Advertisment

ସୁନ୍ଦରଗଡ଼ କଲେଜ ବାଇପାସ୍‌ରେ ଡକାୟତି ଯୋଜନା : ୫ ଗିରଫ, ୩ ବାଇକ୍ ଓ ବହୁ ମାରଣାସ୍ତ୍ର ଜବତ

Advertisment
ସୁନ୍ଦରଗଡ଼ କଲେଜ ବାଇପାସ୍‌ରେ ଡକାୟତି ଯୋଜନା : ୫ ଗିରଫ, ୩ ବାଇକ୍ ଓ ବହୁ ମାରଣାସ୍ତ୍ର ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଭବାନୀପୁର ବାଇପାସ୍‌ ରୋଡ୍‌ରେ ଡକାୟତି ପାଇଁ ଯୋଜନା କରି ମାରଣସ୍ତ୍ର ସହ ପ୍ରସ୍ତୁତ ହେଉଥିବା ୫ ଜଣିଆ ଡକାୟତ ଦଳକୁ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ କାବୁ କରିଛି। ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ସହରର ମହମ୍ମଦ ମୋବିନ, ଦେବାଶିଷ ତନ୍ତୀ, ମନୀଷ ତନ୍ତୀ, ସିଦ୍ଧାର୍ଥ ପଣ୍ଡା ଓ଼ ସୁରେଶ କୁସୁମ। ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ, ୩ଟି ଭୁଜାଲି, ୩ଟି ମୋବାଇଲ, ୩ଟି ବାଇକ୍‌, ଲଙ୍କାଗୁଣ୍ଡ ସହ ନଗଦ ୧୪,୧୭୦ ଟଙ୍କା ଜବତ କରାଯାଇଛି। ଆଜି ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ଵାଦିକ ସମ୍ମିଳନୀରେ ଏ ସମ୍ପର୍କିତ ସବିଶେଷ ସୂଚନା ଦେଇଛନ୍ତି ସଦର ଏସ୍‌ଡିପିଓ ମଧୁସିକ୍ତା ମିଶ୍ର।

ପୁଲିସର ସୂଚନା ଅନୁସାରେ, ସୁନ୍ଦରଗଡ଼ ବାଇପାସ୍‌ ରୋଡ୍‌ରେ ଚଳାଚଳ କରୁଥିବା କୋଇଲା ବୋଝେଇ ଟ୍ରକଗୁଡ଼ିକୁ ଅଟକାଇ ଦୁର୍ବୃତ୍ତମାନେ ଡ୍ରାଇଭରମାନଙ୍କ ଠାରୁ ଲୁଟ କରୁଥିବା ଓ ପଥଚାରୀ ଏବଂ ବାଇକ୍ ଆରୋହୀଙ୍କୁ ଅଟକାଇ ଛିନ୍‌ତାଇ ଚଲାଇଥିବା ନେଇ ଅଭିଯୋଗ ରହିଥିଲା। ଶନିବାର ରାତିରେ ୧୦ ଦୁର୍ବୃତ୍ତ ବାଇପାସ୍‌ ରାସ୍ତାରେ ପୁଣି ସଶସ୍ତ୍ର ଡକାୟତି ପାଇଁ ଯୋଜନା କରୁଥିବା ସମ୍ପର୍କରେ ପୁଲିସ ପାଟ୍ରୋଲିଂ ଟିମ୍‌କୁ ଖବର ମିଳିଥିଲା। ତା’ପରେ ଏସ୍‌ଆଇ ସନ୍ତୋଷ କୁମାରୀ ସେଠୀଙ୍କ ନେତୃତ୍ଵରେ ଏକ ପୁଲିସ ଟିମ୍‌ ସେଠାରେ ଚଢାଉ କରିଥିଲା। ଚଢାଉ ସମୟରେ ୫ ଜଣ ଯୁବକ ଫେରାର ହେବାରେ ସକ୍ଷମ ହୋଇଥିବାବେଳେ ୫ ଜଣ ପୁଲିସ ହାତରେ ଧରା ପଡିଥିଲେ। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଟାଉନଥାନାରେ ୧୦ଟି ଓ ରାଜଗାଙ୍ଗପୁର ଥାନାରେ ଗୋଟିଏ ସଂଗୀନ ମାମଲା ରହିଛି। କିଛି ଦୁର୍ବୃତ୍ତଙ୍କ ନାମରେ ଦୁଷ୍କର୍ମ ତଥା ଗଂଜେଇ ଚୋରା ଚାଲାଣ ମାମଲା ରହିଥିବା ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ବିବତ୍ସ କୁମାର ପ୍ରଧାନ ଓ ଏସ୍‌ଆଇ ସନ୍ତୋଷ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe