କଲରଙ୍ଗି ଢାବା ଛକରୁ ଡକାୟତି; ୪ ମାଛ ବେପାରୀଙ୍କୁ ହାଣି ଲୁଟିଲେ

Advertisment
ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

କାଳିଆପାଣି: ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର କଲରଙ୍ଗି ଢାବା ଛକପାଖ ବୁଦୁବୁଦୁକିଆ ଜଙ୍ଗଲ ପାଖ ରାସ୍ତାରେ ଆଜି ସଂଧ୍ୟାରେ ୪ ଜଣ ମାଛ ବେପାରୀଙ୍କ ଠାରୁ ଡକାୟତି ଓ ସେମାନଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଶନିବାର ସାପ୍ତାହିକ ହାଟ ସାରି ୪ ଜଣଯାକ ବେପାରୀ ନିଜ ଗାଁକୁ ଯାଉଥିବା ବେଳେ ଢାବାଛକ-କଲରଙ୍ଗି ଦେହୁରୀ ସାହି ମଧ୍ୟବର୍ତ୍ତୀ ଜଙ୍ଗଲରେ ୨ଟି ପଲ୍ସରରେ ୪ ଜଣ ଡକାୟତ ସେମାନଙ୍କ ବାଟ ଓଗାଳିଥିଲେ।

ଭୁଜାଲି ଦେଖାଇ ସେମାନଙ୍କ ଠାରୁ ଟଙ୍କା ଲୁଟ୍ ଉଦ୍ୟମ କରିଥିଲେ। ପ୍ରତିରୋଧ କରିବାରୁ ଡକାୟତମାନେ ମାରଣାସ୍ତ୍ରରେ ଆକ୍ରମଣ କରି ଭୟଭୀତ କରାଇବା ସହ ସେମାନଙ୍କ ପାଖରୁ ସବୁ ଟଙ୍କା ଲୁଟି ନେଇଥିଲେ। ଆହତ ହୋଇଥିବା ବେପାରୀମାନେ ହେଲେ ସୁକିନ୍ଦା ଥାନା ଅନ୍ତର୍ଗତ କନ୍ତିରା ଗ୍ରାମର ବୁଟା ବେହେରା ଓ ଉଦୟ ମଲ୍ଲିକ ଏବଂ ଭୁବନ ଥାନା ଅନ୍ତର୍ଗତ ଏକତାଳି ଗ୍ରାମର ବିଶ୍ବନାଥ ମାଝି ଓ ମଳୟ ମାଝି। ସେମାନଙ୍କ ଠାରୁ ଯଥାକ୍ରମେ ୧୫ ହଜାର, ୮ ହଜାର, ୭ ହଜାର ଓ ୭୫୦ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

ହାଟ ପଟାଦାର ମାନସ ରଞ୍ଜନ ଭଞ୍ଜଙ୍କ ଠାରୁ ସୂଚନାପାଇ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଆହତ ବେପାରୀମାନଙ୍କୁ ପୁଲିସ ପିସିଆର୍ ଭ୍ୟାନ୍‌ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଡକାୟତମାନଙ୍କ ଗତିବିଧି ପଚାରି ବୁଝିଥିଲେ। ଡକାୟତି ପରେ ଅଭିଯୁକ୍ତମାନେ ସେହି ରାସ୍ତାରେ ଭୁବନ କିମ୍ବା କାମାକ୍ଷାନଗର ଆଡ଼କୁ ଖସି ପଳାଇଥିବା ପ୍ରାଥମିକ ସୂଚନା ମିଳିଛି। ସମସ୍ତ ବେପାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଠାରୁ ଏତଲା ଗ୍ରହଣ କରାଯିବ। ଏହାପରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଏସ୍ଆଇ ସୁଦାମ ଚରଣ ନନ୍ଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe