ସରକାରୀ ରେକର୍ଡରେ ପକ୍କା ରାସ୍ତା, ଅସଲରେ ମରଣଯନ୍ତା

Advertisment
ସରକାରୀ ରେକର୍ଡରେ ପକ୍କା ରାସ୍ତା, ଅସଲରେ ମରଣଯନ୍ତା

ବାରିପଦା: ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣଯନ୍ତା। ବର୍ଷାଦିନେ ଖାଲିପାଦରେ ଯାତାୟାତ କରିବା ମୁସ୍କିଲ ହୋଇପଡ଼ୁଛି। ତେବେ ସରକାରୀ ରେକର୍ଡରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତା କାମ ହୋଇଛି ବୋଲି ଦର୍ଶାଯାଇଛି। ଏହାକୁ ନେଇ ଶ୍ୟାମାଖୁଣ୍ଟା ବ୍ଲକ୍‌ ଲୁଲୁଙ୍ଗର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବାରୁ ଆଜି ଶିମିଳିପାଳ ଜାତୀୟ ଉଦ୍ୟାନକୁ ଯାଉଥିବା ଗାଡ଼ିଗୁଡିକ ଅଟକାଇଥିଲେ ଗ୍ରାମବାସୀ। ସେମାନଙ୍କୁ ବୁଝାସୁଝା କରିବା ପ‌ରେ ଲୋକେ ଏଥିରୁ ନିବୃତ୍ତ ହୋଇଥିଲେ ସତ ହେଲେ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବେଶ ଗେଟ୍ ସମ୍ମୁଖରେ ଲଗାଯାଇଥିବା ସରକାରଙ୍କ ନିର୍ମାଣ ବିଭାଗର ସୂଚନାଫଳକକୁ ଉପାଡ଼ି ଫୋପାଡ଼ି ଦେଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ; ଶିମିଳିପାଳ ଗେଟ୍ ପାଖରୁ ମାତ୍ର ୫୦୦ ମିଟର ଦୂରରେ ଲୁଲୁଙ୍ଗ ଗାଁ ରହିଛି। ଏହି ଗାଁରେ ୩୧୫ ଲୋକ ବସବାସ କରୁଛନ୍ତି। ତେ‌ବେ ଗାଁ’କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ଏପଟେ ଅସ୍ତିଆଠାରୁ ଲୁଲୁଙ୍ଗ ଭାୟା ରଙ୍ଗାମାଟିଆ ଦେଇ ୧୬ କିଲୋମିଟର ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିବା ନେଇ ସରକାରଙ୍କ ସୂଚନା ଫଳକରେ ଦର୍ଶାଯାଇଛି। ହେଲେ ଅସଲରେ ଏହି ୧୬ କିମି ରାସ୍ତା ମଧ୍ୟରେ ଆସୁଥିବା ଲୁଲୁଙ୍ଗ ଗ୍ରାମରାସ୍ତା ନିର୍ମାଣ ହୋଇନି। ଏହାକୁ ନେଇ ଆଜି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଗେ ରାସ୍ତା ତିଆରି କର, ନହେଲେ ଫଳକ ହଟାଅ। ଏମିତି ଦାବି କରି ମମତା ଦେହୁରୀ, ବୈଶାଖୀ ସିଂ, ସସ୍ମିତା ଦେହୁରୀ ଓ ଗ୍ରାମବାସୀ ଶିମିଳିପାଳ ଭିତରକୁ ପର୍ଯ୍ୟଟକଙ୍କୁ ଛାଡ଼ି ନଥିଲେ ଓ ଶେଷରେ ଫଳକ ତାଡ଼ି ଦେଇଥିଲେ।

ଏନେଇ ଆର୍‌ଡି ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଶ୍ବିନୀ କୁମାର ଦଣ୍ଡପାଟଙ୍କୁ ପଚାରିବାରୁ ବହୁ ବର୍ଷ ପୂର୍ବେ ସେହି ରାସ୍ତା କାମ ହୋଇଥିଲା। ପରବର୍ତ୍ତୀ ସମୟରେ ସେହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନକୁ ଚାଲିଯାଇଛି ବୋଲି କହିଛନ୍ତି। ତେବେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe