ଡକାୟତି ଉଦ୍ୟମ ବିଫଳ, ୫ ଗିରଫ

Advertisment
ଡକାୟତି ଉଦ୍ୟମ ବିଫଳ, ୫ ଗିରଫ

ଛତିଆ : ଯାଜପୁର ଜିଲ୍ଲା ଛତିଆ ନିକଟସ୍ଥ ଅମରାବତୀ ମଠ ପାଖ ପଡ଼ିଆରେ ଶୁକ୍ରବାର ରାତିରେ ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ବୈରୀ ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୨ ଟି ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି, ଗୋଟିଏ ଛୁରି, ଲୁହା ପାଇପ, ବାଉଁଶ ଠେଙ୍ଗା ଜବତ ହୋଇଛି। ୫ଟି ମୋବାଇଲ ଓ ଦୁଇଟି ବାଇକ (ଓଡି ୦୪ଏସ୍‌ ୨୧୩୦, ଓଡି ୦୫ସି ୭୩୧୬) ମଧ୍ୟ ଜବତ ହୋଇଛି। ବୈରୀ ପୁଲିସ ଘଟଣାସ୍ଥଳରୁ ଗୋଡ଼ାଇ ୩ ଜଣଙ୍କୁ ଧରିଥିବା ବେଳେ ୨ଜଣ ଖସି ପଳାଇଥିଲେ। ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ନିତ୍ୟାନ୍ଦପୁର ଗ୍ରାମର ବିଜୟ ମଲ୍ଲିକ (୩୪), କଟକ ଜିଲ୍ଲା ମାହାଙ୍ଗା ଥାନା ଘିସୁଆଁ ଗ୍ରାମର କୁନା ସାହୁ (୩୭), କେନ୍ଦ୍ରାପଡ଼ା ଜିଲ୍ଲା ଛତରଚଟକାର ନିରଞ୍ଜନ ମଲ୍ଲିକ (୩୧), ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କ୍ଷେତ୍ରପାଳ ଗ୍ରାମର ଶଶାଙ୍କ ସେନାପତି (୩୨) ଓ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ସୁକାଦେଇପୁର ଗ୍ରାମର ପର୍ଶୁରାମ ବାରିକ (୩୪)।

ଏସ୍‌ପି ଭିନିତ ଅଗ୍ରୱାଲଙ୍କ ନିର୍ଦେଶକ୍ରମେ ବୈରୀ ଥାନା କେସ୍‌ ନଂ ୨୯/୨୩ରେ ଦଫା ୩୯୯/୪୦୨ ଆଇପିସି ଆରଡବ୍ଲ୍ୟୁ ଏସ୍‌–୨୫ ଆର୍ମସ୍‌ ଆକ୍ଟରେ ୫ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ପୁଲିସ୍‌ କହିଛି। ବୈରୀ ଥାନାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସମେତ ବୈରୀ ଥାନା ଅଧିକାରୀ ପ୍ରଦୀପ କୁମାର କାନୁନଗୋ, ଓଆଇସି ସୁବ୍ରତ କୁମାର ସାହୁ, ନାରାୟଣ ବେହେରା ଉପସ୍ଥିତ ଥିଲେ। ବୈରୀ ଥାନା ଏସ୍‌ଆଇ ଜହର ଆବେଦିନ, ଏସ୍‌ଆଇ ଅକ୍ଷୟ ବେହେରା, ଅସରଫ ଅଲ୍ଲିରାଜ, ଜିତେନ୍ଦ୍ର ଖୁଣ୍ଟିଆ, ଦିଲୀପ କୁମାର ସ୍ବାଇଁ, ନନ୍ଦୀ ହେମ୍ବ୍ରମ ଓ ମାଳତୀ ସଏ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe