ମନରେଗାରେ ୧୦ଲକ୍ଷ ହଡ଼ପ ଅଭିଯୋଗ ସତ୍ତ୍ବେ ରାସ୍ତା କାମ ଜାରି, ପଞ୍ଚାୟତ ଅଫିସ୍‌ରେ ଉତ୍ତେଜନା, ଗ୍ରାମବାସୀଙ୍କ ରାସ୍ତାରୋକ

Advertisment
ମନରେଗାରେ ୧୦ଲକ୍ଷ ହଡ଼ପ ଅଭିଯୋଗ ସତ୍ତ୍ବେ ରାସ୍ତା କାମ ଜାରି, ପଞ୍ଚାୟତ ଅଫିସ୍‌ରେ ଉତ୍ତେଜନା, ଗ୍ରାମବାସୀଙ୍କ ରାସ୍ତାରୋକ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଜିରାବାଡ଼ି ଗ୍ରାମରେ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ସତ୍ତ୍ବେ ରାସ୍ତା ନିର୍ମାଣ କାମ ଚାଲିଥିଲା। ଏହାକୁ ନେଇ ଗାଁରେ ଆଜି ଦିନ ସାରା ଉତ୍ତେଜନା ଦେଖାଦେବା ସହ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀ ପାଟିତୁଣ୍ଡ କରିଛନ୍ତି। ଏପରିକି ବାଉଁଶ ବାନ୍ଧି ରାସ୍ତାକୁ ଅବରୋଧ କରିଛନ୍ତି। ପୁଲିସର ହସ୍ତ‌କ୍ଷେପ ପରେ ରାସ୍ତା କାମ ଚାଲିଥିଲେ ହେଁ, ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

ଗ୍ରାମବାସୀଙ୍କ ଅଭି‌ଯୋଗ ଅନୁସାରେ, ୨୦୧୮‌ରେ ଜିରାବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ନେପା ଶିବମନ୍ଦିରର ରାସ୍ତାରେ ମୋରମ୍ ମେଟାଲ୍ ପକାଇବାକୁ ପଞ୍ଚାୟତ ଫଣ୍ଡ୍‌ରୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ହେଲେ ମାଟି ମୁଠାଏ ବି ନପକାଇ ଏହି ଅନୁଦାନକୁ ଠିକାଦାର ଓ ରାଜନେତା ମିଶି ହଡ଼ପ କରିଥିବା ଘଟଣା ପ୍ରଘଟ ହୋଇଥିଲା। ଗ୍ରାମବାସୀ ଇଣ୍ଟରନେଟରୁ ସମସ୍ତ ତଥ୍ୟ ବାହାର କରି ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। କିନ୍ତୁ ଏହାର ସନ୍ତୋଷଜନକ ଉତ୍ତର ନମିଳିବାରୁ ପରେ ଏହାର ତଦନ୍ତ ପାଇଁ ଗ୍ରାମବାସୀ ଜିଲ୍ଲାପାଳ, ଦୁର୍ନୀତିନିବାରଣ ବିଭାଗ ଓ ବିଡିଓଙ୍କ ସମେତ ଥାନାରେ ଅଭିଯୋଗ କରି ତଦନ୍ତ ପାଇଁ ଦାବି କରିଥିଲେ। ଏହାକୁ ପ୍ରଶାସନ ବିଚାରରେ ବି ନେଇଛନ୍ତି।

ହେଲେ ଆଜି ହଠାତ୍ ମେସିନ୍‌ରେ ତରବର ଭାବେ ମାଟି ଖୋଳି ଟ୍ରାକ୍ଟର୍‌ରେ ଅଣାଯାଇ ରାସ୍ତା ଉପରେ ପକାଯାଉଥିବା ଖବର ପାଇ ଗ୍ରାମବାସୀ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଥିଲେ। ପରିସ୍ଥିତି ଅଶାନ୍ତ ହେବାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ ସେଠୀ ଓ ବ୍ଲକ୍ ସହକାରୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ ପହଞ୍ଚି ବୁଝାସୁଝା କରିବାରେ ବିଫଳ ହୋଇଥିଲେ। ଶେଷରେ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ପହଞ୍ଚି ତଦନ୍ତ ପ‌ରେ କାମ ଆରମ୍ଭ ହେବ ବୋଲି ଜିଦ୍ ଧରିଥିଲେ। ଥାନାଧିକାରୀ କଷ୍ଟେମଷ୍ଟେ ସେମାନଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରି ସମାଧାନର ବାଟ ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପୁଲିସ ଉପସ୍ଥିତିରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା।‌ ତେବେ ଖବର ମିଳିବା ସୁଦ୍ଧା, ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

ଏନେଇ ଜିରାବାଡ଼ି ସରପଞ୍ଚ ସବିତା କୁମାରୀ ବେହେରାଙ୍କ ସହ ଯୋଗାଯୋଗ ହୋଇ ପାରି ନଥିବା ବେଳେ ତାଙ୍କ ସ୍ୱାମୀ ବୁଲୁ ବେହେରା କହିଛନ୍ତି, କାମରେ କୌଣସି ଅନିୟମିତତା ହୋଇନି। କେବଳ ୬ଲକ୍ଷ ୬୮ହଜାର ଟଙ୍କା ଖର୍ଚ୍ଚରେ ରାସ୍ତାର ଗାର୍ଡ଼ୱାଲ୍‌ ନିର୍ମାଣ ହୋଇଥିଲା। ଅନ୍ୟ ବଳକା ଟଙ୍କାରେ ରାସ୍ତା କାମ ଆଜି ଆରମ୍ଭ କରାଯାଇଥିଲା ବୋଲି କହିଛନ୍ତି। ତେବେ ଦୁଇ ବର୍ଷ ପରେ ହଠାତ୍ ରାସ୍ତା ନିର୍ମାଣ କଥା କେମିତି ମନେ ପଡ଼ିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe