ଏସ୍‌ବିଆଇ ନିକଟରୁ ଗ୍ରାହକଙ୍କ ୫ ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା

Advertisment
ଏସ୍‌ବିଆଇ ନିକଟରୁ ଗ୍ରାହକଙ୍କ ୫ ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା

The Hans India

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଏସ୍‌ବିଆଇ ଶାଖା ନିକଟରୁ ସୋମବାର ଟଙ୍କା ଲୁଟ୍‌ ହୋଇଛି। ଏକ ଆପାଚି ବାଇକ୍‌ରେ ଆସି ଦୁଇଜଣ ଲୁଟେରା ଜଣେ ଗ୍ରାହକଙ୍କଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ମାରିଛନ୍ତି। ପୁଲିସ ପହଞ୍ଚି ତନାଘନା ଜାରି ରଖିଛି।

ସୂଚନା ଅନୁସାରେ, ସୋମବାର ଦିନ ୧ଟା ୩୦ ମିନିଟ ସମୟରେ ଟିଟିଲାଗଡ଼ ସ୍ୱାଧୀନପଡ଼ାର ଶିକ୍ଷକ ଅଶୋକ ବେହେରା ଓ ତାଙ୍କ ବଡ଼ପୁଅ ସୂରଜ ବେହେରା ଟିଟିଲାଗଡ଼ ଏସ୍‌ବିଆଇ ଶାଖାକୁ ଆସିଥିଲେ। ଶାଖାରୁ ୫ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗ୍‌ରେ ରଖି ବ୍ୟାଙ୍କ ବାହାରେ ଥିବା ନିଜ ବାଇକ୍‌ ପାଖକୁ ଯାଉଥିଲେ। ଏହି ସମୟରେ ପଛପଟୁ ଦୁଇଜଣ ଲୁଟେରା ଏକ ଆପାଚି ବାଇକରେ ଆସି ସୂରଜ ଧରିଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଦ୍ରୁତଗତିରେ ପୁରୁଣା ବ୍ୟାଙ୍କ ଛକ ଦେଇ ମହାରାଜ ସାଗର ପଟ ରାସ୍ତା‌ରେ ଫେରାର ହୋଇଥିଲେ। ବରଗଡ଼ର ଏକ ଘରୋଇ କଲେଜରେ ସୂରଜଙ୍କ ନାମଲେଖା ପାଇଁ ଶିକ୍ଷକ ଶ୍ରୀ ବେହେରା ଏହି ଟଙ୍କା ବ୍ୟାଙ୍କରୁ ବାହାର କରିଥିଲେ। ଏମିତି କି ଉକ୍ତ ବ୍ୟାଗରେ ତାଙ୍କ ସ୍କୁଲ୍‌ ପାସବହି, ନିଜ ବ୍ୟାଙ୍କ ପାସ୍‌ ବହି, ସ୍କୁଲର ଅନେକ କାଗଜପତ୍ର ସମେତ ଏକ ରେଜିଷ୍ଟର ରହିଥିବା କହିଛନ୍ତି। ବ୍ୟାଙ୍କ ଭିତରେ ହିଁ ଲୁଟେରା ଗ୍ୟାଙ୍ଗର ଜଣେ ରହି ଲୋକଙ୍କ ଉପରେ ନଜର ରଖୁଥିବା ବେଳେ ଲକ୍ଷାଧିକ ଟଙ୍କା କେଉଁମାନେ ଉଠାଇ ବାହାରକୁ ଯାଉଛନ୍ତି ସେ ନେଇ ସମ୍ପୃକ୍ତ ଲୁଟେରା ତାର ଗ୍ୟାଙ୍ଗକୁ ସୂଚନା ଦେଉଥିବା ଜଣାପଡ଼ିଛି।

ଶିକ୍ଷକ ଶ୍ରୀ ବେହେରା ବ୍ୟାଙ୍କ ଭିତରେ ରହିଥିବା ବେଳେ ଉକ୍ତ ଲୁଟେରା ମଧ୍ୟ ବ୍ୟାଙ୍କ ଭିତରେ ରହିଥିବା ସିସିଟିଭିରୁ ସ୍ପଷ୍ଟ ଭାବରେ ଜଣାପଡୁଛି। ଟିଟିଲାଗଡ଼ ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରିଛି। ସିସିଟିଭି ଫୁଟେଜରୁ ଦୁଇ ଜଣ ଲୁଟେରା ଥିବା ଓ  ବାଇକ୍‌ ନମ୍ବର ୦୬୯୫ ରହିଥିବା ଜଣାପଡ଼ିଛି। ଅନ୍ୟ ଲୋକମାନେ ଲୁଟେରାମାନଙ୍କୁ  ଗୋଡ଼ାଇଥିଲେ ମଧ୍ୟ ସେମାନେ ଦ୍ରୁତ ଗତିରେ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ପଛପଟ, ଥାନା ସମ୍ମୁଖ ଓ ଓଭରବ୍ରିଜ ଦେଇ ସହର ବାହାରକୁ ଚାଲିଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe