ସପ୍ତାହେ ନୁହେଁ, ମାସେ ଚାଲିବ ସଡ଼କ ସୁରକ୍ଷା ସଚେତନତା: ମନ୍ତ୍ରୀ

Advertisment
ସପ୍ତାହେ ନୁହେଁ, ମାସେ ଚାଲିବ ସଡ଼କ ସୁରକ୍ଷା ସଚେତନତା: ମନ୍ତ୍ରୀ

ଭୁବନେଶ୍ବର (ଚନ୍ଦ୍ରଶେଖରପୁର) : ଚଳିତବର୍ଷଠାରୁ ଆଉ ସଡ଼କ ସୁରକ୍ଷା ସପ୍ତାହେ ନୁହେଁ ଏକ ମାସ ଚାଲିବ। ଏନେଇ ଆଜି ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ମାତ୍ର ଏହି ସଚେତନ ମାସ ମଧ୍ୟରେ ଚେକିଂ କଡ଼ାକଡ଼ି କରାଯିବ। ବାଇକ୍‌ରେ ଦୁଇ ଜଣିଆ ହେଲମେଟ୍ ଉପରେ ବେଶ୍‌ ଗୁରୁତ୍ବ ଦିଆଯିବ। ଆଇନ୍ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା ସହିତ ଗାଡ଼ି ଚାଳକର ଲାଇସେନ୍‌ସ ରଦ୍ଦ କରିଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ସୋମବାର ‌ସକାଳୁ କିଟ୍ କ୍ୟାମ୍ପସ୍-୬ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ଆରଟିଓ-୧ ଓ ୨ର ସମସ୍ତ ଅଧିକାରୀଙ୍କ ସହିତ ଶତାଧିକ ସ୍ବେଚ୍ଛାସେବୀ ଉପସ୍ଥିତ ରହି ଏକ ସଚେତନତା ଶୋଭାଯାତ୍ରା କରିଥିଲେ। ଏହି ଶୋଭ‌ାଯାତ୍ରାରେ ସଚେତନତା ରଥ ସହିତ ଯମରାଜ ଓ ଚିତ୍ରଗୁପ୍ତ ବେଶରେ କଳାକାର ମଧ୍ୟ ସାମିଲ ହୋଇଥିଲେ। କିଟ୍ କମ୍ପସ୍‌ରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହିତ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ, ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ, ପରିବହନ କମିସନର୍ ସଞ୍ଜୀବ ପଣ୍ଡା ଓ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଏକ ମାସ ଧରି ଚାଲିବ ବୋଲି ମନ୍ତ୍ରୀ ଘୋଷଣା କରିବା ସହିତ ଏକ ପଥପ୍ରାନ୍ତ ନାଟକ ଦଳ ବିଭିନ୍ନ ଜିଲ୍ଲା ବୁଲି ନାଟକ ମାଧ୍ୟମରେ ସଚେତନ କରିବା ନେଇ ଅନୁମତି ପ୍ରଦାନ କରିଥିଲେ। ‌ଶେଷରେ ପରିବହନ ବିଭାଗ ପୁଲିସ୍ ଯବାନ ଓ ସ୍ବେଚ୍ଛାସେବୀମାନେ ଶୋଭାଯାତ୍ରାରେ ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟ୍ରେନିଂ ପଡ଼ିଆ ପର୍ଯ୍ୟନ୍ତ ଆସି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ପୁଣି ଅତିଥିମାନେ ରାଜଧାନୀର ବିଭିନ୍ନ ଅଟୋଚଳକଙ୍କୁ ଏକାଠି କରି ସେମାନଙ୍କୁ ଟ୍ରାଫିକ୍ ସଚେତନତା ବିଷୟରେ ବୁଝାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe