ବନ୍ଧମୁଣ୍ଡା: ଶୁକ୍ରବାର ରାତିରେ ରାଉରକେଲା ସହର ଉପକଣ୍ଠ ବନ୍ଧମୁଣ୍ଡାରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ହୋଇଛି। ପାଞ୍ଚଜଣ ଦୁର୍ବୃତ୍ତ ଜଣେ ରେଳ କର୍ମଚାରୀଙ୍କ ଘରେ ପଶି ପତିପତ୍ନୀ ଏବଂ ପୁଅକୁ ବନ୍ଧକ ରଖି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନାଗହଣା ସମେତ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ମୁତାବକ ବନ୍ଧମୁଣ୍ଡା ଡିଜେଲ୍ କଲୋନି କ୍ୱାର୍ଟର୍ସ ନମ୍ବର ଏଲ୍ ୨୦୪/୧ରେ ରହୁଥିବା ରେଳବାଇ କନିଷ୍ଠଯନ୍ତ୍ରୀ ଦିଲୀପ ପଣ୍ଡା ପ୍ରତିଦିନ ଭଳି ତାଙ୍କ ପତ୍ନୀ ଏବଂ ପୁଅ ସହିତ ନିଜ କୋଠରିରେ ଶୋଇଥିଲେ। ରାତି ପ୍ରାୟ ଗୋଟାଏ ବେଳେ ପାଞ୍ଚଜଣ ଡକାୟତ କଟର୍ ସାହାଯ୍ୟରେ ଝରକା ଲୁହାକୁ କାଟି ଘରେ ପଶିଥିଲେ। ଶବ୍ଦ ଶୁଣି ଶ୍ରୀ ପଣ୍ଡା ଆଖି ଖୋଲି ଦେଖିବା ବେଳକୁ ତାଙ୍କ ଶୋଇବା ପ୍ରକୋଷ୍ଠରେ ପାଞ୍ଚ/ଛଅଜଣ ଲୋକ ଠିଆ ହୋଇଛନ୍ତି। ହଠାତ ନିଜ ଘର ଭିତରେ ଅଜଣା ଦୁର୍ବୃତ୍ତଙ୍କୁ ଦେଖି ଶ୍ରୀ ପଣ୍ଡା ଭୟଭୀତ ହୋଇ ଯାଇଥିଲେ।
ଏହି ସମୟରେ ଡକାୟତ ଗ୍ୟାଙ୍ଗର ଦୁଇଜଣ ଶ୍ରୀ ପଣ୍ଡା ଓ ତାଙ୍କ ପରିବାର ସଦସ୍ୟଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇ ଭୟଭୀତ କରିବା ସହ ଗୋଟିଏ ସ୍ଥାନରେ ନେଇ ବସାଇ ଦେଇଥିଲେ। ୨ ଜଣ ଦୁର୍ବୃତ୍ତ ସେମାନଙ୍କୁ ଜଗି ରହିଥିବାବେଳେ ଅନ୍ୟ ୪ ଜଣ ଘର ଆଲମାରିରେ ରଖାଯାଇଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ଦଶ ହଜାର ଟଙ୍କା ଲୁଟି ନେଇଥିଲେ। କେବଳ ସେତିକି ନୁହେଁ, ସେମାନେ ଶ୍ରୀ ପଣ୍ଡାଙ୍କ ପତ୍ନୀ ପିନ୍ଧିଥିବା ମାଳି, କାନଫୁଲ, ଚୁଡ଼ି ଆଦି ଅଳଙ୍କାର ମଧ୍ୟ ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଡକାୟତମାନେ ସେଠାରେ ଲଗାଯାଇଥିବା ଗୋଟିଏ ସିସିଟିଭି କ୍ୟାମେରାକୁ ବି ଭାଙ୍ଗି ଦେଇଥିଲେ। କ୍ୟାମେରା ଭାଙ୍ଗିବା ବେଳେ ତିନିଜଣ ଚୋରଙ୍କ ମାସ୍କପିନ୍ଧା ଚେହେରା ସିସିଟିଭିରେ ଆସିଥିବା ଜଣାପଡ଼ିଛି। ଡକାୟତି ସମ୍ପର୍କରେ ସୂଚନା ପାଇ ବନ୍ଧମୁଣ୍ଡା ପୁଲିସ ଫରେନସିକ୍ ଦଳ ଏବଂ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।
Follow Us