ଶେଷରେ ଜବରଦଖଲମୁକ୍ତ ହେଲା ଆର୍‌ଏସ୍‌ପି କ୍ବାର୍ଟର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଛାଡ଼ୁନଥିଲେ

Advertisment

୩ ଅବସରପ୍ରାପ୍ତ କର୍ମଚାରୀଙ୍କ ଘର ଖାଲି କଲେ

୩ ଅବସରପ୍ରାପ୍ତ କର୍ମଚାରୀଙ୍କ ଘର ଖାଲି କଲେ

ଶେଷରେ ଜବରଦଖଲମୁକ୍ତ ହେଲା ଆର୍‌ଏସ୍‌ପି କ୍ବାର୍ଟର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଛାଡ଼ୁନଥିଲେ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ରୁ ଅବସର ନେଲାପରେ ମଧ୍ୟ ବାସଗୃହ ଛାଡ଼ିନଥିଲେ। ବାରମ୍ବାର ତାଗିଦ୍‌ ପରେ ମଧ୍ୟ ପୂର୍ବତନ କର୍ମଚାରୀମାନେ କିଛି ଶୁଣିନଥିଲେ। ପରବର୍ତ୍ତୀ ସମୟରେ ସେମାନେ ହାଇକୋର୍ଟର ଦ୍ବାରସ୍ଥ ହେବାରୁ ରାୟ ତାଙ୍କ ସପକ୍ଷରେ ଆସିଥିଲା। ତେବେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ତେବେ ଯଥାଶୀଘ୍ର ଜବରଦଖଲମୁକ୍ତ କରିବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶପରେ ଆଜି ତିନି କ୍ବାର୍ଟରକୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଖାଲି କରିଦିଆଯାଇଛି। ବିଶ୍ରାର ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆଜି ପୂର୍ବାହ୍ନରେ ଜବରଦଖଲମୁକ୍ତ ଅଭିଯାନ ଆରମ୍ଭ ହୋଇଥିଲା। ଆଇନସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ନିୟୋଜିତ ଥିଲେ। ପୂର୍ବତନ କର୍ମଚାରୀ ଏନ.ସି. ଦାସ ରହୁଥିବା ସେକ୍ଟର-୧୮ କ୍ୱାର୍ଟର ନଂ ଏ/୧୮, ଏ.କେ. ମହାନ୍ତି ରହୁଥିବା ସେକ୍ଟର-୪, ଏ/୧ ଏବଂ ସ୍ବର୍ଗତ ଦୁର୍ଗା ଚରଣ ବେହେରାଙ୍କ ପରିବାର ରହୁଥିବା ସେକ୍ଟର-୪, ବି/୨୦୧କୁ ଆଜି ଜବରଦଖଲମୁକ୍ତ କରାଯାଇଛି।

publive-image

ଜବରଦଖଲମୁକ୍ତ ପ୍ରକ୍ରିୟାରେ ପରିବାର ସଦସ୍ୟଙ୍କ ତୀବ୍ର ପ୍ରତିବାଦ ପରିଲକ୍ଷିତ ହୋଇଥିଲା। ତେବେ କୌଣସି ପ୍ରକାର ଆଇନଶୃଙ୍ଖଳା ବିଗିଡ଼ିନଥିଲା। ପ୍ରକାଶଥାଉକି, ସ୍ବେଚ୍ଛାକୃତ ଅବସର ପରେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଦୁଇ ଦଶନ୍ଧି ଧରି ଆର୍‌ଏସ୍‌ପି କ୍ବାର୍ଟରକୁ ନିଜ କବ୍‌ଜାରେ ରଖିଥିଲେ ୪୯ ଜଣ ପୂର୍ବତନ କର୍ମଚାରୀ। କ୍ବାର୍ଟର ଖାଲି କରିବାକୁ ବହୁବାର ନୋଟିସ ଦିଆଯାଇଥିଲା। କିନ୍ତୁ କର୍ତ୍ତୃପକ୍ଷଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ ସେମାନେ ଟାଳି ଆସୁଥିଲେ। କ୍ବାର୍ଟରଗୁଡିକୁ ଅଧିନକୁ ଆଣିବାକୁ ଆରଏସପି କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ହାଇକୋର୍ଟଙ୍କ ରାୟ ପୂର୍ବତନ କର୍ମଚାରୀଙ୍କ ସପକ୍ଷରେ ଯାଇଥିଲା। ଏହାକୁ ଚାଲେଞ୍ଜ୍‌ କରି ଆର୍‌ଏସ୍‌ପି କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ।

୨୦୧୮ ମସିହାରେ ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୩୩ ମାସ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରି ଘର ଖାଲି କରିବାକୁ ନିର୍ଦ୍ଧେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିନେଇ ୩୩ ମାସର ସମୟସୀମା ସରିବାପରେ ୪୬ ଜଣ କ୍ବାର୍ଟର ହସ୍ତାନ୍ତର କରିଦେଇଥିଲେ। ତେବେ କୋଭିଡ ମହାମାରୀକୁ ଆଳ କରି ୩ ଜଣ ଜଣ ପୂର୍ବତନ କର୍ମଚାରୀ କ୍ବାର୍ଟର ଛାଡ଼ିବା ପରିବର୍ତ୍ତେ ସମୟ ଗଡ଼ାଇ ଚାଲିଥିଲେ। ଏହାପରେ ଆରଏସପି କର୍ତ୍ତୃପକ୍ଷ ସୁପ୍ରିମକୋର୍ଟରେ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ତୁରନ୍ତ ଘର ଖାଲି କରି ରିପୋର୍ଟ ଦାଖଲ କରିବାକୁ ସୁନ୍ଦରଗଡ଼ ଜିଲ୍ଲା ଜଜ୍‌ଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏହାପରେ କାର୍ଯ୍ୟାନୁଷ୍ଠାନ ପାଇଁ ସଜବାଜ ହୋଇଥିଲେ କର୍ତ୍ତୃପକ୍ଷ। ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ପୂର୍ବାହ୍ନରେ ଏହି ତିନୋଟି କ୍ବାର୍ଟରରୁ ଜବରଦଖଲ ମୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe