ପାନୀୟଜଳ ପାଇଁ ରାସ୍ତାରୋକ

Advertisment
ପାନୀୟଜଳ ପାଇଁ ରାସ୍ତାରୋକ

ହାଟଡିହି: ପାନୀୟଜଳ ପାଇଁ ରାସ୍ତାରୋକ କରିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଡେଙ୍ଗାଚୁଆ ଗ୍ରାମବାସୀ। ଲୋକେ ରାସ୍ତାରେ ଗରା, ଡେକଚି ଧରି ବସିବା ଯୋଗୁଁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଡେଙ୍ଗାଚୁଆ ଏକ ଆଦିବାସୀ ବହୁଳ ଗ୍ରାମ। ଏଠାରେ ତିନି ହଜାରରୁ ଊର୍ଦ୍ଧ୍ବ ଲୋକ ବାସ କରୁଛନ୍ତି। ଗ୍ରାମବାସୀଙ୍କୁ ଜଳ ଯୋଗାଇବାପାଇଁ ଦୁଇଟି ନଳକୂପ ରହିଛି। ଏପ୍ରିଲ ମାସରୁ ଗୋଟିଏ ନଳକୂପ ଅଚଳ ହୋଇଯାଇଛି। ଆଉ ଏକ ନଳକୂପରୁ ଅଳ୍ପ ପାଣି ବାହାରୁଛି।

ପାଣି ପାଇଁ ନଳକୂପ ନିକଟରେ ସକାଳୁ ଲୋକେ ଲମ୍ବାଧାଡ଼ିରେ ଠିଆ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାମକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇବା ପାଇଁ ଓମ୍‌ବାଡ୍‌ସି ଅନୁଦାନରେ ନିର୍ମାଣ ହୋଇଛି ଏକ ପାନୀୟଜଳ ପ୍ରକଳ୍ପ ଓ ଓଭରହେଡ୍‌ ପାଣିଟାଙ୍କି। ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଅଧିକାଂଶ ସମୟରେ ପ୍ରକଳ୍ପଟି ଅଚଳ ହୋଇଯାଉଛି।

୨୦ଦିନ ହେଲା ଟାଙ୍କିରୁ ଜଳ ଯୋଗାଣ ବନ୍ଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଲୋକେ ବାରମ୍ବାର ସରପଞ୍ଚ ଓ ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କେହି ଶୁଣୁ ନାହାନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର  ଗ୍ରାମର ଶତାଧିକ ଗ୍ରାମବାସୀ ଡେଙ୍ଗାଚୁଆ-ସଂଗମ ରାସ୍ତାକୁ ଅବରୋଧ କରି ବସିଥିଲେ। ତୁରନ୍ତ ପାନୀୟଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରି ପାଣି ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।

ଏ ସମ୍ପର୍କରେ ଢେଙ୍କା ସରପଞ୍ଚ ସୁବାସିନୀ ସେଠୀଙ୍କୁ ପଚାରିବାରୁ, ଭୂତଳ ଜଳସ୍ତର କମିଯିବାରୁ ନଳକୂପରୁ ଠିକ୍‌ ଭାବେ ପାଣି ବାହାରୁ ନାହିଁ। ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି। ତାହା ପର୍ଯ୍ୟାପ୍ତ ନୁହଁ। ପାନୀୟଜଳ ପ୍ରକଳ୍ପର ମୋଟର ପୋଡ଼ିଯାଇଛି। ଆଜି ମୋଟର ଲଗାଯାଇ ଜଳ ଯୋଗାଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe