ଆସନ୍ତାକାଲି ଓଡିଶାରେ ହେବ ହାଇଭୋଲଟେଜ ପ୍ରଚାର : ସ୍ମାର୍ଟ ସିଟିରେ ମୋଦି, ସିଲଭର ସିଟିରେ ନବୀନ କରିବେ ମେଗା ରୋଡ ସୋ’

Advertisment
ଆସନ୍ତାକାଲି ଓଡିଶାରେ ହେବ ହାଇଭୋଲଟେଜ ପ୍ରଚାର : ସ୍ମାର୍ଟ ସିଟିରେ ମୋଦି, ସିଲଭର ସିଟିରେ ନବୀନ କରିବେ ମେଗା ରୋଡ ସୋ’

ଭୁବନେଶ୍ୱର : ଆସନ୍ତାକାଲି ଓଡିଶାରେ ଦୁଇ ହେଭିୱେଟଙ୍କୁ ଦେଖିବାକୁ ମିଳିବ ପ୍ରଚାର ମୈଦାନରେ । ଗୋଟିଏ ପଟେ ବିଜେଡି ସୁପ୍ରିମୋ ଓ ଅନ୍ୟ ପଟେ ମୈଦାନକୁ ଓହ୍ଲାଇବେ ବିଜେପିର ବଡ ଚେହେରା ମୋଦି । ଓଡିଶାରେ ଗେରୁଆ ବାନା ଉଡାଇବା ପାଇଁ ବିଜେପି ଦିନ ରାତି ଏକ କରି ଦେଇଥିବା ବେଳେ ବାରମ୍ବାର ଓଡିଶା ଗସ୍ତରେ ମୋଦିଙ୍କୁ ଆସୁଥିବାର ଦେଖିବାକୁ ମିଳୁଛି । ସେହିଭଳି ପୁଣିଥରେ ସରକାରକୁ ଆସିବାକୁ ବିଜେଡି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ ଦଳର ମୁଖିଆ । ଏହିକ୍ରମରେ ଆସନ୍ତାକାଲି ଟ୍ୱିନ୍ ସିଟରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଗୋଟିଏ ପଟେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ମୋଦି କରିବେ ରୋଡ ସୋ’ ଅନ୍ୟପଟେ କଟକବାସୀଙ୍କ ମନ ଜିଣିବାକୁ କଟକର ପ୍ରତି ଛକରେ କରିବେ ନବୀନ କରିବେ ରୋଡ ସୋ’।

ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବା ବେଳେ ଏଥିରେ ଚାର ଚାନ୍ଦ ଲଗାଇବାକୁ ଯାଉଛି ମୋଦି ଓ ନବୀନଙ୍କ ରୋଡ ସୋ’ । ନବୀନ ନିର୍ବାଚନ ଆରମ୍ଭରୁ ମାରାଥନ ରୋଡ ସୋ’ କରୁଥିବା ବେଳେ ମୋଦି ପ୍ରଥମ ଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଓଡିଶାରେ କରିବେ ରୋଡ ସୋ’ । ଯାହା ରାଜ ରାଜ୍ୟନୀତିକୁ ବେଶ ଉଷ୍ମ କରିଛି ।

ଆସନ୍ତାକାଲି ମୋଦି ଓଡିଶା ଗସ୍ତରେ ଆସୁଥିବା ବେଳେ ପ୍ରଥମେ ସମ୍ବଲପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ । ସେଠାରୁ ସିଧାସଳଖ ଭୁବନେଶ୍ୱର ଅଭିମୁଖେ ବାହାରିବେ ମୋଦି । ଅପରାହ୍ନ ୪ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମେଗା ରୋଡ ସୋ’ରେ ବାହାରିବେ ମୋଦି । ବିମାନବନ୍ଦରରୁ ରୋଡ ସୋ’ ବାହାରି ଗଙ୍ଗନଗର, ଓୟୁଏଟି, ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପଟେ ଥିବା ଶିବ ମନ୍ଦିର ବାଟେ ବରମୁଣ୍ଡା ପଡିଆରେ ପହଞ୍ଚିବେ ମୋଦି । ରୋଡ ସୋ’ ପରେ ବରମୁଣ୍ଡା ପଡିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ମୋଦି । ଯେଉଁଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୋଦି ।

ସେହିଭଳି ଅନ୍ୟପଟେ କଟକବାସୀଙ୍କ ମନ ଜିଣିବା ପାଇଁ ସିଲଭରସିଟିରେ ଆସନ୍ତାକାଲି ମେଗା ରୋଡ ସୋ’ କରିବେ ବିଜେଡି ସୁପ୍ରିମୋ । କଟକର ୪୩ଟି ଛକରେ ରୋଡ ସୋ’ କରିବେ ନବୀନ । ଛତାରୁ ନବୀନଙ୍କ ରୋଡ ସୋ’ ଆରମ୍ଭ ହୋଇ ପ୍ରେସ ଛକରେ ଶେଷ ହେବ । ଆଉ ଏହା ମଧ୍ୟରେ ୪୩ଟି ଛକରେ ଅଟକି ନବୀନ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ଗୋଟିଏ ଦିନରେ ରାଜନୀତିର ଦୁଇ ମହାରଥୀ ରୋଡ ସୋ’କୁ ଓହ୍ଲାଉଥିବା ବେଳେ ଦୁଇ ଦଳର କର୍ମୀ ବେଶ ଉତ୍ସାହିତ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe