ୍ଣ ଏହି ରାସ୍ତାରେ ଦିନତମାମ ମାତ୍ରାଧିକ ଧୂଳିଝଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଲୋକ ହନ୍ତସନ୍ତ ହେଉଛନ୍ତି। ବିଧାୟକ ଶ୍ରୀ ସାହୁ ଲୋକ ଦେଖାଣିଆ ଫଳକ ମାରି ଶସ୍ତା ରାଜନୀତି ବନ୍ଦ କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି। ଯଦି ରାସ୍ତା କାର୍ଯ୍ୟ ସପ୍ତାହ ମଧ୍ୟରେ ଆରମ୍ଭ କରା ନଯାଏ ତେବେ ଭୁବନେଶ୍ୱରସ୍ଥିତ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ତେବେ ସ୍ଥାନୀୟ ଆର୍‌ ଆଣ୍ଡ୍‌ ବି କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ସହରରେ ବର୍ତ୍ତମାନ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ପାଇପ୍‌ ବିଛା କାମ ଚାଲିଛି। ଏହି କାମ ଶେଷ ପରେ ରାସ୍ତା କାମ ଆରମ୍ଭ ହେବ। ତେବେ ରାସ୍ତା କାମ କେବେ ଆରମ୍ଭ ହେବ, ସେ ନେଇ କିଛି ନିର୍ଦ୍ଦିଷ୍ଟ ଉତ୍ତର ବିଭାଗ ପାଖରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe